ବିଶ୍ୱ ରେଡକ୍ରସ ଦିବସ

ଡା.ରାମ ପ୍ରସାଦ ରାୟ : ଅନ୍ୟ ମାନଙ୍କ ପ୍ରତି ସଦୟ ଭାବ ପୋଷଣ କରିବା ତଥା ଅନ୍ୟ ମାନଙ୍କର ଉପକାର କରିବା ମନୋଭାବକୁ ଦାନଶୀଳତା ବୋଲାଯାଏ । ଦାନ ହିଁ ବିଶ୍ୱ ପ୍ରେମ । ଦରିଦ୍ର୍ୟ ଅଭାବୀ ଓ ଅସହାୟ ମାନଙ୍କ ପ୍ରତି ଉଦାରତାର ଅନ୍ୟ ନାମ ଦାନ । ବ୍ୟାପକ ଅର୍ଥରେ ଦାନ, ପ୍ରେମ, ବଦାନ୍ୟତା ଓ ସଦ୍ଭାବନାକୁ ବୁଝାଏ । ବ୍ରହ୍ମଦର୍ଶୀ ମାନଙ୍କ ଦୃଷ୍ଟିରୁ ମାନବ ସମାଜ ପ୍ରତି ସାର୍ବଜନୀନ ସଦ୍ଭାବନା ଓ ପରମାତ୍ମକାଙ୍କ ପ୍ରତି ବିଶୁଦ୍ଧତମ ଭକ୍ତିକୁ ଦାନ ବୋଲାଯାଏ । ପ୍ରଶଂସା, ପୁରସ୍କାର ଓ ପାରିଶ୍ରମିକ ପାଇବାର ସମସ୍ତ ଭାବନା ଦୂର କରିଦେଇ ଅନ୍ୟର ମଙ୍ଗଳ ବିଧାନରେ ଆତ୍ମନିଯୋଗ କରିବାର ଆକାଂକ୍ଷା ହିଁ ପ୍ରକୃତ ଦାନ । ପ୍ରେମ କ୍ରିୟାଶୀଳ ହେଲେ ଦାନର ରୂପ ଧାରଣ କରେ । ଆଗେ ଘର, ପଛେ ପର । ଦାନ ପ୍ରଥମେ ଘରେ ଆରମ୍ଭ ହୁଏ, କିନ୍ତୁ ଏହା ଦୂରକୁ ପ୍ରସାରିତ ହେବା ଉଚିତ । ସମଗ୍ର ଜଗତଟା ତ ଆପଣଙ୍କ ଘର, ଆପଣ ଏହି ବିଶ୍ୱର ଜଣେ ନାଗରିକ । ତେଣୁ ଜଗତର ପ୍ରତ୍ୟେକର ଉପକାର କରିବା ପାଇଁ ବଦାନ୍ୟ ମନୋଭାବ ପୋଷଣ କରନ୍ତୁ । 
ଆଜି ବିଶ୍ୱ ରେଡକ୍ରସ ଦିବସ  । ପ୍ରତି ବର୍ଷ ମେ ୮ ତାରିଖରେ ସାରା ବିଶ୍ୱରେ ପାଳନ କରାଯାଏ ବିଶ୍ୱ ରେଡକ୍ରସ ଆଣ୍ଡ ରେଡକ୍ରସ ଡେ ଦିବସ । ୧୮୨୮ ମେ ଏହି ଦିନରେ ଜନ୍ମ ହୋଇଥିଲେ ଇଣ୍ଟରନେସ୍ନାଲ କମିଟି ଅଫ ଦ ରେଡକ୍ରସର ପ୍ରତିଷ୍ଠାତା ହେନରି ଡୁନାଣ୍ଟ । ମାନବ ଜାତିକୁ ରେଡକ୍ରସ ଭଳି ଏକ ମହାନ ଅନୁଷ୍ଠାନର ଦାନ ପାଇଁ ତାଙ୍କୁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଥିଲା । ସେ ବିଶ୍ୱର ପ୍ରଥମ ନୋବେଲ ଶାନ୍ତି ପୁରସ୍କାର ବିଜେତା । ୧୯୪୮ରେ ପ୍ରଥମ ବିଶ୍ୱ ରେଡକ୍ରସ ଦିବସ ପାଳନ କରାଯାଇଥିଲା । ୧୯୮୪ରୁ ଏହାକୁ ବିଶ୍ୱ ରେଡକ୍ରସ ଆଣ୍ଡ ରେଡକ୍ରସ ଡେ ଦିବସ ଭାବେ ପାଳନ କରାଯାଉଛି । ରକ୍ତଦାନ ଦ୍ୱାରା ସାମାଜିକ ସେବା ଦାୟିତ୍ୱବୋଧତାର ଅଙ୍ଗୀକାରତାକୁ ସମାଜରେ ଦିଗ୍ଦର୍ଶନ ଦେବା ପାଇଁ ଯେଉଁ ମହାନ କ୍ରାନ୍ତୀଦର୍ଶୀ ଏହି ଦିବସଟିକୁ ସ୍ମରଣୀୟ କରିଥିଲେ ତାଙ୍କରି ପାଇଁ ବିଶ୍ୱ ରେଡକ୍ରସ ଦିବସର ମହତ୍ତ୍ୱ ଅନୁରଣିତ ହେଉଛି  । ବାସ୍ତବିକ ରକ୍ତ ଏପରି ଏକ ସୃଷ୍ଟିର ଅନବଦ୍ୟ ଶ୍ରେଷ୍ଠତା ଯାହାର ବିକଳ୍ପ ନାହିଁ । ଅନେକ କ୍ଷେତ୍ରରେ ଦେଖାଯାଏ ଏହି ରକ୍ତଟି ପାଇଁ ଅଭାବନୀୟ ଭାବରେ ଜଣଙ୍କର ଜୀବନ ଦୀପ ଅକାଳରେ ଚାଲିଯାଇଥାଏ । ପ୍ରତ୍ୟେକ ସୁସ୍ଥ ସବଳ ପ୍ରାପ୍ତ ବୟସ୍କ ମଣିଷ ଶରୀରରେ ପ୍ରାୟ ୧୦ ୟୁନିଟ୍ ବା ୧୦ ପିଣ୍ଟ ରକ୍ତ ଥାଏ  । ସେ ଚାହିଁଲେ ପ୍ରତି ୫୬ ଦିନରେ ଥରେ ମାତ୍ର ୧ ପିଣ୍ଟ ରକ୍ତଦାନ କରିପାରେ  । ଉଲ୍ଲେଖଯୋଗ୍ୟ ଯେ ହୃଦୟର ଶଲ୍ୟ ଚିକିତ୍ସା ବା ହାର୍ଟ ସର୍ଜରୀ ବେଳେ ୬ ପିଣ୍ଟ ରକ୍ତ, ଅସ୍ଥିମଜ୍ଜା ପ୍ରତିରୋପଣ ବେଳେ ୧୨୦ ପିଣ୍ଟ ରକ୍ତ ଏବଂ ଅଙ୍ଗ ପ୍ରତିରୋପଣ ବେଳେ ୪୦ ପିଣ୍ଟ ରକ୍ତ ଆବଶ୍ୟକ ହୋଇଥାଏ  । ତା'ଛଡ଼ା ସଡ଼କ ଦୁର୍ଘଟଣା ଓ ଅଗ୍ନି ଦ୍ୱାରା ଗୁରୁତର ଆହତ ହେଉଥିବା ଲୋକଙ୍କ ପାଇଁ ମଧ୍ୟ ୫୦ ପିଣ୍ଟ ପର୍ଯ୍ୟନ୍ତ ରକ୍ତ ଦରକାର ହୋଇଥାଏ  । ରକ୍ତଦାନ ସମ୍ପର୍କରେ ରକ୍ତଦାତା ଓ ରକ୍ତ ନେଉଥିବା ଲୋକଙ୍କ ଭିତରେ ଅନେକ ଭୁଲ ଧାରଣା ଓ ଅନ୍ଧବିଶ୍ୱାସ ରହିଥାଏ  । ି ନିୟମିତ ରକ୍ତଦାନ କରିବା ଦ୍ୱାରା ଶରୀରରୁ ଚର୍ବିର ଅଂଶ କମ୍ ହୋଇଯିବା ସହ ହୃଦରୋଗ ଓ ଉଚ୍ଚରକ୍ତଚାପର ସମ୍ବାବନା ହ୍ରାସ ପାଇଥାଏ  । ସେହିପରି ରକ୍ତଦାନ କରିବାବେଳେ ରକ୍ତଦାତାର ରକ୍ତପରୀକ୍ଷା ହେଉଥିବାରୁ ଏହା ଦ୍ୱାରା ହେପାଟାଇଟିସ୍, ମ୍ୟାଲେରିଆ, ଡାଇବେଟିସ ଓ ଏଚ୍ଆଇଭି ପରି ବିଭିନ୍ନ ରୋଗ ସମ୍ପର୍କରେ ପରୀକ୍ଷାରୁ ସୂଚନା ମିଳିଥାଏ  ।  ଆହୁରି ମଧ୍ୟ ପ୍ରକାଶ ଯେ, ପ୍ରତି ବର୍ଷ କେବଳ ଭାରତରେ ଆବଶ୍ୟକ ହୁଏ ୪ କୋଟି ପିଣ୍ଟ ରକ୍ତ  । ତେବେ ସଂଗୃହୀତ ହୁଏ ମାତ୍ର ୪୦ ଲକ୍ଷ ପିଣ୍ଟ  । ଏଠାରେ ପ୍ରତି ଦୁଇ ସେକେଣ୍ଡରେ କେହି ନା କେହି ଜଣେ ରକ୍ତ ଦରକାର କରିଥାଏ  । ଏଣୁ ପ୍ରତିଦିନ ୩୮୦୦୦ ମଣିଷ ରକ୍ତଦାନ କରିବା ଆବଶ୍ୟକ  । ରକ୍ତଦାନ କଲେ କୌଣସି କ୍ଷତି ହୁଏନାହିଁ  । କେବଳ ରକ୍ତଦାତାଙ୍କର ଲାଭ ହିଁ ହୋଇଥାଏ  । ଜଣେ ଯଦି ୧୮ ବର୍ଷରୁ ରକ୍ତଦାନ ଆରମ୍ଭ କରେ ଏବଂ ପ୍ରତି ୯୦ ଦିନରେ ଥରେ ରକ୍ତ ଦେଇଚାଲେ, ସେ ଷାଠିଏ ବର୍ଷରେ ପହଞ୍ଚôବା ବେଳକୁ ୩୦ ଗ୍ୟାଲେନ୍ ରକ୍ତ ଦେଇଥାଏ  । ଯାହାଦ୍ୱାରା କି ଅନୂ୍ୟନ ୫୦୦ ଲୋକଙ୍କ ଜୀବନରକ୍ଷା ସଂଭବ  । ସ୍ୱେଚ୍ଛାକୃତ ରକ୍ତଦାନ ଠାରୁ ବଳି ଅନ୍ୟ କିଛି ନାହିଁ  । କୃତ୍ରିମ ରକ୍ତ ସୃଷ୍ଟି କରାଯାଇପାରିବ ନାହିଁ  । ଏଣୁ ରକ୍ତଦାନ ଜୀବନଦାନ ସହ ସମାନ ଏକ ମହତ୍ କାର୍ଯ୍ୟ  । ପ୍ରତ୍ୟେକଟି ସତକର୍ମ ଗୋଟିଏ ଗୋଟିଏ ଦାନ । ତୃଷାର୍ତ୍ତକୁ ଜଳ ଦେବା ଏକ ଦାନ । ଦୁଃଖୀ ଲୋକଙ୍କୁ ଆଶାଭରସା ଦେଇ ପଦେ କତାକହିବା ଏକ ଦାନ । ଗରିବ ଓ ରୁଗ୍ଣ ଲୋକଙ୍କୁ ଔଷଧ ପାନେ ଦେବା ଏକ ଦାନ । ରାସ୍ତାରେ ପଡ଼ିଥିବା କଣ୍ଟାଟିଏ ବା ଭଙ୍ଗାକାଚ ଖଣ୍ଡିଏ ବାହାର କରିଦେବା ମଧ୍ୟ ଏକ ଦାନ । ଅନ୍ୟ ମାନଙ୍କ ପ୍ରତି ସଦୟ ହେବା, ଶ୍ରଦ୍ଧାବାନ ହେବା ମଧ୍ୟ ଦାନ । କେହି ଯଦି ଆପଣଙ୍କର କ୍ଷତି କଲା, ତେବେ ତାଙ୍କୁ କ୍ଷମା ଦେଇ ସେ ବିଷୟ ମନରୁ ପୋଛି ଦେବା ମଧ୍ୟ ଦାନ । ଯନ୍ତ୍ରଣା ପାଉଥିବା ଲୋକକୁ ଦେଖିଦେଲେ ଆହା ବୋଲି ପଦେ କହିଦେବା ମଧ୍ୟ ଏକ ଦାନ ।
 ସେଣ୍ଟ୍ରାଲ ରେଡ଼କ୍ରସ ବ୍ଲଡ ସେଣ୍ଟର, କଟକ
 ମୋ: ୮୨୬୦୪୦୮୮୩୬