କାହା ସ୍ୱାର୍ଥରେ ସାଢେ ୩ କୋଟିର ବିଜୁସେତୁ ? ନିର୍ମାଣର ୨ ବର୍ଷ ପରେ ବି ହୋଇପାରୁନି ବ୍ୟବହାରଯୋଗ୍ୟ
କାଳିଆପାଣି : କାଳିଆପାଣି ଖଣି ଅଞ୍ଚଳରେ ସରକାରୀ ଅର୍ଥ ଲୁଟ୍ କରିବାର ଏକ ସୁଚିନ୍ତିତ ମାର୍ଗ ତିଆରିଛି ପ୍ରଶାସନ । କୋଟି କୋଟି ଟଙ୍କାର ବ୍ୟୟ ବରଦାରେ ନିର୍ମାଣ ହୋଇ ଚାଲିଛି ଅନେକ ପ୍ରକଳ୍ପ । କିନ୍ତୁ ବିଡ଼ମ୍ବନା ଯେଉଁ ଉଦେଶ୍ୟରେ ଅର୍ଥ ବରାଦ କରାଯାଇ ଉକ୍ତ ପ୍ରକଳ୍ପ ଗୁଡିକ ତ୍ୱରାନ୍ୱିତ କରାଯାଉଛି ତାହା ସାଧାରଣ ଜନତାଙ୍କ ସେବାରେ ଲାଗିପାରୁନି । ସାଧାରଣ ଜନତା ଉପକୃତ ହେବା ପରିବର୍ତେ ଏହା ବିଭାଗୀୟ ଅଧିକାରୀ, ରାଜନେତା ଏବଂ ଠିକାଦାର ମାନଙ୍କ ନେଉଟିଆ କିଆରି ହୋଇରହିଛି । ସୁକିନ୍ଦା ଖଣି ଅଞ୍ଚଳ କାଳିଆପାଣି ପଞ୍ଚାୟତର ଗୁରୁଜାଙ୍ଗ (ଓସ୍ତପାଳ ମାଇନିଂ) ଗାଁକୁ ଟମକା-ମଙ୍ଗଳପୁର ରାସ୍ତା ସହିତ ସଂଯୋଗ କରୁଥିବା ଡମଶାଳ ନାଳ ଉପରେ ନିର୍ମିତ କରାଯାଇଛି ଏକ ବିଜୁସେତୁ । ଉକ୍ତ ପୋଲଟି ଗତ ୨ବର୍ଷ ପୂର୍ବରୁ ନିର୍ମାଣ ହୋଇ ସାରିଛି । କେବଳ ଯେ ଏହା ଗୋଟିଏ ନୁହେଁ ବିଜୁସେତୁ ଯୋଜନା ଅନୁଯାଇ ଡମଶାଳ ନାଳ ଉପରେ ଏହିପରି ଅନ୍ୟ ତିନୋଟି ବିଜୁସେତୁ ନିର୍ମାଣଧୀନ ରହିଛି । ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ଡମଶାଳ ନାଳ ଉପରେ ନିର୍ମାଣ କରାଯାଉଥିବା ପୋଲ ଗୁଡିକର ଅଟକଳ ରାଶିର ସୂଚନା ଫଳକ କୌଣସି ଠାରେ ଉଲ୍ଲେଖ କରାଯାଇ ନାହିଁ । କେବଳ ଏ ଅଂଚଳର ରାଜନେତା ମାନଙ୍କ ଠାରୁ ଶୁଣିବାକୁ ମିଳିଛି ଯେ, କୋଟି କୋଟି ଟଙ୍କାର ବ୍ୟୟ ଅଟକଳରେ ସ୍ଥାନୀୟ ଖଣି ପ୍ରଭାବିତ ଜନସାଧାରଣଙ୍କ ଯାତାୟାତ ବା ଗମନା ଗମନ ର ସୁବିଧା ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରାଯାଉଛି କ୍ଷ କିନ୍ତୁ ପ୍ରକୃତରେ ଦେଖିବାକୁ ଗଲେ ଗୁରୁଜାଙ୍ଗ ଠାରେ ନିର୍ମାଣ ହୋଇଥିବା ପୋଲଟି ବର୍ତ୍ତମାନ ସୁଦ୍ଧା ସାଧାରଣରେ ଲୋକାର୍ପଣ ହୋଇପାରିନାହିଁ । ଆଉ ଯେତେଦୂର ଅନୁମାନ କରାଯାଉଛି ଏହା ଆସନ୍ତା କିଛିବର୍ଷ ହେବାର ସମ୍ଭାବନା ନାହିଁ । କାରଣ ଏହା ଏମିତି ଏକ ସ୍ଥାନରେ ନିର୍ମାଣ କରାଯାଇଛି ଯେ ପୋଲ ରୁ ତଳକୁ ବା ଗୁରୁଜାଙ୍ଗ ଗାଁ ଆଡକୁ ଓଲ୍ହାଇବା ପାଇଁ ସ୍ଥାନ ଉପଲବ୍ଧ ନାହିଁ । ଯେହେତୁ ପୋଲଟି ରାସ୍ତା ଉପରୁ ଅତିକମରେ କୋଡିଏ ଫୁଟରେ ଅଛି ଏବଂ ପୋଲରୁ ତଳକୁ ଖସିବାକୁ ଆବଶ୍ୟକ ମୁତାବକ ସ୍ଥାନ ବା ଜାଗାନାହିଁ । ପୋଲ ନିକଟରୁ ମାତ୍ର ୨୦ଫୁଟ ଦୂରରେ ଥିବା ଗାଁ ରାସ୍ତାଟି ସେହି ଠାରୁ ହିଁ ବାମପଟ ଏବଂ ଡାହାଣ ପଟକୁ ଯାଇଛି । ଆଉ ପୋଲକୁ ଲାଗି ଏକ ବିରାଟ ଶାଳ ଗଛ ରହିଛି । ଏହା ଯେକେହି ଦେଖିଲେ ବୁଝି ପରିବେ ଯେ ଏଠାରେ ନିଶ୍ଚିତ ଅଘଟଣ କିମ୍ବା ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି । ସାଧାରଣ ଜନତା ବା ସ୍ଥାନୀୟ ଲୋକେ କହୁଛନ୍ତି ଯେ ଏହି ପୋଲଟି କେବଳ ସରକାରୀ ଅର୍ଥ ଲୁଟ କରିବାପାଇଁ ନିର୍ମାଣ କରାଯାଇଛି । ସାଧାରଣ ଜନତା ଏହା ଉପରେ ଯିବାଆସିବା ସମ୍ଭବ ନୁହେଁ । ଗୁରୁଜାଙ୍ଗ ଗାଁ ଲୋକମାନେ ଅଭିଯୋଗ କରିଛନ୍ତି ଯେ ପୋଲଟି ସାଧାରଣ ଜନତାଙ୍କ ହିତରେ ନହୋଇ କେବଳ ଅର୍ଥ ହଡପର ଏକ ମାଧ୍ୟମ କରାଯାଇଛି । ଯଦି ଏହାକୁ ସାଧାରଣ ଜନତାଙ୍କ ପାଇଁ ଉର୍ଦ୍ଧିଷ୍ଟ ତେବେ ସରକାରୀ ବାବୁ ବା ବିଭାଗୀୟ ଅଧିକାରୀ ଆସି ଏହାକୁ ଥରେ ତଦାରଖ କରି ଦେଖିବା ଉଚିତ ।