ରାଜ୍ୟ ସମବାୟ ନିର୍ବାଚନ ପ୍ରାଧିକରଣମାନଙ୍କ ସହ ସିଇଏଙ୍କ ବୈଠକ

  ଭୁବନେଶ୍ୱର :  ସମବାୟ ନିର୍ବାଚନ ପ୍ରାଧିକରଣ (ସିଇଏ) ଆଜି ନୂଆଦିଲ୍ଲୀରେ ରାଜ୍ୟ ସମବାୟ ନିର୍ବାଚନ ପ୍ରାଧିକରଣମାନଙ୍କ ସହିତ ପ୍ରଥମ ପରାମର୍ଶମୂଳକ ବୈଠକ କରିଛନ୍ତି । ଏହି ବୈଠକର ଉଦେ୍ଦଶ୍ୟ ଥିଲା ସମବାୟ ସଂସ୍ଥାଗୁଡ଼ିକରେ ମୁକ୍ତ ଓ ନିରପେକ୍ଷ ନିର୍ବାଚନ ସୁନିଶ୍ଚିତ କରିବା ଏବଂ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ କରିବା ପାଇଁ ରାଜ୍ୟ ସମବାୟ ନିର୍ବାଚନ ପ୍ରାଧିକରଣମାନଙ୍କ ସହିତ ଆଲୋଚନାର ଏକ ବ୍ୟବସ୍ଥା ବିକଶିତ କରିବା । ସମବାୟ ନିର୍ବାଚନ ପ୍ରାଧିକରଣର ଅଧ୍ୟକ୍ଷ ଦେବେନ୍ଦ୍ର କୁମାର ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଓଡ଼ିଶା, ବିହାର, ତାମିଲନାଡୁ, ତେଲଙ୍ଗାନା ଏବଂ ମହାରାଷ୍ଟ୍ରର ରାଜ୍ୟ ନିର୍ବାଚନ କମିଶନରମାନେ ଯୋଗ ଦେଇଥିଲେ । ସମବାୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଆନନ୍ଦ କୁମାର ଝା, ଉପାଧ୍ୟକ୍ଷ ଆର.କେ. ଗୁପ୍ତା ଏବଂ ସମବାୟ ଲୋକପାଳ ଆଲୋକ ଅଗ୍ରୱାଲ ମଧ୍ୟ ବୈଠକରେ ଯୋଗ ଦେଇଥିଲେ । ଏହି ଅବସରରେ ସମବାୟ ନିର୍ବାଚନ ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ  ସିଂହ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ, କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ  ଅମିତ ଶାହଙ୍କ ମାର୍ଗଦର୍ଶନରେ ସରକାର ସମବାୟ କ୍ଷେତ୍ରରେ ଅନେକ ସଂସ୍କାର ଆଣିଛନ୍ତି, ଯେଉଁଥିରେ ସମବାୟ ନିର୍ବାଚନ ପ୍ରାଧିକରଣ ପ୍ରତିଷ୍ଠା ଅନ୍ତର୍ଭୁକ୍ତ । ସମବାୟ ନିର୍ବାଚନ ପ୍ରାଧିକରଣ ୨୦୨୪  ମାର୍ଚ୍ଚ ଠାରୁ ୧୫୯ଟି ନିର୍ବାଚନ ପରିଚାଳନା କରିଛି । ଆଗାମୀଦିନରେ ଆଉ ୬୯ଟି ସମବାୟ ନିର୍ବାଚନ ପରିଚାଳନା ଲାଗି ପ୍ରକ୍ରିୟା ଜାରି ରହିଛି । ସମବାୟ ନିର୍ବାଚନ ପାଇଁ ମାନକ ନିୟମ ଏବଂ ଆଚରଣ ସଂହିତାର ଆବଶ୍ୟକତା ରହିଛି । ଅଂଶଗ୍ରହଣକାରୀ ରାଜ୍ୟ ସମବାୟ ନିର୍ବାଚନ ପ୍ରାଧିକରଣ ମଧ୍ୟ କାର୍ଯ୍ୟସୂଚୀରେ ସମବାୟ ନିର୍ବାଚନରେ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ ପ୍ରଚଳନ ପାଇଁ ପ୍ରସ୍ତାବକୁ ଅନ୍ତର୍ଭୁକ୍ତ କରିଥିଲେ । ଏହି ବୈଠକରେ ଓଡ଼ିଶାରୁ ଶ୍ରୀ ଶ୍ରୀକାନ୍ତ ପୃଷ୍ଟି, ବିହାରରୁ ଗିରିଶ ଶଙ୍କର ଓ  କୁମାର ଶାନ୍ତ ରକ୍ଷିତ, ତାମିଲନାଡୁରୁ ତିରୁ ଦୟାନନ୍ଦ କଟାରିଆ, ମହାରାଷ୍ଟରୁ ଅନୀଲ ମହାଦେବ କଭାଡେ ଓ  ଅଶୋକ ଗାଡେ ଏବଂ ତେଲେଙ୍ଗାନାରୁ ଜି ଶ୍ରୀନିବାସ ରାଓ ଅଂଶଗ୍ରହଣ କରିଥିଲେ ।