ଶକ୍ତି ବିଭାଗ ବିଭିନ୍ନ ଯୋଜନାର ଅଗ୍ରଗତି ନେଇ କେଭିଙ୍କ ସମୀକ୍ଷା
ଭୁବନେଶ୍ୱର : ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଓ ପ୍ରଧାନମନ୍ତ୍ରୀ-କୁସୁମ ଭଳି ଶକ୍ତି ବିଭାଗର ପ୍ରମୁଖ ଯୋଜନାଗୁଡ଼ିକର କାର୍ଯ୍ୟାନ୍ୱୟନ ସମୀକ୍ଷା କରିଛନ୍ତି । ଏହି ଦୁଇଟି ଗୁରୁତ୍ୱପୂର୍ଣ୍ଣ ଯୋଜନା ଓଡ଼ିଶାର ସ୍ୱଚ୍ଛ ଶକ୍ତି ପରିବର୍ତ୍ତନରେ ଅଗ୍ରଣୀ ଭୂମିକା ଗ୍ରହଣ କରିବ ।
ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି, ଓଡ଼ିଶା ଏକ ସ୍ଥାୟୀ, ଆତ୍ମନିର୍ଭରଶୀଳ ଶକ୍ତି ଭବିଷ୍ୟତର ଲକ୍ଷ୍ୟରେ ଅଗ୍ରସର ହେଉଛି । ଯେଉଁଠାରେ ନବସୃଜନ ଅନ୍ତର୍ଭୁକ୍ତିକରଣର ସମନ୍ୱୟରେ ପ୍ରତ୍ୟେକ ପରିବାର ଏବଂ ଚାଷୀ ସଶକ୍ତ ହୁଅନ୍ତି । ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନାରେ ମୋଟ ୧,୨୮,୩୩୬ ଆବେଦନ କରିଛନ୍ତି, ଯେଉଁଥିରୁ ୧,୨୭,୮୨୦ଟି ଆବେଦନ ସମ୍ଭାବ୍ୟତାକୁ ଅନୁମୋଦନ ଦିଆଯାଇଛି । ଏଯାବତ ୩୩.୬ ମେଗାୱାଟ କ୍ଷମତା ସ୍ଥାପନ କରାଯାଇଛି । ସେହିପରି ପ୍ରଧାନମନ୍ତ୍ରୀ-କୁସୁମ ଯୋଜନାରେ ୫୦ ମେଗାୱାଟ କ୍ଷମତାକୁ ଓଡ଼ିଶା ବିଦୁ୍ୟତ ନିୟାମକ (ଓଇଆରସି) ଦ୍ୱାରା ଅନୁମୋଦନ ପ୍ରାପ୍ତ କରାଯାଇଛି । ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ବିଭାଗ ଦ୍ୱାରା ଅଭିଯୋଗଗୁଡ଼ିକର ଶୀଘ୍ର ସମାଧାନ ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ, ବିଶେଷକରି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସିଥିବା ଅଭିଯୋଗର ତ୍ୱରିତ ସମାଧାନ ପାଇଁ ନିଦେ୍ର୍ଦଶ ଦେଇଛନ୍ତି । ନିୟମିତ ଭାବରେ ଭେଣ୍ଡରମାନଙ୍କର କାର୍ଯ୍ୟଦକ୍ଷତା ସମୀକ୍ଷା କରିବାକୁ ନିଦେ୍ର୍ଦଶ ଦେଇଛନ୍ତି । ଠିକଭାବେ କାର୍ଯ୍ୟ କରୁନଥିବା ଭେଣ୍ଡରଙ୍କ ପଞ୍ଜିକରଣ ରଦ୍ଦ କରିବାକୁ ମଧ୍ୟ ବୈଠକରେ ଆଲୋଚନା କରାଯାଇଛି ।
ଶକ୍ତି ବିଭାଗ ପ୍ରମୁଖ ସଚିବ ବିଶାଳ ଦେବ, ବିତ୍ତପରାମର୍ଶ ଦାତା-ତଥା-ସ୍ୱତନ୍ତ୍ର ସଚିବ ଦେବୀଦତ୍ତ ତ୍ରିପାଠୀ, ଅତିରିକ୍ତ ସଚିବ ସାଈଦତ୍ତ ବିପ୍ଳବ କେଶରୀ ପ୍ରଧାନ, ଓରେଡା, ଟାଟା ପାୱାର ଏବଂ ଶକ୍ତି ବିଭାଗର ବରିଷ୍ଠ ଅଧିକାରୀମାନେ କାର୍ଯ୍ୟାନ୍ୱୟନକୁ ତ୍ୱରାନ୍ୱିତ କରିବା ପାଇଁ ସେମାନଙ୍କର ସୁଦୃଢ଼ ଏବଂ ରଣନୈତିକ ରୋଡମ୍ୟାପ୍ ପ୍ରଦାନ କରିଥିଲେ ।