ସାନ୍ତାଳୀ ଭାଷାରେ ସମ୍ବିଧାନକୁ ଉନ୍ମୋଚନ କଲେ ରାଷ୍ଟ୍ରପତି
ନୂଆଦିଲ୍ଲୀ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଆଜି ଉନ୍ମୋଚନ କରିଛନ୍ତି । ଏହି ଅବସରରେ ଉଦବୋଧନ ଦେଇ ରାଷ୍ଟ୍ରପତି କହିଛନ୍ତି ଯେ, ସମସ୍ତ ସାନ୍ତାଳୀ ଲୋକଙ୍କ ପାଇଁ ଏହା ଏକ ଗର୍ବ ଓ ଆନନ୍ଦର ବିଷୟ ଯେ ‘ଅଲ୍ ଚିକି’ ଲିପିରେ ଲିଖିତ ଭାରତର ସମ୍ବିଧାନ ଏବେ ସାନ୍ତାଳୀ ଭାଷାରେ ଉପଲବ୍ଧ ହୋଇଛି । ଏହା ସେମାନଙ୍କୁ ନିଜ ଭାଷାରେ ସମ୍ବିଧାନ ପଢ଼ିବା ଏବଂ ବୁଝିବା ପାଇଁ ସକ୍ଷମ କରିବ।
ରାଷ୍ଟ୍ରପତି କହିଛନ୍ତି ଯେ, ଚଳିତ ବର୍ଷ ଆମେ ‘ଅଲ୍ ଚିକି’ ଲିପିର ଶତବାର୍ଷିକୀ ପାଳନ କରୁଛୁ । ଏହି ଶତବାର୍ଷିକୀ ବର୍ଷରେ ଭାରତର ସମ୍ବିଧାନକୁ ଅଲ୍ ଚିକି ଲିପିରେ ପ୍ରକାଶ କରିଥିବାରୁ ସେ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ ଏବଂ ତାଙ୍କ ଦଳକୁ ପ୍ରଶଂସା କରିଛନ୍ତି । ଏହି ଅବସରରେ ଭାରତର ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଓ କେନ୍ଦ୍ର ଆଇନ ଓ ନ୍ୟାୟ ରାଷ୍ଟ୍ର ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ । ସାନ୍ତାଳୀ ଭାଷା, ଯାହା ୨୦୦୩ର ୯୨ତମ ସଂଶୋଧନ ଆଇନ ମାଧ୍ୟମରେ ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ଅନ୍ତର୍ଭୁକ୍ତ କରାଯାଇଥିଲା, ତାହା ଭାରତର ଅନ୍ୟତମ ପ୍ରାଚୀନ ଜୀବନ୍ତ ଭାଷା । ଓଡ଼ିଶା, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଏବଂ ବିହାରର ବହୁ ସଂଖ୍ୟକ ଆଦିବାସୀ ଜନସଂଖ୍ୟା ଏହି ଭାଷାରେ କଥା ହୁଅନ୍ତି।
Samir Kumar Rout