ଜାମ୍ମୁ-କାଶ୍ମୀରରୁ ରାଷ୍ଟ୍ରପତି ଶାସନ ପ୍ରତ୍ୟାହୃତ

ଜାମ୍ମୁ-କାଶ୍ମୀରରୁ ରାଷ୍ଟ୍ରପତି ଶାସନ ପ୍ରତ୍ୟାହୃତ

ନୂଆଦିଲ୍ଲୀ : ଜାମ୍ମୁ-କାଶ୍ମୀରରେ ବିଧାନସଭା ନିର୍ବାଚନ ପରେ ଏଠାରେ ନୂଆ ସରକାର ଗଠନ ହେବାକୁ ଯାଉଛି। ନୂଆ ସରକାର ଗଠନ ପ୍ରକ୍ରିୟାକୁ ସୁଯୋଗ ଦେବା କ୍ରମରେ ରବିବାର ଏଠାରୁ ରାଷ୍ଟ୍ରପତି ଶାସନ ପ୍ରତ୍ୟାହାର କରିନିଆଯାଇଛି। ୨୦୧୯ ଅକ୍ଟୋବର ୩୧ରୁ ଜାମ୍ମୁ-କାଶ୍ମୀରରେ ରାଷ୍ଟ୍ରପତି ଶାସନ ଜାରି କରାଯାଇଥିଲା। ଜାମ୍ମୁ-କାଶ୍ମୀର ପୁନର୍ଗଠନ ଆଇନର ଧାରା ୭୩ ଓ ସମ୍ବିଧାନର ଧାରା ୨୩୯ ଓ ୨୩୯ (ଏ) ଅନୁଯାୟୀ ଏଠାରେ ରାଷ୍ଟ୍ରପତି ଶାସନ ଜାରି କରାଯାଇଥିଲା। ଜାମ୍ମୁ-କାଶ୍ମୀର ପୁନର୍ଗଠନ ଆଇନର ଧାରା ୫୪ ଅନୁଯାୟୀ ମୁଖ୍ୟମନ୍ତ୍ରୀ ନିଯୁକ୍ତି ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ଲାଗି ରାଷ୍ଟ୍ରପତି ଶାସନକୁ ପ୍ରତ୍ୟାହାର କରାଯାଇଛି। ଅକ୍ଟୋବର ୮ରେ ପ୍ରକାଶିତ ବିଧାନସଭା ନିର୍ବାଚନ ଫଳ ଅନୁଯାୟୀ ନ୍ୟାସନାଲ କନଫରେନ୍ସ (ଏନସି) ଓ କଂଗ୍ରେସ ମେଣ୍ଟ ସରକାର ଗଠନ କରିବାକୁ ଦାବିଦାର ହୋଇଛି। ଏନସି ନେତା ଓମାର ଅବଦୁଲ୍ଲା ଜାମ୍ମୁ-କାଶ୍ମୀରରେ ସରକାର ଗଠନ କରିବାକୁ ଦାବି କରିଛନ୍ତି। ଦାବି ଆଧାରରେ ଉପରାଜ୍ୟପାଳ ମନୋଜ ସିହ୍ନା ସୋମବାର ଓମାରଙ୍କୁ ସରକାର ଗଠନ ଲାଗି ନିମନ୍ତ୍ରଣ କରିଛନ୍ତି।

 ନିମନ୍ତ୍ରଣ ଅନୁଯାୟୀ ବୁଧବାର ପୂର୍ବାହ୍ନ ୧୧ଟା ୩୦ ମିନିଟ୍‌ରେ ଓମାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ସରକାର ଗଠନ ପାଇଁ ଉପରାଜ୍ୟପାଳଙ୍କ ନିମନ୍ତ୍ରଣ ପତ୍ରକୁ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରିଛନ୍ତି। ଉପରାଜ୍ୟପାଳ ତାଙ୍କ ପ୍ରମୁଖ ସଚିବଙ୍କ ମାଧ୍ୟମରେ ସରକାର ଗଠନ ନିମନ୍ତ୍ରଣ ପତ୍ର ଓମାରଙ୍କ ନିକଟକୁ ପଠାଇଥିଲେ। ୨୦୧୭ ଜୁନ୍‌ରୁ ଜାମ୍ମୁ-କାଶ୍ମୀରରେ କେନ୍ଦ୍ରୀୟ ଶାସନ ଜାରି ରହିଥିଲା। ମେହବୁବା ମୁଫତିଙ୍କ ନେତୃତ୍ବ ସରକାରରୁ ବିଜେପି ସମର୍ଥନ ପ୍ରତ୍ୟାହାର ପରେ ଜାମ୍ମୁ-କାଶ୍ମୀର ସରକାର ଭାଙ୍ଗି ଯାଇଥିଲା। ଫଳରେ ରାଜ୍ୟରେ କେନ୍ଦ୍ରୀୟ ଶାସନ ଜାରି ହୋଇଥିଲା। ଏହା ପରେ ୨୦୧୯​‌ ଅଗଷ୍ଟ ୫ରେ ଜାମ୍ମୁ-କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ କରାଯିବା ସହ ରାଜ୍ୟକୁ ପୁନର୍ଗଠନ କରାଯାଇ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରାଯାଇଥିଲା।