୧୯ ପର୍ୟ୍ୟନ୍ତ ପ୍ରବଳ ତାତି ଗୁଳୁଗୁଳି

ଭୁବନେଶ୍ୱର: ରାଜ୍ୟରେ କେବେ ମୌସୁମୀ ବର୍ଷା ହେବ ଓ ତାତି ଗୁଳୁଗୁଳିରୁ ମୁକ୍ତି ମିଳିବ ତାହା ସ୍ପଷ୍ଟ ହୋଇପାରୁ ନାହିଁଁ। ତେବେ ୧୯ ତାରିଖ ପର୍ୟ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ଗୁଳୁଗୁଳି ହେବ। ଯଦିଓ ଏହି ୩ ଦିନ ମଧ୍ୟରେ କିଛି କିଛି ସ୍ଥାନରେ କାଳବୈଶାଖୀ ଜନିତ ବିଜୁଳି ଘଡ଼ଘଡ଼ି ସହ ସ୍ୱଳ୍ପ ବର୍ଷା ହେବ; ମାତ୍ର ଏହା ଗୁଳୁଗୁଳିକୁ ପ୍ରଶମିତ କରିପାରିବ ନାହିଁ। ୧୭ ତାରିଖ ପରିବର୍ତ୍ତେ ୨୦ ତାରିଖରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ନିଜର ସାନି ବୁଲେଟିନ୍ରେ ସୂଚନା ଦେଇଛି।
ଚଳିତ ବର୍ଷ ମୌସୁମୀ ଜୁନ୍ ୮ ତାରିଖରେ ଓଡ଼ିଶା ଛୁଇଁଥିଲା। ସ୍ୱାଭାବିକଠାରୁ ୨-୪ ଦିନ ଆଗୁଆ ମୌସୁମୀ ଛୁଇଁଥିବା ବେଳେ ଏହା କେବଳ ମାଲକାନଗିରି ଜିଲ୍ଲାରେ ହିଁ ସୀମିତ ହୋଇ ରହିଯାଇଛି। ପ୍ରତିକୂଳ ପାଗ ଯୋଗୁଁ ମୌସୁମୀ ଆଗକୁ ବଢ଼ିପାରୁ ନ ଥିବା ବେଳେ ସାରା ରାଜ୍ୟରେ ତାତି ଓ ଗୁଳୁଗୁଳି ଜାରି ରହିଛି। ଅନ୍ୟପଟେ ମୌସୁମୀ ଓଡ଼ିଶା ଛୁଇଁବା ପରେ କେବେ ସୁଦ୍ଧା ସାରା ରାଜ୍ୟକୁ ମୌସୁମୀ ଅଗ୍ରସର ହେବ ସେନେଇ ସୂଚନା ଦିଆଯାଉଥିବା ବେଳେ ଏହାର ଗତିବିଧି ସମ୍ପର୍କରେ ସୂଚନା ଦିଆଯାଉଥିଲା। କିନ୍ତୁ ଚଳିତ ବର୍ଷ ମୌସୁମୀର ଅଗ୍ରସର ସମ୍ପର୍କରେ ବାରମ୍ବାର ମତ ବଦଳାଯାଉଥିବାରୁ ଚାଷୀମାନେ ମଧ୍ୟ ଚିନ୍ତାରେ ପଡ଼ିଛନ୍ତି। ପାଣିପାଗ କେନ୍ଦ୍ର କହିଛି ସୋମବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପ୍ରବଳ ଗୁଳୁଗୁଳି ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ଏହି ଜିଲ୍ଲାଗୁଡ଼ିକ ପାଇଁ ଉଷ୍ମ ଓ ଆର୍ଦ୍ର ପାଣିପାଗ ସ୍ଥିତି ନେଇ ଆଲର୍ଟ ଜାରି କରିଛି। ଅନ୍ୟପଟେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ମୟୂରଭଞ୍ଜ ଓ କେନ୍ଦୁଝରରେ କାଳବୈଶାଖୀ ଜନିତ ସ୍ଥିତି ନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି। ରବିବାର ରାଜ୍ୟର ୧୬ ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ଏହାଠାରୁ ଅଧିକ ରେକର୍ଡ ହୋଇଥିବା ବେଳେ ୪୩ ଡିଗ୍ରୀ ସହ ନୂଆପଡ଼ା ରାଜ୍ୟର ଉତ୍ତପ୍ତ ସହର ପାଲଟିଛି।