ନରମିଲେ ଜେଲେନସ୍କି ଖଣିଜ ଚୁକ୍ତି ସ୍ୱାକ୍ଷର କରିବାକୁ ପ୍ରସ୍ତୁତ

ନରମିଲେ ଜେଲେନସ୍କି ଖଣିଜ ଚୁକ୍ତି ସ୍ୱାକ୍ଷର କରିବାକୁ ପ୍ରସ୍ତୁତ


 ନୂଆଦିଲ୍ଲୀ : ଡୋନାଲ୍ଡ ଟ୍ରମ୍ପଙ୍କ ସହ ତୀବ୍ର କଥା କଟାକଟିର ଗୋଟିଏ ଦିନ ପରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି  ନରମିଛନ୍ତି । ରୁଷିଆ ବିରୋଧରେ ୟୁକ୍ରେନର ଯୁଦ୍ଧରେ ନିରନ୍ତର ସମର୍ଥନ ପାଇଁ ଆମେରିକାକୁ ଧନ୍ୟବାଦ ଜଣାଇବା ସହ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ଏକ ଖଣିଜ ଚୁକ୍ତି ସ୍ୱାକ୍ଷର କରିବାକୁ ପ୍ରସ୍ତୁତ ଥିବା ନିଶ୍ଚିତ କରିଛନ୍ତି । ଶୁକ୍ରବାର ଦିନ ହ୍ୱାଇଟ ହାଉସରେ ଡୋନାଲ୍ଡ ଟ୍ରମ୍ପଙ୍କ ସହ ସାକ୍ଷାତ ସମୟରେ ସେ ଯେଉଁ ଲଢୁଆ ସ୍ୱର ଆପଣାଇଥିଲେ ତାହାର ସଂପୂର୍ଣ୍ଣ ବିପରୀତରେ  ଜେଲେନସ୍କି ଶନିବାର କହିଛନ୍ତି ଯେ ଋଷ ସହ ଯୁଦ୍ଧରେ ଆମେରିକା ରାଷ୍ଟ୍ରପତିଙ୍କ ସମର୍ଥନ ଗୁରୁତ୍ୱପୂର୍ଣ୍ଣ ଏବଂ ସେ ଖଣିଜ ଚୁକ୍ତି ସ୍ୱାକ୍ଷର କରିବାକୁ ପ୍ରସ୍ତୁତ ଅଛନ୍ତି । କଂଗ୍ରେସ ଓ ଆମେରିକୀୟ ଜନତାଙ୍କ ଦ୍ୱିପାକ୍ଷିକ ସମର୍ଥନକୁ ସ୍ୱୀକାର କରି ଜେଲେନସ୍କି ରୁଷିଆ ଯୁଦ୍ଧରେ ଆମେରିକାର ସହାୟତା ପାଇଁ ଗଭୀର କୃତଜ୍ଞତା ଜ୍ଞାପନ କରିଛନ୍ତି । ସମସ୍ତ ସହଯୋଗ ପାଇଁ ଆମେ ଆମେରିକାକୁ କୃତଜ୍ଞତା ଜଣାଉଛୁ । ମୁଁ ରାଷ୍ଟ୍ରପତି ଟ୍ରମ୍ପ, କଂଗ୍ରେସର ଦ୍ୱିପାକ୍ଷିକ ସମର୍ଥନ ଏବଂ ଆମେରିକୀୟ ଜନସାଧାରଣଙ୍କୁ ଧନ୍ୟବାଦ ଜଣାଉଛି  । ବିଶେଷକରି ଏହି ତିନି ବର୍ଷର ସମ୍ପୂର୍ଣ୍ଣ ଆକ୍ରମଣ ସମୟରେ ୟୁକ୍ରେନବାସୀ ସର୍ବଦା ଏହି ସମର୍ଥନକୁ ପ୍ରଶଂସା କରିଛନ୍ତି ବୋଲି ଜେଲେନସ୍କି କହିଛନ୍ତି । ଯୁକ୍ତରାଷ୍ଟ୍ର ଆମେରିକାର ନିରନ୍ତର ସମର୍ଥନର ଆବଶ୍ୟକତା ଉପରେ ଜୋର ଦେଇ ଜେଲେନସ୍କି ଉଲ୍ଲେଖ କରିଛନ୍ତି ଯେ ଡୋନାଲ୍ଡ ଟ୍ରମ୍ପ ୟୁକ୍ରେନନର ପ୍ରତିରକ୍ଷା ପ୍ରୟାସକୁ ସମର୍ଥନ କରିବା ଯୁଦ୍ଧର ଗତିପଥ ଗଠନରେ ନିର୍ଣ୍ଣାୟକ ହେବ । ରାଷ୍ଟ୍ରପତି ଟ୍ରମ୍ପଙ୍କ ସମର୍ଥନ ମିଳିବା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ । ସେ ଯୁଦ୍ଧ ଶେଷ କରିବାକୁ ଚାହୁଁଛନ୍ତି, କିନ୍ତୁ ଆମ ଠାରୁ ଅଧିକ କେହି ଶାନ୍ତି ଚାହାଁନ୍ତି ନାହିଁ । ଆମେ ହିଁ ୟକ୍ରେନରେ ଏହି ଯୁଦ୍ଧରେ ଜୀବନ ବିତାଉଛୁ । ଏହା ଆମ ସ୍ୱାଧୀନତା ପାଇଁ, ଆମର ବଞ୍ଚିବା ପାଇଁ ଲଢେଇ ବୋଲି ସେ ଲେଖିଛନ୍ତି । ଏହାବ୍ୟତୀତ ଜେଲେନସ୍କି ଏହି ଖଣିଜ ଚୁକ୍ତି ସ୍ୱାକ୍ଷର କରିବାକୁ ୟକ୍ରେନର ପ୍ରସ୍ତୁତି କୁ ନିଶ୍ଚିତ କରିଛନ୍ତି, ଯାହା କିଭ ଏବଂ ୱାଶିଂଟନ ମଧ୍ୟରେ ଅର୍ଥନୈତିକ ଏବଂ ପ୍ରତିରକ୍ଷା ସମ୍ପର୍କକୁ ସୁଦୃଢ଼ କରିବ ବୋଲି ଆଶା କରାଯାଉଛି  । ତେବେ ଏଭଳି ଚୁକ୍ତି ଯଥେଷ୍ଟ ନୁହେଁ ବୋଲି ସେ ଦୋହରାଇଛନ୍ତି । ଆମେ ଖଣିଜ ରାଜିନାମା ସ୍ୱାକ୍ଷର କରିବାକୁ ପ୍ରସ୍ତୁତ ଅଛୁ ଏବଂ ଏହା ନିରାପତ୍ତା ଗ୍ୟାରେଣ୍ଟି ଦିଗରେ ପ୍ରଥମ ପଦକ୍ଷେପ ହେବ । କିନ୍ତୁ ଏହା ଯଥେଷ୍ଟ ନୁହେଁ ଏବଂ ଆମକୁ କେବଳ ସେତିକି ଠାରୁ ଅଧିକ ଦରକାର । ବିନା ସୁରକ୍ଷା ଗ୍ୟାରେଣ୍ଟିରେ ଅସ୍ତ୍ର ବିରତି ୟୁକ୍ରେନ ପାଇଁ ବିପଜ୍ଜନକ । ଆମେ ୩ ବର୍ଷ ଧରି ଲଢୁଛୁ ଏବଂ ୟୁକ୍ରେନର ଲୋକମାନେ ଜାଣିବା ଦରକାର ଯେ ଆମେରିକା ଆମ ପକ୍ଷରେ ଅଛି ବୋଲି ରାଷ୍ଟ୍ରପତି କହିଛନ୍ତି । ନିଜ ସୋସିଆଲ ମିଡିଆ ପୋଷ୍ଟ ମଧ୍ୟରୁ ଗୋଟିଏରେ ଜେଲେନସ୍କି କହିଛନ୍ତି ଯେ ୟୁକ୍ରେନର ଦୁର୍ଦ୍ଦଶା ଶୁଣିବା ଏବଂ ଭୁଲି ନଯିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । 
ୱାଶିଂଟନରେ ୟୁକ୍ରେନ୍ ସମ୍ପ୍ରଦାୟ ସହ ତାଙ୍କର ସାକ୍ଷାତର ଫୁଟେଜ୍ ସହ ସେ ପୋଷ୍ଟରେ କହିଛନ୍ତି, "ଏହା ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଯେ ୟୁକ୍ରେନ୍ର ସ୍ୱର ଶୁଣାଯାଉ ଏବଂ ଯୁଦ୍ଧ ସମୟରେ କିମ୍ବା ଏହା ପରେ କେହି ଏହା ବିଷୟରେ ଭୁଲିବେ ନାହିଁ । ଶୁକ୍ରବାର ଦିନ ଜେଲେନସ୍କି ଏବଂ ଟ୍ରମ୍ପଙ୍କ ମଧ୍ୟରେ ଏକ ବହୁ ପ୍ରତୀକ୍ଷିତ ବୈଠକ ଅଚଳାବସ୍ଥାରେ ଶେଷ ହୋଇଥିଲା ଏବଂ ହ୍ୱାଇଟ ହାଉସରେ ବିଶ୍ୱ ଗଣମାଧ୍ୟମ ସମ୍ମୁଖରେ ଦୁଇ ନେତାଙ୍କ ମଧ୍ୟରେ ପ୍ରବଳ କଥା କଟାକଟି ହୋଇଥିଲା । ଓଭାଲ୍ ଅଫିସ୍ ଆଲୋଚନା ୟୁକ୍ରେନ୍ ପ୍ରତି ଆମେରିକାର ସମର୍ଥନକୁ ସୁଦୃଢ଼ କରିବ ଏବଂ ତିନି ବର୍ଷ ପୂର୍ବେ ୟୁକ୍ରେନ୍ ଉପରେ ଆକ୍ରମଣ ଆରମ୍ଭ କରିଥିବା ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ଙ୍କ ସହ ମେଣ୍ଟ କରିବାରୁ ୱାଶିଂଟନକୁ ନିବୃତ୍ତ କରିବ ବୋଲି ଜେଲେନସ୍କି ଆଶା ରଖିଥିଲେ । ଏହା ପରିବର୍ତ୍ତେ ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ସହ ଟ୍ରମ୍ପ ଜେଲେନସ୍କିଙ୍କୁ ତୀବ୍ର ସମାଲୋଚନା କରିବା ସହ ଆମେରିକା ପ୍ରତି ଅସମ୍ମାନ ପ୍ରଦର୍ଶନ କରୁଥିବା ଅଭିଯୋଗ କରିବା ପରେ ଏହି ବୈଠକ ନାଟକୀୟ ମୋଡ଼ ନେଇଥିଲା । ପାଟିତୁଣ୍ଡ ଏତେ ମାତ୍ରାରେ ବଢିଯାଇଥିଲା ଯେ ୟୁକ୍ରେନ ରାଷ୍ଟ୍ରପତିଙ୍କୁ ହ୍ୱାଇଟ୍ ହାଉସ୍ ଛାଡ଼ିବାକୁ କୁହାଯାଇଥିଲା ଏବଂ ସ୍ପ୍ରିଂ ଗ୍ରୀନ୍ ସାଲାଡ୍ ଏବଂ ରୋଜମେରି ଭଜା ଚିକେନ୍ ପ୍ଲେଟ୍ ଅଛୁଆଁ ହୋଇଯାଇଥିଲା ।