ଆଜି ୩ ଏଆଇ ଉତ୍କର୍ଷ କେନ୍ଦ୍ର ଘୋଷଣା କରିବେ ଧର୍ମେନ୍ଦ୍ର ପ୍ରଧାନ

ଆଜି ୩ ଏଆଇ ଉତ୍କର୍ଷ କେନ୍ଦ୍ର ଘୋଷଣା କରିବେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ମଙ୍ଗଳବାର କେନ୍ଦ୍ର ଶିକ୍ଷା ମନ୍ତ୍ରୀ  ଧର୍ମେନ୍ଦ୍ର   ନୂଆଦିଲ୍ଲୀଠାରେ  ସ୍ୱାସ୍ଥ୍ୟସେବା, କୃଷି ଏବଂ ସ୍ଥାୟୀ  ସହର ଉପରେ ତିନୋଟି ଏଆଇ  ସେଣ୍ଟର ଅଫ୍‌ ଏକ୍ସଲେନସ (ସିଓଇ) ଘୋଷଣା କରିବେ । ବିକଶିତ ଭାରତର ସ୍ୱପ୍ନକୁ  ସାକାର କରିବା ପାଇଁ ଏହି ତିନୋଟି ଉତ୍କର୍ଷ କେନ୍ଦ୍ରକୁ ଶିକ୍ଷାନୁଷ୍ଠାନ, ଶିଳ୍ପ ଅଂଶୀଦାର  ଏବଂ ଷ୍ଟାର୍ଟଅପ୍‌ମାନେ ନେତୃତ୍ୱ ପ୍ରଦାନ କରିବେ । ସେମାନେ  ଆନ୍ତଃବିଭାଗୀୟ ଗବେଷଣା କରିବେ, ଅତ୍ୟାଧୁନିକ ଆପ୍ଲିକେସନ୍‌  ବିକଶିତ କରିବେ ଏବଂ ଏହି ତିନୋଟି କ୍ଷେତ୍ରରେ ଅଧିକ ସମାଧାନ  ସୃଷ୍ଟି କରିବେ । ଏହି ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ଏକ ପ୍ରଭାବଶାଳୀ ଏଆଇ ଇକୋସିଷ୍ଟମକୁ ବିକଶିତ କରିବା ଏବଂ ଏହି ସବୁ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଗୁଣାତ୍ମକ ମାନବସମ୍ବଳ ପ୍ରସ୍ତୁତ କରିବା ।

୨୦୨୩-୨୪ ବଜେଟ୍‌ ଘୋଷଣାର ପାରା ୬୦  ଅଧୀନରେ ଭାରତରେ ଏଆଇ ତିଆରି କରିବା ଏବଂ  ଭାରତ ପାଇଁ ଏଆଇ କାର୍ୟ୍ୟ କରିବା ଲକ୍ଷ୍ୟର ଏକ  ଅଂଶ ଭାବରେ ଏହି କେନ୍ଦ୍ରଗୁଡିକ ପ୍ରତିଷ୍ଠା କରିବାକୁ  ଘୋଷଣା କରାଯାଇଥିଲା । ଏହାକୁ ଦୃଷ୍ଟିରେ ରଖି  ସରକାର ୨୦୨୩-୨୪ ଆର୍ଥିକ ବର୍ଷରୁ ୨୦୨୭-୨୮  ଆର୍ଥିକ ବର୍ଷ ମଧ୍ୟରେ ମୋଟ ୯୯୦ କୋଟି ଟଙ୍କାର  ଆର୍ଥିକ ବ୍ୟୟବରାଦ ସହିତ ତିନୋଟି ଏଆଇ ସେଣ୍ଟର  ଅଫ୍‌ ଏକ୍ସଲେନସ ଗଠନକୁ ମଞ୍ଜୁରୀ ଦେଇଛନ୍ତି । ଏହି ପଦକ୍ଷେପର କାର୍ୟ୍ୟକାରିତା ତଦାରଖ  କରିବା ପାଇଁ ଜୋହୋ କର୍ପୋରେସନର ପ୍ରତିଷ୍ଠାତା  ତଥା ସିଇଓ ଡ. ଶ୍ରୀଧର ଭେମ୍ବୁଙ୍କ ଅଧ୍ୟକ୍ଷତାରେ ଏକ  ଶୀର୍ଷ କମିଟି ଗଠନ କରାଯାଇଛି । ଏହି ଅବସରରେ ସଚିବ ଶ୍ରୀ କେ. ସଞ୍ଜୟ  ମୂର୍ତ୍ତିଙ୍କ ସମେତ ଆଇଆଇଟିର ନିର୍ଦ୍ଦେଶକ, ଉଚ୍ଚ  ଶିକ୍ଷାନୁଷ୍ଠାନର ମୁଖ୍ୟ (ଏଚ୍‌ଇଆଇ), ଶିଳ୍ପନେତା,  ଷ୍ଟାର୍ଟଅପ୍‌ ପ୍ରତିଷ୍ଠାତା ଏବଂ ଭାରତ ସରକାରଙ୍କ ବିଭିନ୍ନ  ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଯୋଗଦେବେ ।