ଆଜି ସରିବ +୩ ନାମଲେଖା ଆବେଦନ
ଭୁବନେଶ୍ୱର : ଚଳିତ ଶିକ୍ଷା ବର୍ଷରେ +୩ ନାମଲେଖା ପାଇଁ ଆଜି ସରିବ ଆବେଦନ ପ୍ରକ୍ରିୟା। ରାତି ୧୧ଟା ୪୫ ମଧ୍ୟରେ ଛାତ୍ରଛାତ୍ରୀ ସାମସ୍ ପୋର୍ଟାଲ୍ www.samsodisha.gov.inରେ ଆବେଦନ କରିପାରିବେ। ଆବେଦନପତ୍ରରେ କୌଣସି ତ୍ରୁଟି ଥିଲେ ୧୮ ଓ ୧୯ ତାରିଖ ଦିନ ତାକୁ ସଂଶୋଧନ କରିପାରିବେ। ପ୍ରଥମ ପର୍ୟ୍ୟାୟ ମେଧା ତାଲିକା ୨୫ତାରିଖ ଅପରାହ୍ନ ୪ଟାରେ ପ୍ରକାଶ ପାଇବ। ନାମଲେଖା ପାଇଁ ଚୟନ ହୋଇଥିବା କଲେଜରେ ନାମ ଲେଖାଇବାକୁ ଇଚ୍ଛୁକ ଥିଲେ ଛାତ୍ରଛାତ୍ରୀମାନେ ଫ୍ରିଜ୍ ଅପସନ୍ ଦେଇପାରିବେ। ଅନ୍ୟଥା ସ୍ଲାଇଡ୍ ଅପସନ୍ ଦେଇପାରିବେ। ୨୫ରୁ ୨୮ତାରିଖ ଯାଏଁ ଏହି ପ୍ରକ୍ରିୟା ଚାଲିବ।
ସେହିପରି ଚୟନ ହୋଇଥିବା କଲେଜରେ ୨୬ତାରିଖରୁ ୨୯ ତାରିଖ ସନ୍ଧ୍ୟା ୫ଟା ପର୍ୟ୍ୟନ୍ତ ନାମ ଲେଖାଇପାରିବେ ଛାତ୍ରଛାତ୍ରୀ। ଅନୁରୂପ ଭାବେ ଜୁଲାଇ ୫ ତାରିଖ ଅପରାହ୍ନ ୪ଟାରେ ଦ୍ୱିତୀୟ ପର୍ୟ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ଜୁଲାଇ ୬ ତାରିଖରୁ ୯ ତାରିଖ ସନ୍ଧ୍ୟା ୫ଟା ପର୍ୟ୍ୟନ୍ତ ଦ୍ୱିତୀୟ ପର୍ୟ୍ୟାୟ ନାମଲେଖା ହେବ। ୧୫ ତାରିଖ ଅପରାହ୍ନ ୪ଟାରେ ତୃତୀୟ ପର୍ୟ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ଜୁଲାଇ ୧୬ ତାରିଖରୁ ୧୯ ତାରିଖ ପର୍ୟ୍ୟନ୍ତ ତୃତୀୟ ପର୍ୟାୟରେ ମନୋନୀତ ଛାତ୍ରଛାତ୍ରୀ ନାମଲେଖାଇପାରିବେ। ଅଗଷ୍ଟ ପହିଲାରୁ +୩ ପ୍ରଥମ ବର୍ଷ ପାଠପଢ଼଼ା ଆରମ୍ଭ ହେବାନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।