ମହାରାଷ୍ଟ୍ରରେ ‘ଲଭ୍ ଜିହାଦ୍’ ଆଇନ

 ମୁମ୍ବାଇ: ବଳପୂର୍ବକ ଧର୍ମାନ୍ତରୀକରଣ ଏବଂ ‘ଲଭ୍ ଜିହାଦ’ ଭଳି ମାମଲାକୁ ନେଇ ସ୍ୱତନ୍ତ୍ର ଆଇନ ଆଣିବାକୁ ଯାଉଛନ୍ତି ମହାରାଷ୍ଟ୍ର ସରକାର । ଏଥିପାଇଁ ରାଜ୍ୟ ପୁଲିସ୍ ମହା ନିଦେ୍ର୍ଦଶକ ସଞ୍ଜୟ ବର୍ମାଙ୍କ ନେତୃତ୍ୱରେ ଏକ ୭ ଜଣିଆ କମିଟି ଗଠନ କରାଯାଇଛି । ଏହି କମିଟିରେ ମହିଳା ଏବଂ ଶିଶୁ କଲ୍ୟାଣ, ସଂଖ୍ୟାଲଘୁ ବ୍ୟାପାର, ଆଇନ ଏବଂ ନ୍ୟାୟପାଳିକା, ସାମାଜିକ ନ୍ୟାୟ, ସ୍ୱତନ୍ତ୍ର ସହାୟତା ଏବଂ ଗୃହ ବିଭାଗ ଭଳି ପ୍ରମୁଖ ବିଭାଗର ବରିଷ୍ଠ ଅଧିକାରୀମାନେ ସାମିଲ ଅଛନ୍ତି । ମହାରାଷ୍ଟ୍ର ସରକାରଙ୍କ ନିଷ୍ପତ୍ତି ଅନୁସାରେ ଏହି କମିଟି ରାଜ୍ୟର ବିଭିନ୍ନ ଦେଖାଦେଉଥିବା ବଳପୂର୍ବକ ଧର୍ମାନ୍ତରୀକରଣ ଏବଂ ଲଭ୍ ଜିହାଦ ଭଳି ଘଟଣା ଉପରେ ନଜର ରଖିବା ସହ ଏ ସମ୍ବନ୍ଧିତ ମାମଲାର ତଦାରଖ କରିବ । ଏହାସହ ଏହି କମିଟି ଅନ୍ୟ ରାଜ୍ୟରେ ଏହି ଘଟଣା ସହ ଜଡ଼ିତ ଆଇନ କ’ଣ କହୁଛି ତା’ର ସମୀକ୍ଷା କରି ଆବଶ୍ୟକ ଆଇନ ପରାମର୍ଶ ମଧ୍ୟ ଦେବେ ।
ରାଜ୍ୟରେ ବଳପୂର୍ବକ ଭାବେ ହିନ୍ଦୁ ମହିଳାଙ୍କ ଧର୍ମ ପରିବର୍ତ୍ତନ କରି ତାଙ୍କୁ ମୁସଲିମାନରେ ପରିଣତ କରିବାକୁ ପ୍ରୟାସ କରାଯାଉଥିବାରୁ ସରକାରଙ୍କ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି । ଗତ ୨୦୨୨ରେ ମହାରାଷ୍ଟ୍ରର ବହୁଚର୍ଚ୍ଚିତ ୨୭ ବର୍ଷୀୟ ଶ୍ରଦ୍ଧା ୱାଲକରଙ୍କୁ ହତ୍ୟା ଘଟଣାକୁ କେନ୍ଦ୍ର କରି ଏପରି ଆଇନ ଆଣିବାକୁ ଅଣ୍ଟା ଭିଡ଼ିଛନ୍ତି ମହାରାଷ୍ଟ୍ର ସରକାର । ସୂଚନାଯୋଗ୍ୟ ୨୦୨୨ରେ ଶ୍ରଦ୍ଧାଙ୍କୁ ତାଙ୍କ ମୁସଲିମ ପୁରୁଷ ବନ୍ଧୁ ଅଫତାବ ପୁନାୱାଲା ଧର୍ମ ପରିବର୍ତ୍ତନ ପାଇଁ ବାଧ୍ୟ କରିଥିବା ବେଳେ ସେ ଅରାଜି ହେବାରୁ ତାଙ୍କୁ ହତ୍ୟା କରି ମରଶରୀରକୁ ବିଭତ୍ସ ଭାବେ ଖଣ୍ଡ ଖଣ୍ଡ କରି ଫିଙ୍ଗି ଦେଇଥିଲେ । ଏ ଘଟଣା ପରଠୁ ମହାରାଷ୍ଟ୍ର ସରକାର ସଚେତନତା ମୂଳକ ଉପରୋକ୍ତ ଆଇନ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି ।
ଅପରପକ୍ଷେ ସରକାରଙ୍କ ଏହି ନିଷ୍ପତ୍ତିକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ଏନ୍ସିପି ନେତା ସୁପ୍ରିୟା ସୁଲେ । ସେ କହିଛନ୍ତି ଯେ, ‘ବିବାହ ଏବଂ ପ୍ରେମ ହେଉଛି ନିଜର ବ୍ୟକ୍ତିଗତ ରାୟ । ରାଜ୍ୟରେ ବାସ୍ତବ ଘଟଣା ପ୍ରତି ସରକାର ଦୃଷ୍ଟି ଦେବାକୁ ସେ ଅନୁରୋଧ କରିଛନ୍ତି । ମୋଦି ଆମେରିକାରୁ ଫେରିବା ପରେ ଟ୍ରମ୍ପ୍ ସରକାର ଏବେ ନୂଆ ଶୁଳ୍କ ଘୋଷଣା କରିଛନ୍ତି, ଯାହାଦ୍ୱାରା ଆମ ଦେଶ ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହୋଇଛି । ଏଣୁ ସରକାର ଏହି ଘଟଣାଗୁଡ଼ିକ ପ୍ରତି ଦୃଷ୍ଟିଗୋଚର କରିବା ସହ ଦେଶ ତଥା ରାଜ୍ୟର ଅର୍ଥନୀତି କିପରି ସୁଦୃଢ଼ ହୋଇପାରିବ ସେଥିପ୍ରତି ଦୃଷ୍ଟି ଦେବା ଜରୁରୀ ।’ ସେହିପରି ସମାଜବାଦି ପାର୍ଟି ବିଧାୟକ ଅବୁ ଆଜମି କହିଛନ୍ତି, ରାଜ୍ୟରେ ମୁସଲମାନମାନଙ୍କୁ ନିର୍ଯାତନା ଦେବା ପାଇଁ ଏଭଳି ଏକପାଖିଆ ନିଷ୍ପତ୍ତି ନେଉଛନ୍ତି । ଯାହାଦ୍ୱାରା ଆଗାମୀ ଦିନରେ ରାଜ୍ୟରେ ଗୋଷ୍ଠୀ ବିବାଦ ଭଳି ସମସ୍ୟା ଉପୁଜିପାରେ । ସେହିପରି କଂଗ୍ରେସ ନେତା ହୁସେନ ଦଲୱାଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ବଳପୂର୍ବକ ଧର୍ମାନ୍ତରୀକରଣ କରାଯାଏ ନାହିଁ, ଲଭ୍ ଜିହାଦ ହେଉଛି ଏକ ମୁସଲିମ୍ ପରାମ୍ପରା । ବିରୋଧୀଙ୍କ ପ୍ରତିକ୍ରିୟାକୁ କାଉଣ୍ଟର୍ କରି ବିଜେପି ନେତା ମଙ୍ଗଳ ଲୋଧା କହିଛନ୍ତି ରାଜ୍ୟରେ ଏବେ ଲଭ୍ ଜିହାଦିଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଶ୍ରଦ୍ଧା ୱାଲକର୍ଙ୍କ ଭଳି ବହୁ ମହିଳା ଏହି ସମସ୍ୟାର ସମ୍ମୁଖୀନ ହୋଇଥିବା ଉଦାହରଣ ରହିଛି । ଯେତେବେଳେ ଆମେ ଲଭ୍ ଜିହାଦକୁ ବିରୋଧ କରି ଏହା ଉପରେ ଆମେ ଆଇନ ଆଣିବାକୁ ଚାହୁଁଛୁ ସେହି ସମୟରେ ବିରୋଧୀ ଏହାର ପ୍ରତିବାଦ କରୁଛନ୍ତି । ଯାହା ରାଜ୍ୟ ପାଇଁ କଦାପି ମଙ୍ଗଳମୟ ନୁହେଁ ।