ଆଗାମୀ ବର୍ଷ ପେଲେଟ ପ୍ଲାଣ୍ଟ ସ୍ଥାପନ ଯୋଜନା
ଭୁବନେଶ୍ୱର :ଓଡ଼ିଶା ମାଇନିଂ କର୍ପୋରେସନ ଲିମିଟେଡ୍୨୦୨୫-୨୬ ଆର୍ଥିକ ବର୍ଷରେ ୫୦ ନିୟୁତ ଟନ୍ ଖଣିଜ ଉତ୍ପାଦନ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛି। ରାଜ୍ୟର ଏହି ସରକାରୀ ଉଦ୍ୟୋଗ ଏହି ଆର୍ଥିକ ବର୍ଷରେ ୩୦,୦୦୦ କୋଟି ଟଙ୍କାର ବିକ୍ରୟ ରାଜସ୍ୱ ହାସଲ କରିବାକୁ ମଧ୍ୟ ଯୋଜନା କରିଛି। ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ଏହି ତଥ୍ୟ ପ୍ରକାଶ ପାଇଛି।
ବୈଠକରେ ରାଜ୍ୟରେ ଖଣିଜ ଉତ୍ପାଦନ ବୃଦ୍ଧି ପାଇଁ ବିଭିନ୍ନ ପଦକ୍ଷେପ ନେଇ ଆଲୋଚନା ହୋଇଛି। ବିଶେଷ କରି ଓଡ଼ିଶାରେ ବକ୍ସାଇଟ ଉତ୍ପାଦନକୁ ବୃଦ୍ଧି କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମଓ) ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି, “ଓଏମସି ୨୦୨୫-୨୬ ଆର୍ଥିକ ବର୍ଷରେ ୩.୬ ନିୟୁତ ଟନ୍ ବକ୍ସାଇଟ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖିଛି। ପରବର୍ତ୍ତୀ ଆର୍ଥିକ ବର୍ଷରେ ଏହାକୁ ୬ ନିୟୁତ ଟନକୁ ବୃଦ୍ଧି କରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ।”ଏହା ସହିତ, ଓଏମସି ପକ୍ଷରୁ ଏକ ପେଲେଟ ପ୍ଲାଣ୍ଟ ସ୍ଥାପନ ପାଇଁ ପ୍ରସ୍ତାବ ଉପରେ ଆଲୋଚନା ହୋଇଛି। ଏହି ପ୍ରକଳ୍ପ ପାଇଁ ଏକ ଟେକ୍ନୋ-ଇକୋନୋମିକ ଫିଜିବିଲିଟି ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ଭାରତ ସରକାରଙ୍କ ଏକ ସଂସ୍ଥାକୁ ନିୟୋଜିତ କରାଯାଇଛି। ଏହି ପେଲେଟ ପ୍ଲାଣ୍ଟ ପ୍ରକଳ୍ପକୁ ୨୦୨୬ ମେ’ ମାସ ସୁଦ୍ଧା କାର୍ଯ୍ୟକାରୀ କରିବା ପାଇଁ ଏକ ସ୍ୱତନ୍ତ୍ର କମିଟି ଗଠନ କରାଯାଇଛି। ମୁଖ୍ୟମନ୍ତ୍ରୀ ମାଝୀ ଖଣିଜ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ପାଇଁ ରୋଜଗାର ସୁଯୋଗ ସୃଷ୍ଟି ଏବଂ ଜୀବନଧାରଣ ମାନ ଉନ୍ନତ କରିବା ପାଇଁ ଓଏମସି ଦ୍ୱାରା ଅତିରିକ୍ତ ପଦକ୍ଷେପ ଗ୍ରହଣ ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି, “ଖଣିଜ ଅଞ୍ଚଳ ପାଇଁ ଥିବା ସମସ୍ତ ଯୋଜନାକୁ ଏକତ୍ରିତ କରି ଆମେ ରୋଜଗାର ଓ ଜୀବନଧାରଣ ଉନ୍ନତିର ଦୁଇଟି ଲକ୍ଷ୍ୟ ହାସଲ କରିପାରିବୁ।” ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ ଓଏମସି ଖଣିଜ ଅଞ୍ଚଳର ବିକାଶ ପାଇଁ ଏକ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିବ।