ଅନ୍ତର୍ଜାତୀୟ ଶ୍ରମିକ ଦିବସ : ଦେଶର ପ୍ରଗତି ଚକ୍ରକୁ ଅବିରତ ଚଳାଇଛନ୍ତି ଶ୍ରମିକ

ଭୁବନେଶ୍ୱର : ଓୟୁଏଟି କୃଷି ଶିକ୍ଷା ସଦନରେ ଆନ୍ତର୍ଜାତିକ ବିଶ୍ୱ ଶ୍ରମିକ ଦିବସ ଅନୁଷ୍ଠିତ ହୋଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ଦଶନ୍ଧି ଦଶନ୍ଧି ଧରି ଦେଶର ପ୍ରଗତିର ଚକ୍ରକୁ ଶ୍ରମିକମାନେ ଅବିରତ ଭାବେ ଚଳେଇ ଆସୁଛନ୍ତି ଓ ବିକାଶରେ ନିଜର ଯୋଗଦାନ ନିରବଚ୍ଛିନ୍ନ ଭାବେ ଦେଇ ଆସୁଛନ୍ତି ବୋଲି ମତବ୍ୟକ୍ତ କରିଥିଲେ । ସେହିପରି ଦାୟିତ୍ୱ ନେବାର ପ୍ରଥମ ଦିନରୁ ହିଁ ଆମ ସରକାର ରାଜ୍ୟର ସବା ତଳ ପାହଚରେ ଥିବା ଲୋକଙ୍କ କଲ୍ୟାଣ ଓ ବିକାଶ ପାଇଁ ସମର୍ପିତ ହୋଇ କାର୍ଯ୍ୟ କରୁଛି ବୋଲି କହିଥିଲେ ।
ଏ ଅବସରରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରର ଦୁଇଟି ପ୍ରମୁଖ ଶ୍ରମିକ ପ୍ରତୀକ୍ଷା ସ୍ଥାନ- ଡୁମ୍ଡୁମା ଏବଂ କଳ୍ପନା ଛକଠାରେ ବହୁମୁଖୀ ‘ଶ୍ରମିକ ପ୍ରତୀକ୍ଷା କେନ୍ଦ୍ର’ର ଉଦ୍ଘାଟନ କରିଥିଲେ । ସେହିପରି ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ବିଭିନ୍ନ ସେବାକୁ ଶ୍ରମିକମାନଙ୍କ ହାତ ପାହାନ୍ତାରେ ପହଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀ ‘ଓଡିଶା ଶ୍ରମିକ ସାଥୀ ମୋବାଇଲ୍ ଆପ୍’ର ଶୁଭାରମ୍ଭ କରିଥିଲେ । ଏହାଦ୍ୱାରା ଶ୍ରମିକମାନେ ସହଜରେ ଏବଂ ସୁବିଧାରେ ଘରେ ବସି ବିଭିନ୍ନ ସେବା ପାଇ ପାରିବେ । ଏଥି ସହିତ ମୁଖ୍ୟମନ୍ତ୍ରୀ ବିଭିନ୍ନ ଶ୍ରମିକ ସଂଗଠନର କର୍ମକର୍ତ୍ତାମାନଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ଶିକ୍ଷା ସହାୟତା, ବିବାହ ସହାୟତା, ପ୍ରସୂତିକାଳୀନ ସହାୟତା, ମୃତୁ୍ୟକାଳୀନ ସହାୟତା ଓ ଅନ୍ତ୍ୟେଷ୍ଟି କ୍ରିୟା ସହାୟତା ବଣ୍ଟନ କରିଥିଲେ ।
ଅନ୍ୟତମ ଅତିଥି ଭାବେ ଶ୍ରମ ଓ କର୍ମଚାରୀ ରାଜ୍ୟବୀମା, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ, ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ, ଏକାମ୍ର-ଭୁବନେଶ୍ୱର ବିଧାୟକ ବାବୁ ସିଂ, ମେୟର ସୁଲୋଚନା ଦାସ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ପ୍ରମୁଖ ଯୋଗ ଦେଇ ଶ୍ରମିକ ଦିବସ ଅବସରରେ ନିଜ ନିଜର ଅଭିଭାଷଣ ରଖିଥିଲେ ।