ସୁଖ ଓ ଶାନ୍ତି
ଅନେକ ଜାଣନ୍ତି ନାହିଁ ପ୍ରକୃତ ସୁଖ କ'ଣ ? ମଣିଷକୁ ସୁଖୀ କରିବା ଲାଗି ସନ୍ଥ, ମହାତ୍ମାମାନେ ମାର୍ଗ ଦେଖାଉଛନ୍ତି ସତ, ବାସ୍ତବ ଜୀବନରେ କେତେ ଜଣ ସୁଖୀ ! ଏମିତି ଖୁବ୍ କମ୍ ଲୋକ ଅଛନ୍ତି ଯେଉଁମାନେ ଏହି ଅଳିକ ଓ ଅସ୍ଥାୟୀ ଜିନିଷର ଊଦ୍ଧ୍ୱର୍ ସ୍ଥିତି କିମ୍ବା ପ୍ରକୃତ ସୁଖକର ସ୍ଥିତି ବିଷୟରେ ଜାଣନ୍ତି । ସୁଖ ସାଧାରଣତଃ ଏକ ଇନ୍ଦ୍ରିୟ ଅନୁଭବ । ପଥର ପରି ଯାହାର କୌଣସି ଇନ୍ଦି୍ରୟ ନାହିଁ ସେ ସୁଖ-ଦୁଃଖ ଅନୁଭବ କରିପାରେ ନାହିଁ । ଉଚ୍ଚତର ଚେତନାର ଜୀବ ନୀଚତର ଚେତନାର ଜୀବ ଅପେକ୍ଷା ସୁଖ ଓ ଦୁଃଖକୁ ଅଧିକ ଅନୁଭବ କରିପାରେ । ବୃକ୍ଷର ଚେତନା ନିମ୍ନ ସ୍ତରର । ବୃକ୍ଷ ଖରା, ବର୍ଷା, ଶୀତ ସହି ଛିଡ଼ାହୋଇପାରେ; ଯାହା ଉଚ୍ଚତର ଚେତନାର ଜୀବ ମଣିଷ ପାଇଁ ଅସମ୍ଭବ । ପ୍ରତ୍ୟେକ ଜୀବନ, ଚେତନାର ସ୍ତର ଅନୁଯାୟୀ ସୁଖ-ଦୁଃଖ ଅନୁଭବ କରେ । ତେବେ ଭୌତିକ ବ୍ରହ୍ମାଣ୍ଡର ସୁଖ, ପ୍ରକୃତ ସୁଖ ନୁହେଁ । ପ୍ରକୃତ ସୁଖ ହେଉଛି, ଯାହା ଆତ୍ମା ଅନୁଭବ କରେ । ଦିବ୍ୟ ଚେତନା ଓ ଦିବ୍ୟ ଇନ୍ଦ୍ରିୟ ମାଧ୍ୟମରେ ଏହା ଅନୁଭବ କରାଯାଇପାରେ । ଭଗବାନ ଶ୍ରୀ ସତ୍ୟସାଇ ତାଙ୍କ ଦିବ୍ୟ ସମ୍ଭାଷଣରେ ଆମ୍ଭ ମାନଙ୍କୁ ମାର୍ଗ ଦର୍ଶନ କରି ଉଲ୍ଲେଖ କରିଛନ୍ତି "ଶାନ୍ତି ଏକ ଦିବ୍ୟବସ୍ତୁ । ଶାନ୍ତି ହେଉଛି ଆତ୍ମାର ଗୋଟିଏ ବିଭବ ।' ଲୋଭୀ ଲୋକ ନିକଟରେ ଶାନ୍ତି ରହେ ନାହିଁ । ଶାନ୍ତି ଅବସ୍ଥାନ କରେ ସେମାନଙ୍କ ନିକଟରେ, ଯେଉଁମାନଙ୍କର ହୃଦୟ ପବିତ୍ର । ଶାନ୍ତି କାମୁକ ମାନଙ୍କୁ ପରିତ୍ୟାଗ କରେ; ସ୍ୱାର୍ଥପରମାନଙ୍କୁ ଉପେକ୍ଷା କରେ । ଶାନ୍ତି ହେଉଛି ପରମହଂସଙ୍କର ଏକ ଭୂଷଣ । ଶାନ୍ତି ହେଉଛି ଏକ ସୁସ୍ଥିର ସ୍ଥିତି ଯେଉଁଥିରେ କି ବିଶୃଙ୍ଖଳା, ବ୍ୟସ୍ତତା, ବ୍ୟାକୁଳତା, ଦ୍ୱନ୍ଦ୍ୱ, ଆନେ୍ଦାଳନ ଓ ହିଂସା ଇତ୍ୟାଦିକୁ ଅବ୍ୟାହିତ ମିଳେ, ମୁକ୍ତି ମିଳେ । ଶାନ୍ତି ହେଉଛି ମଧୁରତା, ନିରବତା, ନିଶ୍ଚଳତା, ବିଶ୍ରାନ୍ତି, ସୁପ୍ତି । ବିଶେଷତଃ ଏହା ସଂଗ୍ରାମ ବା ଯୁଦ୍ଧର ବିରତିକୁ ବୁଝାଇଥାଏ । ଆପଣଙ୍କ ପାଇଁ ଅନ୍ୟ କେହି ଶାନ୍ତି ଆଣି ଦେଇପାରିବେ ନାହିଁ; ଆଣିପାରିବେ କେବଳ ଆପଣ ନିଜେ, କେବଳ ନିଜ ଉପରେ ବିଜୟ ଲାଭ କଲେ ହିଁ, କେବଳ ଇନ୍ଦି୍ରୟ ଓ ମନ, କାମନା ଓ ଲାଳସା ଉପରେ ବିଜୟ ଲାଭ କଲେ ହିଁ ଆପଣ ଶାନ୍ତି ପାଇପାରିବେ । ଅନ୍ୟ କୌଣସି ଉପାୟରେ ଶାନ୍ତି ପାଇବେ ନାହିଁ । ନିଜ ଅନ୍ତରରେ ଯଦି ଶାନ୍ତି ନାହିଁ, ତେବେ ବାହ୍ୟ ବସ୍ତୁରେ, ବାହ୍ୟ ଜଗତରେ ଶାନ୍ତି ଖୋଜି ବୁଲିବା ବୃଥା ପ୍ରୟାସ ମାତ୍ର । ଭଗବାନ ଶ୍ରୀ ସତ୍ୟସାଇ ସୁଖ ଓ ଶାନ୍ତି ସମ୍ପର୍କରେ ଆଲୋକପାତ କରି ତାଙ୍କ ଦିବ୍ୟସମ୍ଭାଷଣରେ ଉଲ୍ଲେଖ କରିଛନ୍ତି "ଗଠନମୂଳକ ଶାନ୍ତି, ସ୍ଥାୟୀ ଶାନ୍ତି କେବଳ ଈଶ୍ୱରୋପାସନାରୁ ଲାଭ କରାଯାଇପାରେ । ଈଶ୍ୱରଙ୍କୁ ପରିତ୍ୟାଗ କରିଦେଲେ, ଶାନ୍ତି ମିଳିବ ନାହିଁ । ଈଶ୍ୱର ହିଁ ଶାନ୍ତି ।' ସେହି ପରମ ଶାନ୍ତିର ନିଧାନ ଈଶ୍ୱରଙ୍କ ପାଦରେ ଲାଗିଯାଆନ୍ତୁ । ଆପଣ ଶାନ୍ତି ବିକିରଣ କରିବାକୁ ସମର୍ଥ ହୋଇଯିବେ ।
କିଶୋର କୁମାର ଜେନା,ମୋ: ୭୩୨୫୯୦୪୯୨୭