ହିମସ୍ଖଳନ: ଆହୁରି ଫସିଛନ୍ତି ୫ ୪ ମୃତ, ୫ଠ ଉଦ୍ଧାର

ଡେରାଡୁନ୍ : ଉତ୍ତରାଖଣ୍ଡ ଚାମୋଲି ଜିଲ୍ଲାର ମାନା ଅଞ୍ଚଳରେ ଘଟିଥିବା ବଡ଼ ଧରଣର ହିମସ୍ଖଳନରେ ଫସି ରହିଥିବା ଅନ୍ୟ ୧୭ ଜଣ ଶ୍ରମିକଙ୍କୁ ଆଜି ଉଦ୍ଧାର କରାଯାଇଛି । ସେମାନଙ୍କୁ ସେନା ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିବା ବେଳେ ନିଖୋଜ ଥିବା ୫୫ ଜଣଙ୍କ ମଧ୍ୟରୁ ଏବେ ମୋଟ୍ ୫୦ ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଅପରପକ୍ଷେ ଗତକାଲି ଉଦ୍ଧାର ହୋଇଥିବା ଶ୍ରମିକଙ୍କ ଚିକିତ୍ସା ଜାରି ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ଆଜି ୪ ଜଣଙ୍କ ମୃତୁ୍ୟ ହୋଇଛି । ଭାରତୀୟ ସେନା, ଆଇଟିବିପି, ଏନଡିଆରଏଫ, ଏସଡିଆର ଏବଂ ବାୟୁସେନା ଅନ୍ୟ ପାଞ୍ଚ ଜଣ ଶ୍ରମିକଙ୍କୁ ଖୋଜିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଭାରତୀୟ ସେନାର ସୂଚନା ଅନୁଯାୟୀ, ପ୍ରବଳ ତୁଷାରପାତ ତଳେ ଚାପି ହୋଇ ରହିଥିବାରୁ ତିନୋଟି କଣ୍ଟେନର ଏ ପର୍ଯ୍ୟନ୍ତ ନିଖୋଜ ଅଛି । ସେମାନଙ୍କୁ ଖୋଜିବା ପାଇଁ ଦିଲ୍ଲୀରୁ ଜିପିଏସ୍ ରାଡାର ଅଣାଯାଇଛି । ଉଦ୍ଧାର କାର୍ଯ୍ୟର ତଦାରଖ କରୁଥିବା ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଶନିବାର ସକାଳେ ବିମାନ ଯୋଗେ ଆକାଶ ମାର୍ଗରୁ ସର୍ଭେ କରିଥିବା ବେଳେ ଜ୍ୟୋତିର୍ମଠରେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିଥିଲେ । ଏହା ପରେ, ମୁଖ୍ୟମନ୍ତ୍ରୀ ଜରୁରୀକାଳୀନ କାର୍ଯ୍ୟ କେନ୍ଦ୍ରରେ ପହଞ୍ଚି ବରିଷ୍ଠ ଅଧିକାରୀଙ୍କ ସହ ଉଦ୍ଧାର କାର୍ଯ୍ୟ ବିଷୟରେ ଆଲୋଚନା କରିଥିଲେ । ସେ କହିଛନ୍ତି ଯେ ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫୋନ୍ ଯୋଗେ ସୂଚନା ନେଇଥିଲେ ଏବଂ ସମସ୍ତ ପ୍ରକାରର ସାହାଯ୍ୟର ପ୍ରତିଶ୍ରୁତି ଦେଇଥିଲେ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଶ୍ରମିକମାନଙ୍କୁ ସୁରକ୍ଷିତ ସ୍ଥାନାନ୍ତର ପାଇଁ କହିଛନ୍ତି ।
ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ ରିଲିଫ୍ ଏବଂ ଉଦ୍ଧାରକାରୀ ଦଳ ପାଞ୍ଚଟି କଣ୍ଟେନରକୁ ଠାବ କରିବା ଏବଂ ଶ୍ରମିକମାନଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି । ଅତ୍ୟଧିକ ବରଫ ଯୋଗୁଁ ଅନ୍ୟ ତିନୋଟି କଣ୍ଟେନର୍କୁ ଠାବ କରିବା ସମ୍ଭବ ହୋଇପାରୁ ନାହିଁ । ଏହି କଣ୍ଟେନରଗୁଡ଼ିକୁ ଠାବ କରିବା ପାଇଁ ସେନା, ଆଇଟିବିପି ଦ୍ୱାରା ଯୁଦ୍ଧକାଳୀନ ପ୍ରୟାସ ଜାରି ରହିଛି । ସେହିପରି କଣ୍ଟେନର୍ଗୁଡ଼ିକର ପ୍ରକୃତ ସ୍ଥିତି ଜାଣିବା ପାଇଁ ସେନା କୁକୁରମାନଙ୍କ ସହାୟତା ନିଆଯାଉଛି । ସୂଚନାଯୋଗ୍ୟ ଗତକାଲି ଚାମୋଲି ଜିଲ୍ଲାର ବଦ୍ରିନାଥରେ ଉଚ୍ଚ ସୀମାନ୍ତ ଗାଁ ମାନା ନିକଟସ୍ଥ ସୀମା ସଡ଼କ ସଂଗଠନ (ବିଆର୍ଓ) କ୍ୟାମ୍ପ୍ରେ ହିମସ୍ଖଳନ ହେବା ପରେ ରାସ୍ତାକାର୍ଯ୍ୟରେ ନିୟୋଜିତ ଥିବା ୫୫ଜଣ ଶ୍ରମିକ କଣ୍ଟେନର୍ ସହିତ ବରଫରେ ଫସି ଯାଇଥିଲେ ।