ଟାର୍ଗେଟରେ ବାବା ସିଦ୍ଦିକଙ୍କ ପୁଅ
ାା ଏଜେନ୍ସି ।ା ମୁମ୍ବାଇ: ବାବା ସିଦ୍ଦିକିଙ୍କ ପରେ ଏବେ ଟାର୍ଗେଟରେ ଜିସାନ ସିଦ୍ଦିକି । ହିଟ୍ ଲିଷ୍ଟରେ ରହିଛି ତାଙ୍କର ନାଁ । ତାଙ୍କୁ ମଧ୍ୟ ହତ୍ୟା କରିବାକୁ ହୋଇଥିଲା ଷଡଯନ୍ତ୍ର । ଏନସିପି ନେତା ବାବା ସିଦ୍ଦିକିଙ୍କ ହତ୍ୟାକାଣ୍ଡ ମାମଲାରେ ଏଭଳି କିଛି ନୂଆ ଖୁଲାସା ହୋଇଛି । ଗିରଫ ଅଭିଯୁକ୍ତଙ୍କ ମୋବାଇଲରୁ ପୁଅ ଜିସାନ ସିଦ୍ଦିକିର ଫଟୋ ମିଳିଛି । ଏହି ଫଟୋକୁ ତାଙ୍କ ହ୍ୟାଣ୍ଡେଲର୍ ଦ୍ୱାରା ସ୍ନାପଚାଟ ମାଧ୍ୟମରେ ଅଭିଯୁକ୍ତଙ୍କ ସହ ସେୟାର କରାଯାଇଥିଲା । ଅନୁସନ୍ଧାନରୁ ଜଣାପଡିଛି ଯେ ସୁଟର ଏବଂ ଷଡଯନ୍ତ୍ରକାରୀମାନେ ମେସେଜ ଆଦାନ ପ୍ରଦାନ ପାଇଁ ସ୍ନାପଚାଟ ବ୍ୟବହାର କରିଥିଲେ । ମୁମ୍ବାଇ ପୁଲିସ ଏହି ସୂଚନା ଦେଇଛି । ଲରେନ୍ସ ଗ୍ୟାଙ୍ଗର ହ୍ୟାଣ୍ଡେଲରଙ୍କଠାରୁ ସ୍ନାପଚାଟ ଜରିଆରେ ସୂଚନା ମିଳିବା ପରେ ଉକ୍ତ ମେସେଜକୁ ଡିଲିଟ୍ କରାଯାଇଥିଲା । ଏଥିସହିତ ଏହା ମଧ୍ୟ ପ୍ରକାଶ ପାଇଛି ଯେ ବାବା ସିଦ୍ଦିକିଙ୍କୁ ହତ୍ୟା କରିବା ପାଇଁ ପ୍ରଥମେ ଅଭିଯୁକ୍ତ ୧ କୋଟି ଟଙ୍କା ମାଗିଥିଲେ । ଗିରଫ ଅଭିଯୁକ୍ତ ରାମ କାନୌଜିଆକୁ ପଚରାଉଚରା ବେଳେ ପୁଲିସ ଏହା ଜାଣିବାକୁ ପାଇଛି ।
ବାବା ସିଦ୍ଦିକିଙ୍କ ହତ୍ୟାକାଣ୍ଡ ମାମଲାରେ ମୁମ୍ବାଇ କ୍ରାଇମବ୍ରାଞ୍ଚ ଶୁକ୍ରବାର ଦିନ ଆଉ ୫ ଜଣଙ୍କୁ ଗିରଫ କରିଥିଲା । ସୂଚନାନୁସାରେ, ଗିରଫ ଅଭିଯୁକ୍ତ ରାମ କାନୌଜିଆ କହିଛି ଯେ ପ୍ରଥମେ ଶୁଭମ୍ ଲୋଙ୍କାର ତାଙ୍କୁ ଏବଂ ନୀତୀନ ସାପ୍ରେଙ୍କୁ ବାବା ସିଦ୍ଦିକିଙ୍କୁ ହତ୍ୟା କରିବା ପାଇଁ ସୁପାରି ଦେଇଥିଲେ । ରାମ କାନୌଜିଆ ମହାରାଷ୍ଟ୍ରର ବାସିନ୍ଦା, ବାବା ସିଦ୍ଦିକିଙ୍କୁ ହତ୍ୟା କରିବା ପରେ କ’ଣ ହୋଇପାରେ ସେ ବିଷୟରେ ତାଙ୍କର ଧାରଣା ଥିଲା, ତେଣୁ ସେ ଏହି ସୁପାରି ନେବାକୁ ମନା କରିଥିଲା । ପୁଲିସ ସୂତ୍ର ଅନୁଯାୟୀ, ରାମ କାନୌଜିଆ ଏହି ସୁପାରି ନେବାକୁ ଚାହୁଁନଥିଲେ, ସେଥିପାଇଁ ସେ ବାବା ସିଦ୍ଦିକିଙ୍କୁ ହତ୍ୟା କରିବା ପାଇଁ ୧ କୋଟି ଟଙ୍କା ମାଗିଥିଲେ, ଯାହା ପରେ ଶୁଭମ୍ ଲୋଙ୍କାର ତାଙ୍କ ମତ ବଦଳାଇଥିଲେ । ଶୁଭମ୍ ଲୋଙ୍କାର ଜାଣିଥିଲେ ଯେ ଉତ୍ତରପ୍ରଦେଶର ଲୋକମାନେ ମହାରାଷ୍ଟ୍ରରେ ବାବା ସିଦ୍ଦିକିଙ୍କ କ'ଣ ଇମେଜ ରହିଛି ତାହା ଜାଣିପାରିବେ ନାହିଁ, ତେଣୁ ସେମାନେ କମ୍ ଟଙ୍କାରେ ତାଙ୍କୁ ହତ୍ୟା କରିବାକୁ ରାଜି ହେବେ । ରାମ କନୌଜିଆ ପଛକୁ ହଟିବା ପରେ ବାବା ସିଦ୍ଦିକିଙ୍କୁ ହତ୍ୟା କରିବା ପାଇଁ ଧର୍ମରାଜ କଶ୍ୟପ, ଗୁରନୈଲ ସିଂହ ଓ ଶିବକୁମାର ଗୌତମଙ୍କୁ ଶୁଭମ ସୁପାରି ଦେଇଥିବା ପୁଲିସ କହିଛି । ବାବା ସିଦ୍ଦିକିଙ୍କ ହତ୍ୟା ମାମଲାରେ ବର୍ତ୍ତମାନ ସୁଦ୍ଧା ୯ ଜଣଙ୍କୁ ଗିରଫ କରାଯାଇଛି । କ୍ରାଇମବ୍ରାଞ୍ଚ ଟିମ୍ ସମସ୍ତଙ୍କୁ ପଚରାଉଚରା ଜାରି ରଖିଛି ।