BSKY କାର୍ଡ ଚାଲୁ ରହିଛି: ସ୍ୱାସ୍ଥ୍ୟ ବିଭାଗ
BSKY କାର୍ଡକୁ ନେଇ ସ୍ୱାସ୍ଥ୍ୟ ବିଭାଗ ଦେଇଛି ଗୁରୁତ୍ୱପୂର୍ଣ୍ଣ ସୂଚନା। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଚାଲୁ ରହିଛି ଏବଂ ଘରୋଇ ହସ୍ପିଟାଲ ସହ ହୋଇଥିବା ଚୁକ୍ତି ବା ଏମ୍ଓୟୁ ବଳବତ୍ତର ଥିବା ସ୍ପଷ୍ଟ କରିଛି ସ୍ୱାସ୍ଥ୍ୟ ବିଭାଗ। ଯେଉଁମାନଙ୍କର କାର୍ଡ ଅଛି, ସେମାନଙ୍କୁ ତାଲିକାଭୁକ୍ତ ହସ୍ପିଟାଲଗୁଡ଼ିକ ପୂର୍ବଭଳି ଚିକିତ୍ସା ସେବା ଯୋଗାଇ ଦିଅନ୍ତୁ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଚିକିତ୍ସା ବାବଦକୁ ହସ୍ପିଟାଲ୍ଗୁଡ଼ିକ ଯେଉଁ ବିଲ୍ ଦେବେ ପୂର୍ବଭଳି SHAS ମାଧ୍ୟମରେ ଅର୍ଥ ପାଇବେ। ରୋଗୀମାନେ ଯେପରି ଚିକିତ୍ସା ସେବା ପାଇବାରେ କୌଣସି ପ୍ରକାର ସମସ୍ୟାର ସମ୍ମୁଖୀନ ନହେବେ, ତାହା ସୁନିଶ୍ଚିତ କରିବାକୁ ସ୍ୱାସ୍ଥ୍ୟ ବିଭାଗ ହସ୍ପିଟାଲ୍ଗୁଡ଼ିକୁ କହିଛନ୍ତି।
ରାଜ୍ୟରେ ସରକାର ବଦଳୁଥିବା ଦେଖି BSKY କାର୍ଡ କାମ କରିବନି କହି କିଛି ଘରୋଇ ହସ୍ପିଟାଲ ରୋଗୀମାନଙ୍କୁ ଫେରାଇ ଦେଉଥିବା ଅଭିଯୋଗ ହୋଇଥିଲା। ରୋଗୀମାନଙ୍କୁ ନିଜ ଖର୍ଚ୍ଚରେ ଚିକିତ୍ସା ପାଇଁ ଘରୋଇ ମେଡିକାଲଗୁଡ଼ିକ କହୁଥିବା କିଛି ରୋଗୀ ଅଭିଯୋଗ କରିଥିଲେ। ଗଣମାଧ୍ୟମରେ ଏଭଳି ଖବର ଆସିଥିଲା। ସୋଶାଲ ମିଡିଆରେ ଏହାକୁ ନେଇ ଅନେକ ଖବର ଆସିଥିଲା। ଫଳରେ ସାଧାରଣ ଲୋକଙ୍କ ମନରେ ମଧ୍ୟ ଧାରଣା ସୃଷ୍ଟି ହୋଇଯାଇଥିଲା ଯେ BSKY ବନ୍ଦ ହୋଇଗଲା।
ଅପରପକ୍ଷେ ଏହି ଖବର ସାମ୍ନାକୁ ଆସିବା ପରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କଡ଼ା ପ୍ରତିକ୍ରିୟା ରଖି କହିଥିଲେ, କାର୍ଡ ବନ୍ଦ ନାଁରେ ସ୍ୱାସ୍ଥ୍ୟସେବା ଅବହେଳା ସାମାଜିକ ଅପରାଧ। ସାଧାରଣ ନାଗରିକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବା ପ୍ରତି ସରକାରଙ୍କ ପ୍ରାଥମିକତା। ସରକାର ପରିବର୍ତ୍ତନ ଏକ ନିରନ୍ତର ପ୍ରକ୍ରିୟା। BSKY କାର୍ଡକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି କରାନଯାଉ ବୋଲି ସେ କହିଥିଲେ। ମନମୋହନ ସାମଲଙ୍କ ଏହି ପ୍ରତିକ୍ରିୟା ଆସିବା ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ BSKY ନେଇ ସ୍ୱାସ୍ଥ୍ୟ ବିଭାଗସ୍ପଷ୍ଟୀକରଣ ରଖିଛି ।