ସିଏମଓରେ ଆଉ ଜଣେ ଅଫିସରଙ୍କୁ ନିଯୁକ୍ତି

ଭୁବନେଶ୍ୱର: ରାଜ୍ୟର ପ୍ରଥମ ବିଜେପି ସରକାରର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କାର୍ୟ୍ୟାଳୟ(ସିଏମଓ)ରେ  ଆଉ ଜଣେ ଅଫିସରଙ୍କୁ ନିଯୁକ୍ତି ମିଳିଛି । ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଉପସଚିବ ଦେବୀପ୍ରସାଦ ମିଶ୍ରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉପସଚିବ ଭାବେ ବଦଳି ହୋଇଛି । ଶ୍ରୀ ମିଶ୍ରଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟକୁ ପଠାଇବା ପାଇଁ ଜୁନ୍ ୨୨ତାରିଖରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ନିର୍ଦ୍ଦେଶ ଦେଇଥିଲେ ।
ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଗତ ୨୨ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ଉପସଚିବ ଦେବୀପ୍ରସାଦ ମିଶ୍ରଙ୍କୁ ତତ୍କାଳ ପ୍ରଭାବରୁ ମୁଖ୍ୟମନ୍ତ୍ରୀଙ୍କ ଉପସଚିବ ଭାବେ ନିୟୋଜିତ କରାଯାଇଛି । ଶ୍ରୀ ମିଶ୍ର ତାଙ୍କ ଦରମା ଓ ଅନ୍ୟାନ୍ୟ ସୁବିଧାସୁଯୋଗ ନଗର ଉନ୍ନୟନ ବିଭାଗରୁ ପାଇବେ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି ।ସୂଚନାଯୋଗ୍ୟ, ଶନିବାର ବରିଷ୍ଠ ଓଏଏସ୍ ଚିତ୍ରସେନ ରାଉତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଓ ବରିଷ୍ଠ ଓଏଫଏସ୍ ଉମେଶଚନ୍ଦ୍ର ତ୍ରିପାଠୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟର ଅତିରିକ୍ତ ସଚିବ ଭାବେ ବଦଳି ହୋଇଥିଲା । କେନ୍ଦୁଝର ଉପଜିଲ୍ଲାପାଳ ଓଏଏସ୍ ତ୍ରିଲୋଚନ ମହାନ୍ତିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ, ଓଡ଼ିଶା ସଚିବାଳୟ ସେବାର ବିନୋଦ ବିହାରୀ ସିଂଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟର ଅନୁସଚିବ ଏବଂ ଅତିରିକ୍ତ ବ୍ୟକ୍ତିଗତ ସହାୟକ ଭାବେ ସତୀଶ ଚନ୍ଦ୍ର ସାମଲଙ୍କୁ ଅବସ୍ଥାପିତ କରାଯାଇଛି ।