୧୨ରେ ଆମେରିକା ଯିବେ ମୋଦି
ନୂଆଦିଲ୍ଲୀ: ଆସନ୍ତା ୧୨ ଓ ୧୩ ଦୁଇଦିନିଆ ଆମେରିକା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଡୋନାଲ୍ଡ ଟ୍ରମ୍ପ୍ ଦ୍ୱିତୀୟଥର ରାଷ୍ଟ୍ରପତି ପଦ ଗ୍ରହଣ କରିବା ପରେ ଏହା ହେଉଛି ମୋଦିଙ୍କ ପ୍ରଥମ ଗସ୍ତ । କେନ୍ଦ୍ର ବୈଦେଶିକ ସଚିବ ବିକ୍ରମ ମିଶ୍ରି ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଏହି ସୂଚନା ଦେଇଛନ୍ତି । ମିଶ୍ରି କହିଛନ୍ତି ଯେ, ‘ଟ୍ରମ୍ପଙ୍କ ଶପଥ ଗ୍ରହଣ ପରେ ପ୍ରଧାନମନ୍ତ୍ରୀ ମୋଦି ଆମେରିକା ଗସ୍ତରେ ଯାଉଥିବା କିଛି ବିଶ୍ୱସ୍ତରୀୟ ନେତାଙ୍କ ମଧ୍ୟରେ ଅନ୍ୟତମ । ରାଷ୍ଟ୍ରପତି ଭାର ଗ୍ରହଣ କରିବାର ମାତ୍ର ତିନି ସପ୍ତାହ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କୁ ଆମେରିକା ଗସ୍ତ ପାଇଁ ନିମନ୍ତ୍ରଣ କରାଯିବା ଭାରତ-ଆମେରିକା ସହଭାଗିତାର ଗୁରୁତ୍ୱକୁ ଦର୍ଶାଉଛି । ଏହା ଆମେରିକା ଏବଂ ଭାରତ ମଧ୍ୟରେ ଦ୍ୱିପାକ୍ଷିକ ସମର୍ଥନକୁ ସୁଦୃଢ଼ କରିବ ।’
ଗତ ସପ୍ତାହରେ ଆମେରିକାର ହ୍ୱାଇଟ୍ ହାଉସ୍ ପକ୍ଷରୁ ମୋଦିଙ୍କୁ ଫୋନ୍ ଯୋଗେ ଆମେରିକା ନିମନ୍ତ୍ରଣ କରାଯାଇଥିଲା । ଉଭୟ ନେତା ଫୋନ୍ରେ କଥା ହୋଇଥିବା ବେଳେ ଦୁଇଦେଇ ମଧ୍ୟରେ ପ୍ରବାସୀ, ପ୍ରତିରକ୍ଷା ଏବଂ ବାଣିଜ୍ୟ ସମ୍ବନ୍ଧିତ ବହୁ ଆଲୋଚନା କରାଯାଇଥିଲା । ଏହି କଥାବାର୍ତ୍ତା ସମୟରେ ମୋଦି ପୁଣିଥରେ ଟ୍ରମ୍ପ୍ଙ୍କୁ ଡିୟର୍ ଫ୍ରେଣ୍ଡ୍ କହି ସମ୍ବୋଧନ କରିବା ସହ ବିଶ୍ୱଶାନ୍ତି ପାଇଁ ଏବଂ ଲୋକଙ୍କ କଲ୍ୟାଣ ଦିଗରେ ଉଭୟ ଏକାଠି କାମ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ ।
ଅପରପକ୍ଷେ ରାଷ୍ଟ୍ରପତି ପଦ ଗ୍ରହଣ କରିବାର କିଛିଦିନ ପୂର୍ବରୁ ଟ୍ରମ୍ପ୍ ଭାରତକୁ ‘ଟାରିଫ୍ କିଙ୍ଗ’ ବା ‘ଶୁଳ୍କ ରାଜା’ କହି ସମାଲୋଚନା କରିଥିଲେ । କିନ୍ତୁ ଚଳିତ ବଜେଟ୍ରେ ନିର୍ମଳା ସୀତାରମଣ ଆମେରିକାର ହାର୍ଲେ ଡାଭିଡସନ୍ ବାଇକ୍ ଉପରୁ ଶୁଳ୍କ ହ୍ରାସ କରି ଭାରତ ପ୍ରତି ଥିବା ଆମେରିକାର ମନୋଭାବକୁ ଭୁଲ୍ ପ୍ରମାଣିତ କରିଛନ୍ତି ।