ଗୋପୀନାଥ ଦାଶ : ବିଘ୍ନବିନାଶକ ଗଣେଶଙ୍କୁ ଅଗ୍ରପୂଜାର ଆଖ୍ୟା ଦିଆଯାଇଛି । ଅନ୍ୟ ଯେ କୌଣସି ପୂଜା କରିବା ପୂର୍ବରୁ ପ୍ରଥମେ ଶ୍ରୀ ଗଣେଶଙ୍କୁ ଆରାଧନା କରାଯାଏ, ସେଥିପାଇଁ ସବୁକାର୍ଯ୍ୟ ନିର୍ବିଘ୍ନରେ ସମାପନ ହୋଇଥାଏ । ସେଥିପାଇଁ କୁହାଯାଇଛି, ""ବକ୍ରତୁଣ୍ଡ ମହାକାୟ ସୂର୍ଯ୍ୟକୋଟି ସମପ୍ରଭୁ, ନିର୍ବିଘ୍ନ କୁରୁମେ ଦେବ ସର୍ବକାୟେଷୁ ସର୍ବଦା ।'' ଶ୍ରୀଗଣେଶ ହେଲେ ମା' ପାର୍ବତୀଙ୍କର ମାନସପୁତ୍ର । ଥରେ ମାତା ପାର୍ବତୀ ସ୍ନାନ କରୁଥିବା ସମୟରେ ତାଙ୍କ ଦେହର ମଳୁଖ ବା ହଳଦିକୁ ଏକାଠି କରି ଏକ ପୁତଳୀ ତିଆରି କଲେ । କୌତୁହଳବଶତଃ ସେ ପିତୁଳାକୁ ଜୀବନ୍ୟାସ ଦେଲେ । ପରେ ସେ ପିତୁଳା ମା ପାର୍ବତୀଙ୍କର ନୟନ ପିତୁଳା ହୋଇ ଗଣେଶ ନାମରେ ବିଖ୍ୟାତ ହେଲେ ।
ଭାଦ୍ରବମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥିକୁ ଗଣେଶ ଚତୁର୍ଥୀ ଭାବରେ ନାମିତ କରାଯାଏ । ସେଦିନ ଘରେ ଘରେ, ଶିକ୍ଷାନୁଷ୍ଠାନରେ ବିଘ୍ନରାଜ ଗଣେଶଙ୍କର ପୂଜା କରାଯାଏ । ଗଣେଶଙ୍କର ନାମ ମଧ୍ୟ ଏକଦନ୍ତ ଓ ଚର୍ତୁଭୁଜ । ତାଙ୍କର ଚାରିହାତରେ ଫାଶ, ଅଙ୍କୁଶ, ଅଭୟ ଓ ବରଦ ମୁଦ୍ରା ଶୋଭିତ। ଶରୀର ରକ୍ତବର୍ଣ୍ଣ ପୁଷ୍ପ ଓ ବସନ ତାଙ୍କ ଅତିପ୍ରିୟ । ଗଣେଶଙ୍କ ବେଶଭୂଷାର ବର୍ଣ୍ଣନା ମଧ୍ୟରେ ପୁରାଣରେ ଖୁବ୍ ଚମକ୍ରାର ଭାବରେ ରହିଛି । ମୋତି ଓ ରତ୍ନ ଆଦି ତାଙ୍କର ମୁକୁଟରେ ଖଞ୍ଜା ହୋଇଥାଏ । ସମଗ୍ର ଶରୀରରେ ସେ ରକ୍ତ ଚନ୍ଦନ ଲେପନ କରିଥାନ୍ତି । ଗଳାରେ ମୋତିମାଳା, ବକ୍ଷସ୍ଥଳରେ ପଇତା, ବାହୁରେ ରତ୍ନ ଖଜିତ ବାହୁଟି, ମର୍କତମଣିରା ମୁଦି, ଭାଲପଟରେ ଚନ୍ଦ୍ରମା ଆଦି ତାଙ୍କର ଶୋଭା ବର୍ଦ୍ଧନ କରିଥାଏ । ଗଣେଶ ସର୍ବଗଣ ସମ୍ପନ୍ନ । ବିଦ୍ୟା ଓ ବୁଦ୍ଧିରେ ଭାରି ପ୍ରଖର । ବୁଦ୍ଧିଦ୍ୱାରା ସେ ତାଙ୍କର ବଡ଼ଭାଇ କାର୍ତ୍ତିକଙ୍କୁ ମଧ୍ୟ ପଛରେ ପକାଇଦେଇଥିଲେ । ଥରେ ମହାଦେବ ନିର୍ଣ୍ଣୟ କଲେ ଯିଏ ସାରା ପୃଥିବୀକୁ ପରିକ୍ରମା କରି ଆସିବ ସେ ବୁଦ୍ଧିମାନ ଓ ବଳଶାଳୀ ହୋଇପାରିବ । ଗଣେଶ ଓ କାର୍ତ୍ତିକଙ୍କ ମଧ୍ୟରେ ପ୍ରତିଯୋଗିତା ହେଲା । କାର୍ତ୍ତିକ ତାଙ୍କର ମୟୂର ବାହନରେ ବସି ପୃଥିବୀ ପରିକ୍ରମା ପାଇଁ ବାହାରିଲେ ଏବଂ ଗଣେଶ ମଧ୍ୟ ତାଙ୍କର ମୂଷା ବାହନରେ ବାହାରିପଡ଼ିଲେ । ଚତୁର ଗଣେଶ ପିତାମାତାଙ୍କୁ ବହୁତ ଶ୍ରଦ୍ଧା ଓ ଭକ୍ତି କରୁଥିଲେ । ସେ ଜାଣିଥିଲେ ପିତାମାତା ହେଉଛନ୍ତି ସବୁଦେବତାଙ୍କ ମଧ୍ୟରେ ଶ୍ରେଷ୍ଠ । ସେ ନିର୍ଣ୍ଣୟ କଲେ ସେ ଯଦି ପିତାମାତାଙ୍କ ଚାରିପାଖରେ ସାତଥର ପରିକ୍ରମା କରିବେ, ତାହା ପୃଥିବୀ ପରିକ୍ରମା ଠାରୁ ଶହେଗୁଣ ଆଗରେ ରହିବ । ସେ ମଧ୍ୟ ସେୟା କଲେ । ମୂଷା ବାହାନରେ ବସି ପିତାମାତାଙ୍କ ଚାରିପାଖରେ ବୁଲିଆସିଲେ । କିନ୍ତୁ କାର୍ତ୍ତିକ ମୟୂର ବାହାନରେ ବସି ବୁଲି ବୁଲି ହାଲିଆ ହୋଇ ପଡ଼ିଲେଣି । କ'ଣ କରିବେ ? ସେତିକି ବୁଲି ସେ ଫେରି ଆସିଲେ ମାତାପିତାଙ୍କ ନିକଟକୁ ଏବଂ ଦେଖିଲେ ଗଣେଶ ବହୁପୂର୍ବରୁ ଆସି ବସିଛନ୍ତି । କାର୍ତ୍ତିକ ଏହାଶୁଣି ବିସ୍ମିତ ହେଲେ । ଏଥିରୁ ଗଣେଶଙ୍କର ପ୍ରଖର ବୁଦ୍ଧିର ପରିଚୟ ମିଳେ ।
ମହାଭାରତର ଆଦି ପର୍ବରେ ଲେଖାଅଛି ବେଦବ୍ୟାସ ମହାଭାରତ ଲେଖିବା ପାଇଁ ଇଛା ପ୍ରକାଶ କରି ଧ୍ୟାନସ୍ଥ ହୋଇ ବ୍ରହ୍ମାଙ୍କୁ ପ୍ରାର୍ଥନା କଲେ । ବ୍ରହ୍ମା ଆଦେଶ ଦେଲେ ମହାଜ୍ଞାନୀ ଗଣେଶଙ୍କୁ ଲେଖିବା ପାଇଁ । ବେଦବ୍ୟାସଙ୍କ ଅନୁରୋଧରେ ଗଣେଶ ମହାଭାରତ ଲେଖିବା ପାଇଁ ଗୋଟିଏ ସର୍ତ୍ତ ରଖି ମହାଭାରତ ଲେଖିଲେ ସର୍ତ୍ତଟି ଥିଲା ""ବେଦବ୍ୟାସ ଯାହା ଡାକିବେ ଗଣେଶ ତାହାକୁ ଲେଖିବେ ଏବଂ ଲେଖନୀ କ୍ଷଣିକ ପାଇଁ ଅଟକିବ ନାହିଁ । ଅଟକିଗଲେ ସେହିଠାରୁ ଲେଖା ବନ୍ଦ ରହିବ । ଏହି କଥୋପକଥନ ଦ୍ୱାରା ବେଦବ୍ୟାସଙ୍କ ମୁଖନିସୃତ ବାଣୀ ଗଣେଶଙ୍କର ଲେଖନୀରେ ମହାଭାରତରେ ରୂପାନ୍ତରିତ ହୋଇଥିଲା ।'
ପଦ୍ମପୁରାଣରେ ବର୍ଣ୍ଣିତ ଅଛି, ଥରେ ପର୍ଶୁରାମ ଶିବଙ୍କ ଦର୍ଶନ ପାଇଁ କୈଳାସ ପର୍ବତକୁ ଯାଇଥିଲେ । ଗଣେଶ ଦ୍ୱାରା ଜଗିବା ଦାୟିତ୍ୱ ନେଇଥିଲେ ଏବଂ ପର୍ଶୁରାମଙ୍କୁ ଭିତରକୁ ଯିବାକୁ ଅନୁମତି ଦେଇନଥିଲେ । ଫଳରେ ଗଣେଶ ଓ ପର୍ଶୁରାମଙ୍କ ମଧ୍ୟରେ ତୁମୁଳ ଯୁଦ୍ଧ ହେଲା । ଏବଂ ପର୍ଶୁରାମଙ୍କ ପର୍ଶୁଘାତରେ ଗଣେଶଙ୍କର ଗୋଟିଏ ଦାନ୍ତର ଅଧା ଭାଙ୍ଗିଗଲା । ସେହିଦିନ ଠାରୁ ଗଣେଶ ଏକଦନ୍ତ ନାମରେ ନାମିତ ହେଲେ । ଭାଦ୍ରବମାସ ଶୁକ୍ଳପକ୍ଷ ଚତୁର୍ଥୀ ଦିନ ତାଙ୍କର ପୂଜା ସବୁଆଡେ଼ ପାଳନ କରାଯାଏ । ମହାରାଷ୍ଟ୍ରରେ ଗଣେଶପୂଜା ଦେଶର ଅନ୍ୟ ରାଜ୍ୟମାନଙ୍କ ଠାରୁ ସ୍ୱତନ୍ତ୍ର । ଏଠାରେ ୧୫/୧୬ ଦିନ ଧରି ଗଣେଶ ପୂଜା ପାଳନ କରାଯାଏ । ସ୍କୁଲ, କଲେଜ, ଅଫିସମାନଙ୍କର ମଧ୍ୟ ଗଣେଶ ସବୁଠି ଅଗ୍ରପୂଜ୍ୟ । ବିଦ୍ୟା ବୁଦ୍ଧିର ପ୍ରତୀକ । ବିଘ୍ନରାଜ ବିଘ୍ନନାଶକ ସେ । ହେ ଅଗ୍ରପୂଜ୍ୟ, ଗିରିଜା ନନ୍ଦନ, ବିଘ୍ନନାଶନ ସମସ୍ତଙ୍କର ବିଘ୍ନନାଶ କରନ୍ତୁ ଏବଂ ସମସ୍ତଙ୍କୁ ସୁଖଶାନ୍ତି ପ୍ରଦାନ କରନ୍ତି । ""ଗଣେଶ, ବିଘ୍ନେଶ ଗିରିଜାନନ୍ଦନ ପ୍ରଭୋ, ମମ ବିଘ୍ନ ବିନାଶାୟ ଗଣାଦବପତୟେ ନମଃ' ।
ଝାରସୁଗୁଡ଼ା