ବିଦେଶକୁ ଲମ୍ବିଛି କଙ୍କଡା ଚାଲାଣ ର୍ୟାକେଟ୍
ରାଜନଗରରୁ ବସନ୍ତ ହାତୀ
ରାଜନଗର ବ୍ଲକରେ ଚୋରାରେ କଙ୍କଡା ବ୍ୟବସାୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଯାହାକି ପ୍ରକୃତି ପ୍ରେମୀ ଓ ପରିବେଶବିତ୍ ମାନଙ୍କୁ ବ୍ୟଥିତ କରିଛି । ଉପକୂଳବର୍ତ୍ତୀ ଅଞ୍ଚଳରେ ଲୋକମାନଙ୍କ ଖାଦ୍ୟ ଭାବରେ ମୁଖ୍ୟତଃ ମାଛ କଙ୍କଡ଼ାର ପ୍ରାଧାନ୍ୟ ରହିଆସିଛି । ଏହା ସତ୍ତ୍ୱେ କିଛି ଦଶନ୍ଧୀ ପୂର୍ବରୁ କଙ୍କଡା ବିକ୍ରି ଉପରେ କଟକଣା ଜାରି କରାଯାଇଛି । ମାତ୍ର ଏହି ଚୋରା କଙ୍କଡା ବ୍ୟବସାୟୀମାନେ ପ୍ରତିଦିନ କୁ୍ୟଣ୍ଟାଲ କୁ୍ୟଣ୍ଟାଲ କଙ୍କଡା ବିଭିନ୍ନ ବାଟରେ ରାଜ୍ୟ ବାହାରକୁ ଚାଲାଣ କରି ମାଲେମାଲ ହେଉଛନ୍ତି । ବିଶେଷ କରି ଭିତରକନିକା ଜାତୀୟ ଉଦ୍ୟାନ (ଅଭୟରଣ୍ୟରେ) କୁମ୍ଭୀର ଚାଷ ପ୍ରକଳ୍ପ ୭୦ ଦଶକରେ ବଉଳା କୁମ୍ଭୀରର ବଂଶ ବୃଦ୍ଧି ପାଇଁ ଆରମ୍ଭ ହେଲା । କୁମ୍ଭୀର ଚାଷ ପ୍ରକଳ୍ପ ଡାଙ୍ଗମାଳ ଠାରେ ଆରମ୍ଭ ହେବା ପରେ କୁମ୍ଭୀରର ପ୍ରିୟ ଖାଦ୍ୟ କଙ୍କଡା ଉପରେ କଟକଣା ଜାରି କରାଯାଇଥିଲା । ବିଶେଷକରି କଙ୍କଡା ବିକ୍ରି ଉପରେ କଟକଣା ବଳବତ୍ତର ରହିଛି । ଏହା ସତ୍ତ୍ୱେ କିଛି କଙ୍କଡା ବ୍ୟବସାୟୀ କଙ୍କଡା ଧରାଳିଙ୍କୁ ନିୟୋଜିତ କରି ସେମାନଙ୍କ ଠାରୁ ସ୍ୱଳ୍ପ ମୂଲ୍ୟରେ କଙ୍କଡା ସଂଗ୍ରହ କରିଥାନ୍ତି । ରାଜ୍ୟ ତଥା ରାଜ୍ୟ ବାହାରକୁ ଉଚ୍ଚ ଦରରେ ଚାଲାଣକରି ମାଲେମାଲ ହେଉଥିବା ଅଭିଯୋଗ ହେଉଛି । ବନବିଭାଗ କାଁ ଭା ଚଢ଼ାଉ କରିବା ସହିତ ବସରେ କଙ୍କଡା ଚାଲାଣ ହେଉଥିବା ଖବର ପାଇଲେ ସେମାନଙ୍କୁ ଧରି ନଦୀରେ ଛାଡି ଦେଇଥାନ୍ତି । କିନ୍ତୁ ରଙ୍ଗଣୀ ପଞ୍ଚାୟତର ପଟ୍ଟାପାରିଆ, କେରୁଆପାଳ, ସା-ରାଜେନ୍ଦ୍ରପୁର, ଗର୍ତ୍ତ, ସାତଭାୟା, ଗୁପ୍ତି, ଓକିଲପାଳ,ସୁନ୍ଦୁରିପାଳ ଭଳି ବିଭିନ୍ନ ସ୍ଥାନରେ ଚୋରା କଙ୍କଡା ବେପାରି ମାନେ କୁଇଣ୍ଟାଲ କୁଇଣ୍ଟାଲ କଙ୍କଡା ସଂଗ୍ରହ କରି ବୋଟ ସାହାଯ୍ୟରେ ଧାମରା, ଚାନ୍ଦବାଲିକୁ ନେଇ ଯାଇ ସେଠାରୁ ଗାଡିରେ କଲିକତା ଚାଲାଣ କରୁଥିବା ଅଭିଯୋଗ ହେଉଛି । ଏହି ଘଟଣା ଦିନକୁ ଦିନ ବୃଦ୍ଧି ପାଉଛି କିନ୍ତୁ କମିବାର ନାଁ ଧରୁନି । କୁମ୍ଭୀରର ପ୍ରିୟ ଖାଦ୍ୟ କଙ୍କଡା ଭିତରକନିକା ଜାତୀୟ ଉଦ୍ୟାନ ଅଞ୍ଚଳରୁ ଦିନଦିନକୁ ଦିନ କମିବାରେ ଲାଗିଛି । ଏପରିକି ବଡ଼ କଙ୍କଡା ଆଉ ଦେଖିବାକୁ ମିଳୁନାହାନ୍ତି । ଛୋଟ ଠାରୁ ବଡ଼ ପଯ୍ୟନ୍ତ କଙ୍କଡା ପ୍ରତିଦିନ ଧରି କୁଇଣ୍ଟାଲ କୁଇଣ୍ଟାଲ ଚାଲାଣ ହେଉଛି । ଆଗାମୀ ଦିନରେ ଏହି ବେପାରୀ ମାନଙ୍କ ପାଇଁ ଭିତରକନିକା ଅଞ୍ଚଳରୁ କଙ୍କଡା ବିଲୁପ୍ତ ହେବାର ସମ୍ଭବନା ସୃଷ୍ଟି ହେଲାଣି । ବେଳ ଥାଉଥାଉ ପ୍ରଶାସନ ଏହି ଚୋରା ବେପାରୀମାନଙ୍କ ବିରୁଦ୍ଧରେ ଦୁଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ କଙ୍କଡା ଦିନେ ଦେଖିବାକୁ ସ୍ୱପ୍ନ ହୋଇଯିବ । ଏନେଇ ପରିବେଷବିତ ବିରଜା ପ୍ରସାଦ ପତି କୁହନ୍ତି ସରକାର ଏନେଇ ସ୍ୱତନ୍ତ୍ର ଆଇନ ଆଣିବାର ଆବଶ୍ୟକତା ରହିଛି । ଚିଲିକା ପରେ ଭିତରକନିକା କଙ୍କଡାର ସମଗ୍ର ଓଡିଶାରେ ସ୍ୱତନ୍ତ୍ର ଖ୍ୟାତି ରହିଛି । ଚୋରା ବ୍ୟବସାୟୀ ମାନେ ଯେଉଁ ପରିମାଣରେ ରାଜ୍ୟ ତଥା ରାଜ୍ୟ ବାହାରକୁ ଚୋରା କଙ୍କଡା ଚାଲାଣ କରୁଛନ୍ତି କଙ୍କଡା ବଂଶ ବିଲୁପ୍ତର କାରଣ ହେବ ବୋଲି କହିଛନ୍ତି । ପରିବେଶବିତ ହେମନ୍ତ କୁମାର ରାଉତ କହନ୍ତି କଙ୍କଡା ରାଜ୍ୟ ବାହାରକୁ ଚାଲାଣ ହେବା ଫଳରେ ସ୍ଥାନୀୟ ଲୋକେ କଙ୍କଡା ଖାଇବାକୁ ପାଉନାହାନ୍ତି । କେବଳ ସେତିକି ନୁହେଁ କଙ୍କଡାର ମୂଲ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ସେମାନେ କଲିକତା ଭଳି ସ୍ଥାନକୁ ଚାଲାଣ କରୁଛନ୍ତି । କୁ୍ୟଣ୍ଟାଲ କୁ୍ୟଣ୍ଟାଲ କଙ୍କଡା ଚାଲାଣ କରି ମାଲେମାଲ ହେଉଥିବା ବେଳେ ସାଧାରଣ ଲୋକଙ୍କ ପାଇଁ କଙ୍କଡା ମହଙ୍ଗା ହୋଇଛି । ଯେଉଁଭଳି ଭାବରେ ଖାଲି ବଡ଼ କଙ୍କଡା ନୁହେଁ ଛୋଟଛୋଟ କଙ୍କଡା ବାହାରକୁ ଚାଲାଣ କରୁଛନ୍ତି, ଦିନ ଆସିବ କଙ୍କଡା ଦେଖିବାକୁ ମିଳିବନାହିଁ । ଭିତରକନିକାର ହେନ୍ତାଳ ବଣ ପାଇଁ କଙ୍କଡା ରାଜନଗର ଓ ମହାକାଳପଡା ଅଞ୍ଚଳରେ ମିଳିଥାନ୍ତି । ସରକାର ଚୋରା ବେପାରୀମାନଙ୍କୁ ବନ୍ଦ କରନ୍ତୁ ଏବଂ ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ରାଉତ ଦାବି କରିଛନ୍ତି ।