ଆନନ୍ଦମୂର୍ତ୍ତି ଶ୍ରୀଜଗନ୍ନାଥ


ଜୀବର ସ୍ୱରୂପ ଆନନ୍ଦମୟ ହୋଇଥିଲେ ସେ ସର୍ବଦା ଆନନ୍ଦମୟ ବ୍ରହ୍ମଚୈତନ୍ୟଙ୍କ ପରି ଆନନ୍ଦିତ ରହନ୍ତା । କିନ୍ତୁ ବାସ୍ତବ କ୍ଷେତ୍ରରେ ତାହା ହେଉନାହିଁ । ସେ ଦେହସର୍ବସ୍ୱ ହୋଇ ନିଜେ ପରମାତ୍ମାଙ୍କ ଅଂଶବିଶେଷ ବୋଲି ଚିନ୍ତା କରେ । ନାହିଁ । ଆତ୍ମାକୁ ଭୁଲି ଭୌତିକ ଜଗତରେ ଦେହ ସର୍ବସ୍ୱ ହୋଇ ଘୂରି ବୁଲେ । କ୍ଲେଶ ଭୋଗେ । ଏଠାରେ ମୟ ପ୍ରତ୍ୟୟ ବିକାର ଅର୍ଥରେ ନୁହେଁ, ପ୍ରଚୁରତା ଅର୍ଥରେ ବ୍ୟବହୃତ । କୌଣସି କଥାକୁ ସୁଦୃଢ଼ କରିବା ନିମନ୍ତେ ବାରବାର ଦୋହରାଇବାକୁ ଅଭ୍ୟାସ କୁହାଯାଏ । ତୈତ୍ତିରୀୟ ତଥା ବୃହଦାରଣ୍ୟକ ଆଦି ଅନେକ ଉପନିଷଦରେ ଆନନ୍ଦ ଶବ୍ଦର ବାରମ୍ବାର ପ୍ରୟୋଗ ଦେଖିବାକୁ ମିଳେ । ଭାବାର୍ଥ ହେଉଛି ବ୍ରହ୍ମଙ୍କ ଠାରେ ସତ୍ ଓ ଚିତ୍ ତୁଳନାରେ ଆନନ୍ଦ ଅଧିକ ପରିମାଣରେ ଥାଏ । ଜୀବ ଲୌକିକ ଶତ ଶତ ଆନନ୍ଦ ଲାଭ କରୁଥିବାର ଦେଖାଯାଏ । ବ୍ରହ୍ମ ଆନନ୍ଦ ସିନ୍ଧୁ ହେଲେ ଜୀବ ସେହି ସିନ୍ଧୁର ବିନ୍ଦୁ । ବ୍ରହ୍ମ ଅଖଣ୍ଡ ଆନନ୍ଦ ହେଲାବେଳେ ବ୍ରହ୍ମା ଆଦି ଦେବଗଣ ଓ ଅନ୍ୟମାନେ ବ୍ରହ୍ମାନନ୍ଦର ଏକ କଣିକା ଆଶ୍ରା କରି ବିଭିନ୍ନ ପରିମାଣ ତାରତମ୍ୟର ବିଷୟା-ଆନନ୍ଦରେ ଆନନ୍ଦିତ ହୋଇଥାନ୍ତି । ଶ୍ରୀ ଜଗନ୍ନାଥଙ୍କ କ୍ଷେତ୍ରରେ ସ୍କନ୍ଦ ପୁରାଣ (୨୭/୧୯)ରେ ଉଲ୍ଲେଖ କରାଯାଇଛି ଯେ ପରମ ବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଆନନ୍ଦ ସହଜ ଓ ସ୍ୱାଭାବିକ । ଆନନ୍ଦସାଗରରୁ ବିନ୍ଦୁଏ ଆନନ୍ଦ ପାଇଲା ପରି ପ୍ରାଣୀ ବିଷୟାନନ୍ଦ ପାଇ ଜୀବନ ଧାରଣ କରିଥାନ୍ତି । ସହଜ ଆନନ୍ଦରୂପୀ ଶ୍ରୀଜଗନ୍ନାଥଙ୍କର ଏକ ବିନ୍ଦୁ (ଅଂଶ)କୁ ଆଶ୍ରୟ କରି, ନିଖିଳ ବିଷୟାନନ୍ଦ ପ୍ରତିଭାତ ହୁଏ । ଉକ୍ତ ପୁରାଣ (୮/୨୮)ରେ କୁହାଯାଇଛି ଶ୍ରୀଜଗନ୍ନାଥ ଆନନ୍ଦରୂପୀ ଓ ଜଗତବାସୀ ତାଙ୍କର ଆନନ୍ଦାଂଶ ବଳରେ ଜୀବିତ ହୋଇଥାନ୍ତି : ଯଦଂଶମ୍ଭୁପଜୀବନ୍ତି ଜଗନ୍ତ୍ୟାନନ୍ଦରୂପିଣଃ । ଯୋଗୀଋଷିମାନେ ରସମୟ ପରଂବ୍ରହ୍ମକୁ ଉପଲବ୍ଧି କରି ଆନନ୍ଦ ପାଇଥାନ୍ତି । ମିଳିଥାଏ କାରଣ ବ୍ରହ୍ମରୂପୀ ଶ୍ରୀଜଗନ୍ନାଥ ଆନନ୍ଦର କାରଣ ହେତୁ । ତାଙ୍କଠାରୁ ହିଁ ଆନନ୍ଦପ୍ରାପ୍ତି ହୋଇଥାଏ । ଜ୍ଞାନୀଜନ ଅଭ୍ୟାସ ଦ୍ୱାରା ଆନନ୍ଦମୟ ବ୍ରହ୍ମଙ୍କୁ ଅନୁଭବ କରି ତାଙ୍କ ଠାରୁ ମୋକ୍ଷ ଓ ବ୍ରହ୍ମପଦ ପ୍ରାପ୍ତ ହୋଇଥାନ୍ତି । ଶ୍ରୀଜଗନ୍ନାଥ ଆନନ୍ଦମୂର୍ତ୍ତି । ସ୍କନ୍ଦ ପୁରାଣ ମତେ ତେଣୁ ଚିନ୍ତନ / ମନନ / ଧ୍ୟାନ / ଦର୍ଶନ / ସ୍ପର୍ଶନ କଲେ ଜୀବ ପରମ ଆନନ୍ଦ ଲାଭ କରେ । 
ଅଲେଖ ଚନ୍ଦ୍ର ସାମଲ
ମୋ: ୯୪୩୭୨୫୭୧୨୩