ବିପର୍ଯ୍ୟସ୍ତ ନୂଆଗଡ-ମିଲିଟାରୀ ରାସ୍ତା 

 ଯାଜପୁର : ବର୍ଷା କମିଲେ ମରାମତି କରିଦେବୁ । ଏକଥା କହିଥିଲେ ପୂର୍ତ୍ତ ବିଭାଗ ଏସଡ଼ିଓ ଦିଲୀପ କୁମାର ନାୟକ । ଚଳିତ ମାସ ୩ ତାରିଖରେ ଏହି ପ୍ରତିନିଧି ନୂଆଗଡ଼-ମିଲଟାରୀ ରାସ୍ତା ଦୂରାବସ୍ତା ସଂପର୍କରେ ମତ ନେବାରେ ଉପରୋକ୍ତ କଥା କହିଥିଲେ । ବ୍ୟାସନଗର ପୈାରାଞ୍ଚଳର ପ୍ରବେଶପଥର ନୂଆଗଡ଼ ବା ୨୦ନଂ ଜାତୀୟ ରାଜପଥରୁ କଳିଙ୍ଗନଗର ଶିଳ୍ପାଞ୍ଚଳକୁ ପଡ଼ିଥିବା ଏହି ପ୍ରମୂଖ ରାସ୍ତାଟି ବିପର୍ଯ୍ୟସ୍ତ ହୋଇପଡ଼ିଥିବାର ଦୃଷ୍ଟି ଆକର୍ଷଣ କରିବା ପରେ ବିଭାଗ ପକ୍ଷରୁ ତହିଁ ପରଦିନ ରାଣୀପଡ଼ା ଓଭରବ୍ରିଜ ନିକଟରେ ହୋଇଥିବା ଆଣ୍ଠୁଏ ଖାଲରେ ଡ଼ବ୍ଲୁଏମଏମ ପକାଇବା ସହ କେତେକ ସ୍ଥାନରେ ବସ୍ତାରେ ଆଣିଥିବା ପିଚୁ ପକାଇଥିଲେ । ବର୍ଷା ଛାଡ଼ିଲା ପରେ ଉକ୍ତ ରାସ୍ତା ମରାମତି କରାଯିବ ବୋଲି କୁହାଯାଇଥିଲେ ହେଁ ବିଭାଗ କିନ୍ତୁ ଭୁଲିଗଲା । ହେଲେ ବର୍ତମାନର ସଂପୃକ୍ତ ରାସ୍ତା ଅବସ୍ଥା ପୁରା ଶୋଚନୀୟ ହୋଇପଡ଼ିଛି । ରାଣୀପଡ଼ା ଓଭରବ୍ରିଜ ହେଉ କି ନୟାର ପେଟ୍ରୋଲ ପମ୍ପ ସମ୍ମୁଖରେ ପ୍ରତିଦିନ ଦୁର୍ଘଟଣା ମାନ ଘଟୁଛି । ରାସ୍ତାରେ ସୃଷ୍ଟି ହୋଇଥିବା ବିରାଟକାୟ ଖାଲ କାରଣରୁ ଛୋଟରୁ ଆରମ୍ଭ କରି ବଡ଼ ଗାଡ଼ି ଦୁର୍ଘଟଣାଗସ୍ତ ହେଉଛନ୍ତି । ଯାହା ଫଳରେ ଗାଡ଼ିର ଚାଳକ ଏବଂ ଖଲାସୀ ଆହତ ବା ଗୁରୁତର ହେଉଛନ୍ତି । ରାସ୍ତା ଉପରେ ଗାଡ଼ି ଗୁଡ଼ିକ ପଲଟିଯିବା କାରଣରୁ ଗାଡ଼ି ମୋଟର ଚଳାଚଳରେ ବ୍ୟାଘାତ ଘଟୁଛି । ଏହା ନିତି ଦିନିଆ ଘଟଣା ହୋଇପଡ଼ିଥିଲେ ବି ପୂର୍ତ୍ତ ବିଭାଗର ନିଦ କିନ୍ତୁ ଭାଙ୍ଗୁନି ।  ୨୦ନଂ ଜାତୀୟ ରାଜପଥର ନୂଆଗଡ଼ ଠାରୁ କଳିଙ୍ଗନଗର ଶିଳ୍ପାଞ୍ଚଳକୁ ସଂଯୋଗ କରୁଥିବା ରାସ୍ତାରେ ପ୍ରତିସମୟରେ ଭାରୀଯାନ ଚଳାଚଳ ସହ ଶିଳ୍ପକର୍ମଚାରୀ ଏବଂ ଶ୍ରମିକଙ୍କୁ ନେବା ଆଣିବା କରୁଛି ଶତାଧିକ ବସ ଆତଯାତ ହେଉଛି । ଯେଉଁ ଗାଡ଼ି ଗୁଡ଼ିକ ଉକ୍ତ ରାସ୍ତାରେ ଯିବାକୁ ଭୟ କରୁଥିଲେ ହେଁ ପରିସ୍ଥିତି ସେମାନଙ୍କୁ ଯିବାକୁ ବାଧ୍ୟ କରୁଛି । ଯଦି କୈାଣସି ସମୟରେ ବଡ଼ଧରଣ ଅଘଟଣ ଘଟେ ସେଥିପାଇଁ ପୂର୍ତ୍ତ ବିଭାଗ ଦାୟି ରହିବ ତ ? । କୈାଣସି ବଡ଼ ଧରଣର ଦୁର୍ଘଟଣା ଘଟିବା ପୂର୍ବରୁ ବିଭାଗ ସଂପୃକ୍ତ ରାସ୍ତା ମରାମତି କରିବାକୁ ସାଧାରଣରେ ଦାବି କରାଯାଇଛି ।