ମୋଦି-ଜିନପିଙ୍ଗ ଭେଟ ସୀମାରେ ଶାନ୍ତି ବଜାୟ ରଖିବାକୁ ସହମତି
ାା ଏଜେନ୍ସି ।ା ନୂଆଦିଲ୍ଲୀ: ରୁଷର କଜାନରେ ବ୍ରିକ୍ସ ସମିଟ୍ ବାହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଛି । ଦୁଇ ନେତାଙ୍କ ମଧ୍ୟରେ ପ୍ରାୟ ଏକ ଘଣ୍ଟା ଯାଏ ବୈଠକ ହୋଇଛି । ଏହି ବୈଠକ ପରେ ପିଏମ୍ ମୋଦି କହିଛନ୍ତି ଯେ ସୀମାରେ ଶାନ୍ତି ଏବଂ ସ୍ଥିରତା ବଜାୟ ରଖିବା ଆମର ପ୍ରାଥମିକତା ରହିବା ଦରକାର । ୫ ବର୍ଷ ପରେ ଆମର (ଚୀନ ରାଷ୍ଟ୍ରପତି ଜିନପିଙ୍ଗଙ୍କ ସହ) ସାକ୍ଷାତ ହୋଇଛି । ମୋଦି କହିଛନ୍ତି ଯେ ପରସ୍ପର ଉପରେ ବିଶ୍ୱାସ, ପରସ୍ପରର ସହମତି ଏବଂ ପରସ୍ପର ପ୍ରତି ସମ୍ବେଦନଶୀଳତା ଆମ କୂଟନୈନିକ ସମ୍ପର୍କର ମୂଳଦୂଆ ହେବା ଦରକାର । ବୈଠକରେ ସୀମା ବୁଝାମଣା ଉପରେ ସହମତିକୁ ପିଏମ୍ ମୋଦି ସ୍ୱାଗତ କରିଛନ୍ତି । ଦୁଇ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ହୋଇଥିବା ବୈଠକରେ ମୋଦି ଭାରତ-ଚୀନ ସମ୍ପର୍କର ମହତ୍ୱକୁ ସ୍ୱୀକାର କରିଛନ୍ତି । ସେ କହିଛନ୍ତି ଯେ ଆମେ ପାଞ୍ଚ ବର୍ଷ ପରେ ଔପଚାରିକ ବୈଠକ କରିଛୁ । ଆମ ବିଶ୍ୱାସ ଭାରତ-ଚୀନ ସମ୍ପର୍କ କେବଳ ଆମ ଲୋକଙ୍କ ପାଇଁ ନୁହେଁ, ବରଂ ବୈଶ୍ୱିକ ଶାନ୍ତି, ସ୍ଥିରତା ଓ ପ୍ରଗତି ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ବୈଠକ ପରେ ଦୁଇ ନେତା ଭାରତ-ଚୀନ ସୀମାରେ ବିଶେଷ ପ୍ରତିନିଧି ସୀମା କ୍ଷେତ୍ରରେ ଶାନ୍ତି ଏବଂ ସୌହାର୍ଦ୍ଦ୍ୟର ତଦାରଖ କରିବା ଉପରେ ସହମତ ହୋଇଛନ୍ତି । ଏହାସହ ଏହି ପ୍ରସଙ୍ଗରେ ନିରପେକ୍ଷ, ସଠିକ୍ ଏବଂ ପାରସ୍ପାରିକ ରୂପେ ଗ୍ରହଣୀୟ ସମାଧାନ ବାହାର କରିବା ପାଇଁ ବୈଠକ କରିବେ । ଅକ୍ଟୋବର ୨୦୧୯ରେ ମହାବଲିପୁରମରେ ଏକ ଅନୌପଚାରିକ ଶିଖର ସମ୍ମିଳନୀରେ ଦୁଇ ନେତା ସାକ୍ଷାତ ହୋଇଥିଲେ । କିଛି ମାସ ପୂର୍ବରୁ ପୂର୍ବ ଲଦାଖରେ ଚୀନ୍ ଆକ୍ରମଣ ଏଲଏସିରେ ସାମରିକ ବିବାଦ ସୃଷ୍ଟି କରିଥିଲା । ଦୁଇ ନେତା ବାଲି (୨୦୨୨) ଏବଂ ଜୋହାନ୍ସବର୍ଗ (୨୦୨୩)ରେ କିଛି ସଂକ୍ଷିପ୍ତ ବୌଠକ କରିଥିଲେ । ତେବେ ବୁଧବାରର ବୈଠକ ହେଉଛି ପ୍ରଥମ ଉପଯୁକ୍ତ ଦ୍ୱିପାକ୍ଷିକ ବୈଠକ । ବିଶେଷଜ୍ଞମାନଙ୍କ ଅନୁସାରେ ଚାରି ବର୍ଷ ଧରି ଚାଲିଆସୁଥିବା ଅବରୋଧକୁ ଶେଷ କରିବାରେ ପିଏମ ମୋଦି ଏବଂ ଜିନପିଙ୍ଗଙ୍କ ମଧ୍ୟରେ ସାକ୍ଷାତ ଏକ ପ୍ରମୁଖ ସଫଳତା ।