କାନାଡା ସହ ବଢିଲା ତିକ୍ତତା , ହାଇକମିଶନରଙ୍କୁ ଫେରାଇ ଆଣିଲା ଭାରତ

ାା ଏଜେନ୍ସି ।ା ନୂଆଦିଲ୍ଲୀ: ଭାରତ ଓ କାନାଡା ମଧ୍ୟରେ ଆରମ୍ଭ ହୋଇଥିବା ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି । ବିବାଦକୁ ଦୃଷ୍ଟିରେ ରଖି ଆଜି ଭାରତ ସରକାର କାନାଡାରେ ଅବସ୍ଥାପିତ ହାଇକମିଶନର ସଞ୍ଜୟ କୁମାର ବର୍ମା ଓ ଅନ୍ୟ କୂଟନୀତିକ ଅଧିକାରୀଙ୍କୁ ଫେରାଇ ଆଣିଛନ୍ତି ।
ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନଜାରର ହତ୍ୟାକାଣ୍ଡକୁ ନେଇ ଭାରତ ଓ କାନାଡା ମଧ୍ୟରେ ତିକ୍ତତା ଆରମ୍ଭ ହୋଇଥିଲା । କାନାଡାରେ ଏହାର ତଦନ୍ତ ଚାଲିଥିବା ବେଳେ ଭାରତୀୟ ହାଇକମିଶନ ଓ ଅନ୍ୟ କୂଟନୀତିକ ଅଧିକାରୀମାନେ ସମ୍ଭବତଃ ହତ୍ୟାକାଣ୍ଡରେ ସାମିଲ ଥିବା କାନାଡା ପକ୍ଷରୁ ଅଭିଯୋଗ ହୋଇଥିଲା । ବାସ ଏହାକୁ ଭାରତ କଡା ବିରୋଧ କରିଛି । ଏହାପୂର୍ବରୁ ଭାରତରେ ଅବସ୍ଥାପିତ କାନାଡାର ଚାର୍ଜ-ଡି-ଆଫାୟାର୍ସକୁ ନୂଆଦିଲ୍ଲୀ ପକ୍ଷରୁ ସମନ କରାଯାଇଥିଲା । ତାଙ୍କୁ ବୈଦେଶିକ ସଚିବ ଡାକିବା ସହ କାନାଡାରେ ଭାରତର ହାଇକମିଶନର ଓ କୂଟନୀତିକ ଅଧିକାରୀଙ୍କୁ ଅଯଥାରେ ବିବାଦ ମଧ୍ୟକୁ ଟାଣିବା ଆଦୌ ଗ୍ରହଣୀୟ ନୁହେଁ ବୋଲି କହିଥିଲେ । କାନାଡାର କ୍ଷମତାସୀନ ଜଷ୍ଟିନ ଟ୍ରୁଡୋ ସରକାର ବିଦ୍ରୋହୀ ଓ ହିଂସାତ୍ମକ ପରିବେଶକୁ ସୁରକ୍ଷା ଦେବା ଭଳି କାମରେ ଲିପ୍ତ ରହିଛନ୍ତି । 
ଆମର ବର୍ତ୍ତମାନ କାନାଡାର କ୍ଷମତାସୀନ ସରକାର ଉପରେ କୌଣସି ପ୍ରକାରର ଭରସା ନାହିଁ । ସେମାନେ ଆମ ଅଧିକାରୀମାନଙ୍କ ସୁରକ୍ଷାକୁ ନିଶ୍ଚିତ କରିବେ ବୋଲି କୌଣସି ଗ୍ୟାରେଣ୍ଟୀ ନାହିଁ । ତେଣୁ ଭାରତ ସରକାର କାନାଡାରେ ଥିବା ହାଇକମିଶନ ଓ ଅନ୍ୟ ଅଧିକାରୀମାନଙ୍କୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଥିବା ନୂଆଦିଲ୍ଲୀ ପକ୍ଷରୁ କୁହାଯାଇଛି ।