ପ୍ରଚାରରେ ସେଲିବ୍ରିଟି
ନିର୍ବାଚନ ବେଳେ ସେଲିବ୍ରିଟିମାନଙ୍କର ବେଶ୍ ଚାହିଦା ଥାଏ । ପ୍ରାର୍ଥୀମାନେ ଗାଁ ଗାଁ ବୁଲିବା ବେଳେ ସେଲିବ୍ରିଟିମାନଙ୍କୁ ସାଙ୍ଗରେ ନେବାକୁ ପସନ୍ଦ କରନ୍ତି । ବିଶେଷକରି ସେଲିବ୍ରିଟିଙ୍କୁ ଦେଖିବା ପାଇଁ ଗାଁରେ ବେଶୀ ଉତ୍ସାହ ରହୁଥିବାରୁ ସମସ୍ତେ ଏହି କୌଶଳ ଆପଣାଇଥା’ନ୍ତି । କିଏ ଦଳୀୟ ନେତା ହିସାବରେ ପ୍ରାର୍ଥୀଙ୍କ ପ୍ରଚାର କରିଥା’ନ୍ତି ତ ଆଉ କିଏ ପ୍ରଚାର ପାଇଁ ମୋଟା ଅଙ୍କର ଟଙ୍କା ବି ଦାବି କରନ୍ତି । ଯେଉଁ ଅଭିନେତା ବା ଅଭିନେତ୍ରୀଙ୍କର ଷ୍ଟାର କ୍ରେଜ ଯେତେ ଅଧିକ ସେ ସେତେ ଅଧିକ ଟଙ୍କା ପ୍ରଚାର ପାଇଁ ନେଇଥା’ନ୍ତି ।
ଗୋଟିଏ ଦିନ ପ୍ରଚାର ପାଇଁ ୧୦ ହଜାର ଟଙ୍କାରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଷ୍ଟାରମାନେ ନେବାର ନଜିର ରହିଛି । କେହିକେହି ମାସ ସାରା ନିର୍ବାଚନ ପ୍ରଚାର ପାଇଁ ଦଳଠାରୁ ଏକକାଳୀନ ୪୦ରୁ ୫୦ ଲକ୍ଷ ବି ନିଅନ୍ତି । ସେଥିପାଇଁ ପ୍ରଚାରର ବହୁଦିନ ପୂର୍ବରୁ ଷ୍ଟାରମାନଙ୍କୁ ନେତାମାନେ ବୁକ୍ ମଧ୍ୟ କରିଥା’ନ୍ତି । ତେବେ ପ୍ରଚାର ପାଇଁ କେତେ ଟଙ୍କା ନିଅନ୍ତି, ସେନେଇ କିନ୍ତୁ ତାରକାମାନେ ଉତ୍ତର ଦେବାକୁ ଅନିଚ୍ଛା ପ୍ରକାଶ କରନ୍ତି ।
ସିଦ୍ଧାନ୍ତ ମହାପାତ୍ର : ସିଦ୍ଧାନ୍ତ ମହାପାତ୍ର ବିଜେଡ଼ି ଛାଡ଼ି ବିଜେପିକୁ ଯାଇଛନ୍ତି । ବ୍ରହ୍ମପୁରରୁ ଦୁଇଥର ସାଂସଦ ଥିବା ସିଦ୍ଧାନ୍ତ ଏଥର ଦିଗପହଣ୍ଡିରୁ ନିର୍ବାଚନ ଲଢୁଛନ୍ତି । ସେ ଦିଗପହଣ୍ଡିରେ ବୁଲିବୁଲି ପ୍ରଚାର କରୁଥିବାବେଳେ ଅନ୍ୟ ନେତାମାନେ ମଧ୍ୟ ତାଙ୍କୁ ନେବା ପାଇଁ ଭିଡ଼ ଜମାଉଛନ୍ତି । ପ୍ରଥମ ପର୍ଯ୍ୟାୟରେ ତାଙ୍କ ନିର୍ବାଚନ ସରିବା ପରେ ସେ ରାଜ୍ୟର ଅନ୍ୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ।
ଆକାଶ ଦାସ ନାୟକ : ଆକାଶ ପୂର୍ବରୁ କୋରେଇ ବିଧାୟକ ଥିବାବେଳେ ଏଥର ପୁଣିଥରେ ଲଢୁଛନ୍ତି । ବିଜେଡ଼ିରେ ଥିବାବେଳେ ସେ ଖୁବ ଧୂମରେ ପ୍ରଚାର କରୁଥିଲେ । ଏବେ ବିଜେପି ପାଇଁ ମଧ୍ୟ ସେ ପ୍ରଚାର କରିବେ ।
ଅନୁଭବ ମହାନ୍ତି : ବିଜେଡ଼ି ଛାଡ଼ି ବିଜେପିକୁ ଯାଇଛନ୍ତି ଅନୁଭବ ମହାନ୍ତି । ବିଜେଡ଼ି ପାଇଁ ସେ ସେତେବେଳେ ସାରା ରାଜ୍ୟରେ ବୁଲୁଥିଲେ । ଯଦି ସେ ବାରବାଟୀ କଟକରୁ ଲଢ଼ନ୍ତି ତେବେ ପ୍ରଚାର ପାଇଁ ସମୟ ପାଇବେ ନାହିଁ । କିନ୍ତୁ ଟିକେଟ ନପାଇଲେ ସେ ବଡ଼ ବଡ଼ ନେତାଙ୍କ ପାଇଁ ପ୍ରଚାର କରିବେ ବୋଲି ଜାଣିବାକୁ ମିଳିଛି ।
ଅରିନ୍ଦମ ରାୟ : ସିଦ୍ଧାନ୍ତ, ଆକାଶ ଓ ଅନୁଭବଙ୍କ ଭଳି ଅରିନ୍ଦମ ବି ବିଜେଡ଼ି ଛାଡ଼ି ବିଜେପିକୁ ଆସିଛନ୍ତି । ସାଲେପୁର କିମ୍ବା ବାରବାଟୀ-କଟକରୁ ସେ ଲଢ଼ିବେ ବୋଲି ଚର୍ଚ୍ଚା ହେଉଛି । ବିଜେପି ମଧ୍ୟ ତାଙ୍କୁ ପ୍ରଚାର କାର୍ଯ୍ୟରେ ସାମିଲ କରିବ ।
କମେଡ଼ିଆନ ହରି : ୨୦୧୯ରୁ କମେଡ଼ିଆନ ହରି ବିଜେପି ପାଇଁ ପ୍ରଚାର କରି ଆସୁଛନ୍ତି । ବିଜେପିର ଅନେକ ଭିଡ଼ିଓ ଅଡ଼ିଓ ପ୍ରଚାର କାର୍ଯ୍ୟ ବି ତାଙ୍କ ଜରିଆରେ କରାଯାଉଛି ।
ବାବୁସାନ : ଓଲିଉଡ଼ ସୁପରଷ୍ଟାର ବାବୁସାନ୍ ୨୦୧୯ରେ ବିଜେପି ପାଇଁ ନିର୍ବାଚନ ପ୍ରଚାର କରୁଥିଲେ । ସେତେବେଳେ ତାଙ୍କ ମାଆ ଅପରାଜିତା ନିର୍ବାଚନ ଲଢୁଥିଲେ । ଏବେ କିନ୍ତୁ ବାବୁସାନ ବିଜେଡ଼ି ପାଇଁ ପ୍ରଚାର ଆରମ୍ଭ କରିଦେଇଛନ୍ତି । ବିଜେଡ଼ିରେ ସେ ସାମିଲ ହୋଇନଥିଲେବି ପ୍ରଚାର ପାଇଁ ତାଙ୍କୁ ଦଳ ନିୟୋଜିତ କରିଛି ।
ପପୁ ପମପମ : ପୂର୍ବରୁ ବିଜେଡ଼ିରେ ଥିବା ପପୁ ପମପମ ନିର୍ବାଚନ ଲଢ଼ିବାର ବି ସୁଯୋଗ ପାଇଥିଲେ । କିନ୍ତୁ ପରେ ବିଜେଡ଼ି ଛାଡ଼ି ନୀରବ ବସିଥିଲେ । ନିକଟରେ ତାଙ୍କୁ ପ୍ରଚାର କାର୍ଯ୍ୟରେ ନିୟୋଜିତ କରିବାକୁ ଦଳ ପକ୍ଷରୁ ଡକରା ଆସିଥିଲା ।
ପ୍ରଜ୍ଞାଶଙ୍କର : ଓଲିଉଡ଼ର ସଫଳ କମେଡ଼ି ଯୋଡ଼ି ହେଉଛନ୍ତି ପ୍ରଜ୍ଞା ଖଟୁଆ ଓ ଶଙ୍କର ପ୍ରଧାନ । ଉଭୟଙ୍କୁ ମଧ୍ୟ ପ୍ରଚାର ପାଇଁ ବିଜେଡ଼ିରୁ ଅଫର ଆସିଛି । ଏହାଛଡ଼ା ସେମାନେ ଅନ୍ୟ ପ୍ରାର୍ଥୀଙ୍କ ପାଇଁ ବି ପ୍ରଚାର କରିବେ ବୋଲି ଜାଣିବାକୁ ମିଳିଛି ।
ୟୁଟୁ୍ୟବର ସେଲିବ୍ରିଟି : ଆଜିକାଲି ୟୁଟୁ୍ୟବରମାନେ ବେଶୀ ଲୋକପ୍ରିୟତା ଅର୍ଜନ କରୁଥିବା ଦେଖିବାକୁ ମିଳିଛି । କମେଡ଼ିଆନ ଗୁଲୁଆ, ସାହୁ ଭେରାଇଟ ଷ୍ଟୋର ଫେମ୍ ରାଜୁ ଦାସ, ଚାନ୍ଦିନୀ, ଟୁକୁନା ଷ୍ଟାଇଲିସ୍, ଚନ୍ଦନ ବିଶ୍ୱାଳଙ୍କ ବ୍ୟତୀତ ଅନେକ ୟୁଟୁ୍ୟବର ଓ ଟେଲିତାରକାଙ୍କୁ ବିଭିନ୍ନ ଦଳ ପ୍ରଚାର ପାଇଁ ଖୋଜୁଛନ୍ତି । ଅନେକ ୟୁଟୁ୍ୟବର ମୋଟା ଅଙ୍କର ଟଙ୍କା ନେଇ ପ୍ରଚାର ମଧ୍ୟ ଆରମ୍ଭ କରିଦେଇଛନ୍ତି ।
ଉପସ୍ଥାପନା : ରଶ୍ମିତା ବେହେରା