ସହରୀ ଜଙ୍ଗଲର ଦୁଃଖ
ଜନସଂଖ୍ୟା ବୃଦ୍ଧି ସହିତ ଜଙ୍ଗଲ ଧ୍ୱଂସର ପ୍ରତ୍ୟକ୍ଷ ସମ୍ପର୍କ ଅଛି । ଜନସଂଖ୍ୟା ବୃଦ୍ଧିକୁ ନେଇ ବାସଗୃହର ଚାହିଦା ବଢୁଛି । ସେଥିପାଇଁ ଜଙ୍ଗଲ ଉପରେ ସିଧାସଳଖ ଚାପ ପଡୁଛି । ଏ କ୍ଷେତ୍ରରେ ସହର ମଧ୍ୟରେ ଥିବା ଗଛଗୁଡ଼ିକ ନିରାପଦ ବୋଲି ଭାବିବା ସବୁଠାରୁ ବଡ଼ଭୁଲ୍ । କାରଣ ଜଙ୍ଗଲରେ ଥିବା ଗଛ ଲୁଛାଛପାରେ କଟାହୁଏ । ହେଲେ ସହରର ଗଛ ସବୁ ଦିନ ଦି'ପହରେ ସମସ୍ତଙ୍କ ଆଖି ଆଗରେ କଟାହୁଏ । ଯେକୌଣସି ପ୍ରକାରର ଉନ୍ନୟନମୂଳକ କାର୍ଯ୍ୟ ନାଁରେ ମନଇଚ୍ଛା ଗଛ କଟାଯିବା କେବଳ ସହରାଞ୍ଚଳରେ ହିଁ ଦେଖାଯାଏ । କାରଣ ଏଠାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଗୁଡ଼ିକ ମଧ୍ୟରେ ସମନ୍ୱୟ ନଥାଏ । ରାସ୍ତା ତିଆରି ସରିବା ପରେ ଅନ୍ୟ କୌଣସି କାମ ପାଇଁ ନୂଆରାସ୍ତାକୁ ଖୋଲି ଦିଆଯାଏ । ନୂଆଡ୍ରେନ୍ ତିଆରି ନାଁରେ ଅନାବଶ୍ୟକ ଭାବେ ଗଛ କାଟି ଦିଆଯାଏ । ବିଜୁଳି ତାର ଲାଗୁଥିବା ଗଛକୁ କଟାଯାଏ । ଏପରିକି ଡ଼ବଲ୍ଡ଼େକର୍ ଉଚ୍ଚ ଉଚ୍ଚ ଯାତ୍ରୀବାହୀ ବସ୍ ଯିବା ପାଇଁ ଗଛ କଟାଯାଏ । ରାସ୍ତା ଚଉଡ଼ା ହେଲେ ଗଛ କଟାଯାଏ । ଏହିଭଳି ଅନେକ କିଛି ଉନ୍ନୟନମୂଳକ ନାଁନେଇ ନିର୍ବିଚାରରେ ଗଛ କଟାଯିବା କେବଳ ସହରାଞ୍ଚଳରେ ହିଁ ଦେଖାଯାଏ । ତେଣୁ ଜଙ୍ଗଲର ଗଛ ଅପେକ୍ଷା ସହରରେ ଥିବା ଗଛଗୁଡ଼ିକ ବେଶୀ ଅସୁରକ୍ଷିତ । ବିଭିନ୍ନ ଯୋଜନା ନାମରେ ଗଛଗୁଡ଼ିକ ବଳି ପଡ଼ନ୍ତି ।
ଏବେ ରାଜଧାନୀ ଭୁବନେଶ୍ୱର ଦିନକୁ ଦିନ ଉତ୍ତପ୍ତ ହେବାରେ ଲାଗିଛି । ଏହାର ମୂଳକାରଣ ହେଲା ରାସ୍ତାର ଅନାବଶ୍ୟକ ଚଉଡ଼ା ଏବଂ ମନଇଚ୍ଛା ଗଛ କଟା । ଗୃହନିର୍ମାଣ କ୍ଷେତ୍ରରେ ମଧ୍ୟ ବ୍ୟକ୍ତିଗତ ପ୍ଲଟ୍ଉପରେ ଥିବା ଗଛ କେଉଁ ମୁହୂର୍ତ୍ତରେ କଟାଯିବ ତାହାର ଠିକଣା ନାହିଁ । ଏ କ୍ଷେତ୍ରରେ ସବୁଠାରୁ ବଡ଼ ଦୁଃଖହେଲା କଟା ଯାଉଥିବା ଗଛଗୁଡ଼ିକ ମଧ୍ୟରେ ଅଧିକାଂଶ ଗଛ ହେଉଛି ଶହଶହ ବର୍ଷର ଦ୍ରୁମ । କଟା ଯାଉଥିବା ଗଛ ବଦଳରେ କନିଅର, ଚାଇନାଟଗର ଭଳି ଗଛ ଲଗାଯାଉଛି । ରାସ୍ତା କଡ଼ରେ ଲଗାଯାଉଥିବା ଏହିଗଛ ଗୁଡ଼ିକୁ ୩ ଫୁଟ୍ରୁ ଅଧିକ ଉଚ୍ଚା କରିବାକୁ ଦିଆଯାଉନାହିଁ । କଟା ଯାଉଥିବା ଗଛଗୁଡ଼ିକ ପରିବେଶ ପାଇଁ ଉପଯୋଗୀ ଥିଲେ । ଅନ୍ୟପକ୍ଷରେ ଲଗାଯାଉଥିବା ଗଛ ସବୁ ଆଳଙ୍କାରିକ ଗଛ । ପରିବେଶ ପାଇଁ ଦ୍ରୁମ ଗୁଡ଼ିକର ରହିଥିବା ଅବଦାନ ଆଳଙ୍କାରିକ ଗଛରୁ ମିଳିବ ନାହିଁ । ପରିବେଶ ପାଇଁ ସବୁଠାରୁ ବଡ଼ ଆବଶ୍ୟକତା ହେଲା ପ୍ରଚଣ୍ଡ ସୂର୍ଯ୍ୟତାପରୁ ଭୂମିକୁ ଛାଇ କରି ରଖିବା । ଆଳଙ୍କାରିକ ବୃକ୍ଷଗୁଡ଼ିକଠାରୁ ଏପ୍ରକାର ଉପକାର ମିଳିବ ନାହିଁ ।
ବର୍ତ୍ତମାନ ସହରାଞ୍ଚଳର ଡ଼ିଭାଇଡ଼ର୍ ଗୁଡ଼ିକରେ ଲତା ଜାତୀୟ ଗଛ ଲଗାଯାଇ ଛାଇ ସୃଷ୍ଟି କରାଯିବାର ଆବଶ୍ୟକତା ଅଛି । ଆହୁରି ମଧ୍ୟ ଡ଼ିଭାଇଡ଼ର୍ ଗୁଡ଼ିକରେ ଆମ୍ବ, ପଣସ, ବେଲ ଭଳି ବହୁମୁଖୀ ବୃକ୍ଷ ଲଗାଇବା ସମୟର ଆହ୍ୱାନ ଓ ଆବଶ୍ୟକତା । କେତେକ ସ୍ଥାନରେ ଚାକୁଣ୍ଡା ଭଳି ଗଛ ସବୁ ଲଗାଯାଇଛି । ଏହିଗଛ ଗୁଡ଼ିକ ଖୁବ୍ଶୀଘ୍ର ବଢୁଛି ସତ, ମାତ୍ର ସାମାନ୍ୟ ପବନରେ ଉପୁଡ଼ି ଯାଉଛି । ତେଣୁ ବାତ୍ୟା ସହନକାରୀ ଗଛ ମଧ୍ୟ ଲଗାଯିବା ନିହାତି ଜରୁରୀ । ତାଳ, ଖଜୁରୀ ଭଳି ଗଛ ବହୁ ବିଳମ୍ବରେ ବଢ଼େ । ତେଣୁ ସେପ୍ରକାର ବୃକ୍ଷକୁ ଦୀର୍ଘକାଳୀନ ଯୋଜନା ସ୍ଥାନରେ ଲଗାଯିବା ଉଚିତ । ଅନାବଶ୍ୟକ ଭାବେକଟା ଯାଉଥିବା ଗଛ ପାଇଁ ଦାୟୀବ୍ୟକ୍ତିକୁ ଦଣ୍ଡିତକରାଯିବା ଆବଶ୍ୟକ । ମୋଟ ଉପରେ ବୃକ୍ଷରୋପଣକୁ ଏକ ପ୍ରହସନ ଉଦେ୍ଦଶ୍ୟରେ ନକରି ଆବଶ୍ୟକତାକୁ ପୂରଣ କରିବା ଉଦେ୍ଦଶ୍ୟରେ ହେବା ଉଚିତ । ଜଙ୍ଗଲରେ ଥିବା ଗଛର ତତ୍ତ୍ୱାବଧାରକ ହେଉଛି ଜଙ୍ଗଲ ବିଭାଗ, ମାତ୍ର ସହରାଞ୍ଚଳରେ ଥିବା ଗଛର କେହି ତତ୍ତ୍ୱାବଧାରକ ଥିବାଭଳି ମନେ ହୁଏ ନାହିଁ । ଜଙ୍ଗଲବିଭାଗ ନାମକୁ ମାତ୍ର ତତ୍ତ୍ୱାବଧାରକ ରହିଥିଲେ ମଧ୍ୟ ବିଭିନ୍ନ ସରକାରୀ ବିଭାଗ ରାସ୍ତାକଡ଼ର ଗଛକୁ ଜଙ୍ଗଲ ବିଭାଗରବିନା ଅନୁମତିରେ କାଟି ଦେଉଛନ୍ତି । ଅନ୍ତତଃପକ୍ଷେ ସହର ଭିତରେ ଛୋଟଛୋଟ ଗଛର ଚାରାରୋପଣ ନକରି ବୃକ୍ଷଚାରାରୋପଣ କରିବା ଉଚିତ । ବୃକ୍ଷ ଚାରାରୋପଣ କଲେ ଶେଷକୁ ବହୁମୁଖୀ ଉଦେ୍ଦଶ୍ୟ ସାଧନ ହୋଇପାରିବ । ପରିବେଶ ପାଇଁ ଅମ୍ଳଜାନ, ମାଟି ପାଇଁଛାଇ ଆଦି ପ୍ରଦାନ କରିପାରୁଥିବା ବୃକ୍ଷ ହିଁ ପ୍ରକୃତରେ ବିଗୁଡୁଥିବା ପରିବେଶକୁ ସୁରକ୍ଷିତ ରଖିପାରିବ ।