ପ୍ରେସ୍ମିଟ୍ କରି ବିରୋଧୀଙ୍କ ଉପରେ ପ୍ରବଳ ବର୍ଷିଲେ ମନମୋହନ
ଭୁବନେଶ୍ୱର: କଂଗ୍ରେସ ଗୁରୁବାର ବିଧାନସଭା ଘେରାଉ କରିଛି। ଏପଟେ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ ଦଳୀୟ କାର୍ଯ୍ୟାଳୟରେ ପ୍ରେସ୍ମିଟ୍ କରି ବିରୋଧୀଙ୍କ ଉପରେ ପ୍ରବଳ ବର୍ଷିଛନ୍ତି। ସେ କହିଛନ୍ତି, କଂଗ୍ରେସ ଓ ତାଙ୍କ ଦଳର ନେତା ଆତ୍ମସମୀକ୍ଷା କରନ୍ତୁ। ସେମାନେ ବିରୋଧୀ ଦଳର ଭୂମିକା କ’ଣ ବୁଝିନାହାନ୍ତି। ବିରୋଧୀଙ୍କ ଆଚରଣ, ଉଚ୍ଚାରଣ ଆଦୌ ଠିକ୍ ନୁହେଁ। ବିଧାନସଭାରେ ମର୍ଯ୍ୟାଦା ରହିବା ଜରୁରୀ ବୋଲି ମନମୋହନ କହିଛନ୍ତି। ସୂଚନା ଥାଉ କି, ରାଜ୍ୟରେ ମହିଳା ଅସୁରକ୍ଷିତ ଏବଂ ଏଥିଲାଗି ଗୃହକମିଟି ଦାବି କରି କଂଗ୍ରେସର ୧୪ ସଦସ୍ୟ ନିଲମ୍ବନ ହେବା ଘଟଣାରେ ରାଜ୍ୟ କଂଗ୍ରେସ ତୀବ୍ର ପ୍ରତିକ୍ରିୟାଶୀଳ ହୋଇପଡ଼ିଛି। ଏହି ଘଟଣାକୁ ଗାଁ ଗଣ୍ଡାରେ ପହଞ୍ଚାଇବା ପାଇଁ ପ୍ରସ୍ତୁତ ହୋଇଛି ନକ୍ସା। ଗୁରୁବାର ରାଜ୍ୟ କଂଗ୍ରେସ ବିଧାନସଭାର ଚତୁଃପାର୍ଶ୍ୱକୁ ଘେରାଉ କରିଛି।