ଲକ୍ଷ୍ମୀ ରୂପେଣ ସଂସ୍ଥିତା


ଡା. ଉମେଶ ଚନ୍ଦ୍ର ପାତ୍ର : ମହାମାୟା ଦୁର୍ଗା ଦେବୀଙ୍କର ଦକ୍ଷିଣ ପାଶ୍ୱର୍ରେ ଲକ୍ଷ୍ମୀ ଦେବୀଙ୍କ ଅଧିଷ୍ଠାନ । ମା'ଦୁର୍ଗାଙ୍କର ଦୁଇ ଖ୍ୟାତନାମା କନ୍ୟା ଲକ୍ଷ୍ମୀ ଏବଂ ସରସ୍ୱତୀ । କଥାରେ ଅଛି ରୂପେ ଲକ୍ଷ୍ମୀ ଓ ଗୁଣେ ସରସ୍ୱତୀ । ମହାମାୟା ଦୁର୍ଗାଙ୍କର ପୂଜାରେ ତାଙ୍କ ଏହି ଦୁଇକନ୍ୟାଙ୍କର ମଧ୍ୟ ପୂଜା ହୁଏ । ତାହାଛଡ଼ା ପୃଥକ୍ ଭାବେ ବିଶେଷ ତିଥିରେ ଲକ୍ଷ୍ମୀ ଓ ସରସ୍ୱତୀଙ୍କର ପୂଜା ଅନୁଷ୍ଠିତ ହୋଇଥାଏ । ମା'ଲକ୍ଷ୍ମୀ ଧନଧାନ୍ୟ ଓ ସମ୍ପଦର ଅଧିଷ୍ଠାତ୍ରୀ ଦେବୀ । ଓଡ଼ିଶାର ଘରେ ଘରେ ମହା ଆଡ଼ମ୍ବରରେ ତାଙ୍କର ଆରାଧନା ହୁଏ । ପୂଜା ଶେଷରେ ଗୃହିଣୀ ମା'ଲକ୍ଷ୍ମୀଙ୍କ ପାଖରେ ଅଭୁ୍ୟଦୟ, ସମ୍ପଦ ଓ ଶ୍ରୀ ପ୍ରାର୍ଥନା କରନ୍ତି । ମା'ଲକ୍ଷ୍ମୀଙ୍କର କୃପାଲାଭ ନିମିତ୍ତ ପ୍ରତି ଘରେ ଘରେ ମାଆମାନେ ପ୍ରତି ଗୁରୁବାର ଲକ୍ଷ୍ମୀଙ୍କର ବ୍ରତ ପାଳନ କରନ୍ତି । ବ୍ୟକ୍ତିଗତ ବା ପାରିବାରିକ ଜୀବନରେ ସମସ୍ତେ ବିଭବ, ଉନ୍ନତି ଓ ସୌନ୍ଦର୍ଯ୍ୟ କାମନା କରନ୍ତି । ଆଉ ମା'ଲକ୍ଷ୍ମୀ ହେଉଛନ୍ତି ଏ ସବୁର ଅଧିଷ୍ଠାତ୍ରୀ ଦେବୀ । ଲକ୍ଷ୍ମୀ ଦେବୀଙ୍କର ପୂଜାର ଆୟୋଜନ ମହାଆଡ଼ମ୍ବରରେ ହୁଏ କିନ୍ତୁ ଯେଉଁମାନେ ପୂଜା କରନ୍ତି ସେମାନେ ଯଦି ଅପରିଚ୍ଛନ୍ନ, କଦାଚାରୀ, ଭୋଜନ ବିଳାସୀ, ସ୍ୱେଚ୍ଛାଚାରୀ, କଳହ ପରାୟଣା, ହୀନସ୍ୱାର୍ଥପର ଓ କୁଚରିତ୍ରବାନ ସମ୍ପନ୍ନ ହୁଅନ୍ତି ସେଠାରେ ମହାଲକ୍ଷ୍ମୀ ଚଞ୍ଚଳା ହୋଇଉଠନ୍ତି । ଚଞ୍ଚଳା ଅର୍ଥ ମା'କୌଣସି ଏକ ଜାଗାରେ ସ୍ଥିର ହୋଇ ରହନ୍ତି ନାହିଁ । ଯେଉଁମାନେ ତାଙ୍କୁ ରଖି ପାରନ୍ତି ନାହିଁ ସେଠାରେ ମହାଲକ୍ଷ୍ମୀ ଚଞ୍ଚଳା । ଲକ୍ଷ୍ମୀପୂଜା ମାନେ କେତେକ ମନ୍ତ୍ରପାଠ, ଶଙ୍ଖ ଧ୍ୱନି, ପାନ, ସୁପାରୀ ଓ ଘଟ-ପଲ୍ଲବ-ସିନ୍ଦୂର ସଜାଇବା ନୁହେଁ । ଏହା ପୂଜାର ଅନୁଷ୍ଠାନ ବା ଆଙ୍ଗିକ କିନ୍ତୁ ଏହା ପୂଜା ନୁହେଁ । ଲକ୍ଷ୍ମୀପୂଜା ମାନେ ମହାଲକ୍ଷ୍ମୀ ଯେପରି ଭାବରେ ଚାଲିବା ପସନ୍ଦ କରନ୍ତି ସେହିଭାବରେ ଚାଲିବା ଓ ଦୈବୀ ଭାବକୁ ବିହିତ ଅନୁଶୀଳନ ଓ ଅଭ୍ୟାସ ଭିତର ଦେଇ ଚରିତ୍ରରେ ଫୁଟାଇ ଉଠାଇବା - ଏକ କଥାରେ ଲକ୍ଷ୍ମୀ ଦେବୀ ହୋଇ ଉଠିବା । ପୂଜା ସମୟରେ ପଥର ବା ମାଟିର ମୂର୍ତ୍ତିକୁ ଦେବତା ଭାବି ତାଙ୍କ ସମ୍ମୁଖରେ ଧୂପ, ଦୀପ, ନୈବେଦ୍ୟ ଦେଇ ପୁସ୍ତକରେ ଲିଖିତ ମନ୍ତ୍ରାଦି ପାଠ କରି ପୂଜା ହୁଏ । କିନ୍ତୁ ମହାଲକ୍ଷ୍ମୀଙ୍କ ଚରିତ୍ର ନିଜ ଭିତରେ ଫୁଟାଇ ନପାରିଲେ ସେ ପୂଜା ସାର୍ଥକ ଲାଭ କରେନାହିଁ ।  ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର କୌଣସି ଦେବତାଙ୍କୁ କେବଳ ମନ୍ଦିରର ପ୍ରତିମା ହିସାବରେ ଦେଖନ୍ତି ନାହିଁ । ଦେବ ବା ଦେବୀଙ୍କର ଭାବମୂର୍ତ୍ତିକୁ ଆମ୍ଭମାନଙ୍କ ଭିତରେ ଜୀବନ୍ତ କରି ଉଠାଇବା ପାଇଁ ସେ ଗୁରୁତ୍ୱ ପ୍ରଦାନ କରିଛନ୍ତି । ମହାଲକ୍ଷ୍ମୀଙ୍କୁ ପୂଜା କରିବା ଅର୍ଥ ତାଙ୍କର ଇଛା ବୁଝି ଓ ଜାଣି ସେହି ପ୍ରକାର ଚଳିବା ଯାହାଫଳରେ ମହାଲକ୍ଷ୍ମୀ ପ୍ରୀତ ହୁଅନ୍ତି । ମହାଲକ୍ଷ୍ମୀ ଯେଭଳି ଧନଧାନ୍ୟର ଅଧିଷ୍ଠାତ୍ରୀ ସେହିଭଳି ସୌନ୍ଦର୍ଯ୍ୟର ମଧ୍ୟ ଦେବୀ । ଜଗତରେ ଯାହା କିଛି ସୁନ୍ଦର, ଶୋଭାର ଆଧାର, ପବିତ୍ରତାର ପ୍ରତୀକ ସେହିଠାରେ ହିଁ ମହାଲକ୍ଷ୍ମୀଙ୍କର ବସବାସ । ଈଶ୍ୱର ସତ୍ୟ-ଶିବ-ସୁନ୍ଦର । ଅତଏବ ସୌନ୍ଦର୍ଯ୍ୟ ଈଶ୍ୱରଙ୍କର ଗୋଟିଏ ଗୁଣ ଆଉ ମା'ଲକ୍ଷ୍ମୀ ସେହି ସୌନ୍ଦର୍ଯ୍ୟର ଦେବୀ । ଯାହାଙ୍କର ବାକ୍ୟ, ବ୍ୟବହାର, ପରିଚ୍ଛଦ, ଚରିତ୍ର, ଖାଦ୍ୟ, ଘରସଂସାର, କାର୍ଯ୍ୟକର୍ମ, ଖେଳାଧୂଳା, ଲେଖାପଢ଼ା, ସୁନ୍ଦର ଓ ନୟନାନନ୍ଦକର ସେହିଠାରେ ହିଁ ଲକ୍ଷ୍ମୀ ଅଚଳା ହୋଇ ଅବସ୍ଥାନ କରନ୍ତି । ଆଉ ଯେଉଁଠାରେ ଏହାର ବିପରୀତ ଚରିତ୍ର ଦେଖାଯାଏ ସେଠାରେ ମହାଲକ୍ଷ୍ମୀ ସଦା ଚଞ୍ଚଳା । ଶ୍ରୀ ଶ୍ରୀ ଲକ୍ଷ୍ମୀ ଦେବୀଙ୍କର ବ୍ରତରେ ଅଛି - ଦିବାନିଦ୍ରା ଅନାଚାର କ୍ରୋଧ ଅହଙ୍କାର, ଆଳସ୍ୟ କଳହ ମିଥ୍ୟାରେ ପୂରିଛି ସଂସାର, ଉଚ୍ଚ ହସ ଉଚ୍ଚ ଭାଷା କହେ ନାରୀଗଣେ, ସନ୍ଧ୍ୟାକାଳେ ନିଦ୍ରା ଯାଏ ଝଗଡ଼ା ଜନେ ଜନେ, ଦୟାମାୟା ଲଜ୍ଜା ଆଦି ଦେଇ ବିସର୍ଜନ, ଯେଠାରେ ସେଠାରେ କରେ ସ୍ୱେଚ୍ଛାରେ ଗମନ, ଶ୍ୱଶୁର ଶାଶୁଡ଼ୀ ଗଣେ ନୁହେଁ ଭକ୍ତିମତି, ବାକ୍ୟବାଣ ବର୍ଷେ ସଦା ସେମାନଙ୍କ ପ୍ରତି, ପତିଦେବତାଙ୍କୁ ହେଳା ନଶୁଣେ ବଚନ, ଛାଡ଼ି ଦେଇ ଗୃହସ୍ଥଳୀ ଛାଡ଼ିଛି ବନ୍ଧନ, ପୁରୁଷଙ୍କ ପରିହାସେ ସମୟ କଟାଇ, ମିଥ୍ୟା ଛଡ଼ା ସତ୍ୟ କଥା କେବେ ନାହିଁ କହି - ଏହି ଅବସ୍ଥାରେ ଲକ୍ଷ୍ମୀ ଚପଳା ବା ଚଞ୍ଚଳା । ଏହିପରି ମନୁଷ୍ୟମାନେ ଯଦି ଲକ୍ଷ୍ମୀପୂଜା କରନ୍ତି ସେ ପୂଜା ବାହ୍ୟ ଆଡ଼ମ୍ବରପୂର୍ଣ୍ଣ, ପ୍ରାଣହୀନ, ଅନୁଷ୍ଠାନ ବ୍ୟତୀତ ଆଉକିଛି ନୁହେଁ । ଯଦି ପୁରୁଷ ଓ ନାରୀ ଉଭୟେ ଲକ୍ଷ୍ମୀ ପୂଜା କରନ୍ତି ଏବଂ ଯେହେତୁ ଲକ୍ଷ୍ମୀ ମାତୃ ଦେବୀ ସେଥିପାଇଁ ଲକ୍ଷ୍ମୀ ପୂଜାରେ ମା'ମାନଙ୍କର ତତ୍ପରତା ବେଶୀ ଦେଖାଯାଏ । ମା'ମାନେ ହିଁ ସାଧାରଣତଃ ଉପବାସ କରି ଲକ୍ଷ୍ମୀ ବ୍ରତ ପାଳନ କରନ୍ତି ଓ ପୂଜା ଶେଷରେ ପରସ୍ପରକୁ ସିନ୍ଦୂର ଦିଅନ୍ତି । ମହାଲକ୍ଷ୍ମୀଙ୍କର ବୀଜମନ୍ତ୍ରୀ ହେଉଛି - ଶ୍ରୀଂ ଅର୍ଥାତ୍ ମହାଲକ୍ଷ୍ମୀ ଶ୍ରୀ-ସ୍ୱରୂପିଣୀ । ଯେଉଁ ଗୃହରେ ଅନାଚାର, କଦାଚାର ଓ ବ୍ୟଭିଚାର ଘଟେ ସେଠାରେ ମହାଲକ୍ଷ୍ମୀ ଅନ୍ତର୍ହିତ ହୁଅନ୍ତି । ହୀନସ୍ୱାର୍ଥପରତା, ଅର୍ଥଲୋଭ, କଳହ, ଖିଟିମିଟିଆ ସ୍ୱଭାବ, ଅସହିଷ୍ଣୁତା, ହିଂସା, ସ୍ୱେଚ୍ଛାଚାରୀ ଚଳନ, ଗୁରୁଜନ ମାନଙ୍କୁ ଅଶ୍ରଦ୍ଧା, ଅହଂମତ୍ତତା, ଅନ୍ୟକୁ ଦବାଇବାର ବୁଦ୍ଧି, ଅଭିମାନ ଓ ଆଧିପତ୍ୟ ଯେଉଁଠାରେ ଦେଖାଯାଏ ସେଠାରେ ମହାଲକ୍ଷ୍ମୀ ହଜି ଯାଆନ୍ତି ।  ମନୁଷ୍ୟ ନିଜର ଟଙ୍କା ପର, ଯେତେ ପାରିବ ମନୁଷ୍ୟ ଧର ।  ମା'ମାନଙ୍କର ଲକ୍ଷ୍ମୀ ପୂଜା କରିବା ଅର୍ଥ ବ୍ୟକ୍ତିଗତ ଭାବେ ସେମାନେ ଜଣେ ଜଣେ ଲକ୍ଷ୍ମୀ ହୋଇ ଉଠିବେ । ଲକ୍ଷ୍ମୀ ଆସିଛି "ଲକ୍ଷ' ଧାତୁ ଠାରୁ - ଅର୍ଥ ଅଙ୍କନ, ଚିହ୍ନିତକରଣ, ଜ୍ଞାନ, ଦର୍ଶନ ଓ ଆଲୋଚନା ।  ବୈକୁଣ୍ଠର ଅର୍ଥ ବିଗତ କୁଣ୍ଠା ଯେଉଁଠାରେ, ଅର୍ଥ କୁଣ୍ଠା ଯେଉଁଠାରେ ନାହିଁ ଏହିପରି ମାନସିକ ଅବସ୍ଥା ହିଁ ବୈକୁଣ୍ଠ । ସେଥିପାଇଁ ଭକ୍ତକବି ମଧୁସୂଦନ ରାଓ କହିଛନ୍ତି - ବୈକୁଣ୍ଠ ସମାନ ଆହା ଅଟେ ସେହି ଘର, ପରସ୍ପର ସ୍ନେହ ଯହିଁ ଥାଏ ନିରନ୍ତର । ସମସ୍ତ ପ୍ରକାର ସଙ୍କୋଚ, ସଂକୀର୍ଣ୍ଣତା ଓ ହୀନମନ୍ୟତା ତାର ଅବସାନ ଯେଉଁଠାରେ ତାହା ହିଁ ବୈକୁଣ୍ଠ । ଏହି ମାୟାଜାଲରୁ ଯେ ନିଜକୁ ମୁକ୍ତ ରଖି ଈଶ୍ୱରମୁଖୀ ଓ ଇଷ୍ଟମୁଖୀ ଚେତନାରେ ଅବସ୍ଥାନ କରି ସମସ୍ତ କୁଣ୍ଠାର ଅପନୋଦନ ଘଟାଇ ଇଷ୍ଟପ୍ରୀତ୍ୟର୍ଥେ ଜୀବନ ପରିଚାଳିତ କରନ୍ତି ସେ ହିଁ ବୈକୁଣ୍ଠରେ ସ୍ଥିତିଲାଭ କରନ୍ତି ।
    ମୋ: ୯୪୩୭୦୫୧୯୫୭