ଆମ୍ବୁଲାନ୍ସ ଧକ୍କାରେ ଚାଲିଗଲା ବାଇକ୍ ଚାଳକଙ୍କ ଜୀବନ
ଲୋଇସିଂହା : ବଲାଙ୍ଗୀର-ବରଗଡ଼ ୨୬ ନଂ ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡଠାରେ ଶନିବାର ଏକ ୧୦୮ ଆମ୍ବୁଲାନ୍ସ ଧକ୍କାରେ ଜଣେ ବାଇକ୍ ଚାଳକଙ୍କ ଜୀବନ ଚାଲିଯାଇଛି। ମୃତ ଯୁବକ ଜଣକ ହେଲେ ଲୋଇସିଂହା ମିର୍ଦ୍ଧାପଡ଼ାର ସୁମନ୍ତ ପଧାନ(୨୫)। ଦୁର୍ଘଟଣାକୁ ନେଇ ଘଟଣାସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। ମୃତକଙ୍କ ପରିବାର, ସମ୍ପର୍କୀୟ ଏବଂ ସ୍ଥାନୀୟ ଲୋକେ ଫାସଡ ଛକରେ ମୃତଦେହ ରଖି ରାଜପଥ ଅବରୋଧ କରିଛନ୍ତି। ସୁମନ୍ତଙ୍କ ପରିବାରକୁ କ୍ଷତିପୂରଣ ଓ ତାଙ୍କ ଶିକ୍ଷିତ ଭଉଣୀଙ୍କୁ ସରକାରୀ ଚାକିରି ଦାବିରେ ଆନ୍ଦୋଳନକାରୀ ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଛନ୍ତି। ଘଟଣାସ୍ଥଳକୁ ଜିଲା ପ୍ରଶାସନ ନ ପହଞ୍ଚିବା ଯାଏ ବିକ୍ଷୋଭ ଚାଲିବ ବୋଲି ଲୋକେ କହିଛନ୍ତି।
ପ୍ରକାଶ ଯେ, ସୁମନ୍ତ ବଲାଙ୍ଗୀର ଓଏସ୍ଆରଟିସି ଲକ୍ଷ୍ମୀ ବସ୍ର ସୁଇପର ଭାବେ କାମ କରନ୍ତି। ଡ୍ୟୁଟି ସାରି ଶନିବାର ସକାଳେ ବାଇକ୍ (ଓଡି ୦୩ ଏଫ୍ ୫୬୭୩)ରେ ବଲାଙ୍ଗୀରରୁ ଘରକୁ ଫେରୁଥିଲେ। ସୁମନ୍ତ ଫାସଡ ଯାଏ ହୋଇଥିବା ବେଳେ ବିପରୀତ ଦିଗରୁ ଆସୁଥିବା ୧୦୮ ଆମ୍ବୁଲାନ୍ସ (ଓଡ଼ି୦୨ ବିଏଚ ୪୩୧୪) ତାଙ୍କୁ ସାମ୍ନା ପଟରୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ସୁମନ୍ତଙ୍କ ମୃତ୍ୟୁ ଘଟିଥିଲା। ସ୍ଥାନୀୟ ଲୋକେ ଦୁର୍ଘଟଣା ଘଟାଇଥିବା ଆମ୍ବୁଲାନ୍ସକୁ ଅଟକାଇ ଡ୍ରାଇଭରଙ୍କୁ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଖବର ପାଇ ଲୋଇସିଂହା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ଉଦ୍ଧାର କରି ଥାନାକୁ ନେଇ ଯାଇଥିଲା। ୨୬ ନଂ ଜାତୀୟ ରାଜପଥରେ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ଏବଂ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକେ ରାଜପଥ ଅବରୋଧ କରିଛନ୍ତି। ଫଳରେ ରାଜପଥ ଉଭୟ ପାର୍ଶ୍ୱରେ ଯାନବାହନ ଅଟକି ରହିଛି। ପୋଲିସ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରୁଛି।