ପ୍ରବାସୀ ଭାରତୀୟ ଦିବସ: ଓଡ଼ିଆଙ୍କ ପାଇଁ ସଂକଳ୍ପର ଦିବସ

ମୋହନ ଚରଣ ମାଝୀ,ମୁଖ୍ୟମନ୍ତ୍ରୀ, ଓଡ଼ିଶା :
ଏଥର ଓଡ଼ିଶାରେ ଅନୁଷ୍ଠିତ ହେଉଛି ପ୍ରବାସୀ ଭାରତୀୟ ଦିବସ । ଭାରତ ସରକାରଙ୍କ ବିଦେଶ ମନ୍ତ୍ରଣାଳୟର ଏହି ମହତ୍ୱାକାଂକ୍ଷୀ କାର୍ଯ୍ୟର ଉଦେ୍ଦଶ୍ୟ ବିଭିନ୍ନ ଦେଶରେ ରହୁଥିବା ଭାରତୀୟମାନଙ୍କୁ ଏକ ସୂତ୍ରରେ ବାନ୍ଧି ସମ୍ପର୍କ ସ୍ଥାପନ କରିବା । ପରସ୍ପର ସହ ଆଲୋଚନା ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ମଞ୍ଚ ।
ପ୍ରବାସୀ ମାନଙ୍କର ଭାରତ ସରକାରଙ୍କ ସହ ସମ୍ପର୍କ, ବିଦେଶ ମାଟିରେ ରହୁଥିବା ଭାରତୀୟ ଓ ଭାରତୀୟ ବଂଶୋଦଭବଙ୍କୁ ନିଜ ସସ୍କୃତି, ପରମ୍ପରା, ଐତିହ୍ୟ ତଥା ନିଜ ପୂର୍ବ ପୁରୁଷମାନଙ୍କର ସ୍ମୃତି ସହ ଯୋଡ଼ିବା ପାଇଁ ଏହା ଏକ ଅନନ୍ୟ କାର୍ଯ୍ୟକ୍ରମ ।
ଭାବାତ୍ମକ ଆବେଗର ମିଳନ ସହ ପ୍ରବାସୀମାନଙ୍କୁ ସାରା ଦେଶ ଓ ସେମାନଙ୍କର ମୂଳ ରାଜ୍ୟର ସ୍ଥିତି ଜାଣିବା ସହ ସେମାନଙ୍କର ଅନୁଭବ ଓ ପ୍ରତିଷ୍ଠାର ଲାଭ ଦେଶକୁ ପହଞ୍ଚାଇବାରେ ମଧ୍ୟ ଅନେକ ସମ୍ଭାବନା ଅତୀତରେ ସୃଷ୍ଟି କରିଛି ଭାରତୀୟ ଦିବସ ।
ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବରେ ସାଢ଼େ ୪ କୋଟି ଓଡ଼ିଆଙ୍କ ତରଫରୁ ମୁଁ ଦେଶର ଯଶସ୍ତ୍ରୀ ପ୍ରଧାନମନ୍ତ୍ରୀ ତଥା ବିଶ୍ୱର ଅଦ୍ୱିତୀୟ ଜନନାୟକ ନରେନ୍ଦ୍ର ମୋଦିଙ୍କୁ ଓଡ଼ିଶାକୁ ଏହାର ଆୟୋଜନର ସୁଯୋଗ ଦେଇଥିବାରୁ ଅଶେଷ ଅଶେଷ କୃତଜ୍ଞତା ଜ୍ଞାପନ କରୁଛି ।
ଓଡ଼ିଶାରେ କାହଁକି ପୂରା ପୂର୍ବଭାରତରେ ଭାରତ ସରକାରଙ୍କ ଏଭଳି ବିଶାଳ ଓ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ପ୍ରଥମଥର ପାଇଁ ଅନୁଷ୍ଠିତ ହେବାକୁଯାଉଛି । ଏହି କାର୍ଯ୍ୟକ୍ରମର ଆୟୋଜନ କେବଳ ଓଡ଼ିଶାକୁ ଲାଭ ଦେଇଦେବ କହିବାକୁ ଚାହୁଁନି । କିନ୍ତୁ ଏହି ଆୟୋଜନ ପଛର ଯେଉଁ ବିଶାଳ ଲକ୍ଷ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିରେ ଅଛି ଯଦି ଆମେ ସାଢ଼ ୪ କୋଟି ଓଡ଼ିଆ ହୃଦୟଙ୍ଗମ କରିବା ଓ ନିଜକୁ ବିକାଶର ମଞ୍ଚରେ ସାମିଲ କରିବା ପାଇଁ ଉଦ୍ୟମ କରିବା ତେବେ ଆମେ ରାଜ୍ୟକୁ ପ୍ରଗତିର ଶୀର୍ଷକୁ ନେଇପାରିବା ଏଥିରେ ମୋର ତିଳେମାତ୍ର ସନେ୍ଦହ ନାହିଁ ।
ଦିଲ୍ଲୀରେ ମୋଦିଜୀଙ୍କର ହେଉ ବା ଓଡ଼ିଶାରେ ତାଙ୍କ ମାର୍ଗଦର୍ଶନରେ ଚାଲିଥିବା ସରକାର ସବୁବେଳେ ଲୋକଙ୍କ ସରକାର । ମୋଦିଜୀ ଯେତେବେଳେ ଓଡ଼ିଶାକୁ ପ୍ରବାସୀ ଭାରତୀୟ ଦିବସର ଭବ୍ୟ ଆୟୋଜନର ଦାୟିତ୍ୱ ଦେଇଛନ୍ତି ତାଙ୍କ ନେତୃତ୍ୱରେ ଯଦି ସାଢ଼େ ୪ କୋଟି ଓଡ଼ିଆ ପାଦେପାଦେ ଆଗକୁ ଚାଲିବେ ତାହାହେଲେ ଓଡ଼ିଶା ୪ କୋଟି ପାଦ ଆଗକୁ ଯିବ । କହିବାର ଉଦେ୍ଦଶ୍ୟ ଆମେ ଓଡ଼ିଶାବାସୀ ଓଡ଼ିଶାର ଭାଗ୍ୟ ନିର୍ଦ୍ଧାରକ । ଯଦି ଏ ଜାତି ଆଗକୁ ବଢ଼ିବା ପାଇଁ ଦୃଢ଼ ନିଶ୍ଚିତ ହୁଏ ଏହାର ପ୍ରଗତିକୁ କେହି ରୋକିପାରିବେ ନାହିଁ ।
ପ୍ରବାସୀ ଭାରତୀୟ ଦିବସ ଏକ ପ୍ରତୀକାତ୍ମକ କାର୍ଯ୍ୟକ୍ରମ ହୋଇଥାଇପାରେ । ମାତ୍ର ଏହାର ଦର୍ଶନ ଆମେ ଓଡ଼ିଆଙ୍କୁ ହୃଦୟଙ୍ଗମ କରିବାକୁ ପଡ଼ିବ ଓ ଓଡ଼ିଶାକୁ ପ୍ରଗତିର ଶୀର୍ଷରେ ପହଞ୍ଚାଇବା ପାଇ ଦୃଢ଼ ସଂକଳ୍ପ କରିବାକୁ ପଡ଼ିବ ।
୬ ମାସ ପୂର୍ବରୁ ନିର୍ବାଚନ ପ୍ରକି୍ରୟାରେ ଓ ମୁଖ୍ୟମନ୍ତ୍ରୀର ଦାୟିତ୍ୱ ନେବାପରେ ମୁଁ ଯେତେବେଳେ ନୂଆ ଓଡ଼ିଶାର ନୂଆ ପିଢ଼ି ସହ ମିଶିଛି ସେମାନଙ୍କ ଆଖିରେ ନିଜେ ବଡ଼ ହେବାର ଓ ଆମ ମାତୃଭୂମିକୁ ପ୍ରଗତିର ଶୀର୍ଷରେ ପହଞ୍ଚାଇବାର ଶପଥର ଝଲକକୁ ମର୍ମେ ମର୍ମେ ଅନୁଭବ କରିଛି ।
ମୋର ପି୍ରୟ ରାଜ୍ୟବାସୀ, ଓଡ଼ିଶା ଧନୀ ଓ ଓଡ଼ିଆମାନେ ଗରିବ ଏହା କହି ଆମେ କେତେଦିନ ଶାନ୍ତିରେ ଶୋଇପାରିବା । ବୋଧହୁଏ ମୋଦିଜୀଙ୍କ ଓଡ଼ିଶାକୁ ପ୍ରବାସୀ କାର୍ଯ୍ୟକ୍ରମ ଆୟୋଜନର ବ୍ୟବସ୍ଥା ଆମକୁ ସାଢ଼େ ୪ କୋଟି ଓଡ଼ିଆଙ୍କୁ ଆତ୍ମସମୀକ୍ଷା ପାଇଁ ସୁଯୋଗ ସୃଷ୍ଟି କରିଛି ।
ଓଡ଼ିଶା ମାଟିତଳେ ମହାପ୍ରଭୁ ଶ୍ରୀଜଗନ୍ନାଥ ଅମାପ ଖଣିଜ ସମ୍ପଦ ଦେଇଛନ୍ତି । ଉଚ୍ଚମାନର ଲୁହାପଥର, ବକ୍ସାଇଟ୍, କ୍ରୋମାଇଟ୍, ମାଙ୍ଗାନିଜ, କୋଇଲା, ଚୂନପଥର, ଲାଇମଷ୍ଟୋନ୍, ଡୋଲମାଇଟ୍, ଗ୍ରାଫାଇଟ୍ର ଅମାପ ଭଣ୍ଡାର ଦେଇଛନ୍ତି ।
ଆମର ନଦନଦୀ, ଜଳଶକ୍ତିରେ ଓଡ଼ିଶାକୁ ବେଶ ସମୃଦ୍ଧ କରିଛି । ୪୮୦ କିଲୋମିଟର ବ୍ୟାପି ସୁଦୀର୍ଘ ବେଳାଭୂମି ଆମର ଅନନ୍ୟ ସମ୍ପଦ । ନୀଳ ଅର୍ଥନୀତିର ବଡ଼ ସମ୍ଭାବନାର ସୁଯୋଗ ଆମକୁ ଦେଇଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ । ଓଡ଼ିଶା ପାଖରେ ଅଛି ଅମାପ ଜଙ୍ଗଲ ସମ୍ପଦ । ଜଙ୍ଗଲ ସହିତ ଜଡ଼ିତ ଆଦିବାସୀ ଓ ବନଜାତ ଦ୍ରବ୍ୟ ଓ ଜଙ୍ଗଲ ସହିତ ଜଡ଼ିତ ଆର୍ଥôକ ବିକାଶର ଅନେକ ଦିଗ ବିକାଶର ବାଟରେ ଆମ ରାଜ୍ୟକୁ ଆଗେଇ ନେବାପାଇଁ ଅନେକ ସୁଯୋଗ ସୃଷ୍ଟି କରିଛି ।
ଓଡ଼ିଶା ଆଜି ଦିନରେ ଭୌତିକ ଦୃଷ୍ଟିରୁ ଦେଶର ଅନ୍ୟରାଜ୍ୟମାନଙ୍କ ତୁଳନାରେ ହୁଏତ ପଛରେ ଥାଇପାରେ । ମାତ୍ର ଆମ ଯୁବପୀଢ଼ୀର ବୌଦ୍ଧିକ ଶକ୍ତି ଦେଶର କୌଣସି ବି ରାଜ୍ୟ ଠାରୁ ପଛରେ ନୁହେଁ ଏକଥା ମୁଁ ଦୃଢ଼ତାର ସହିତ କହିପାରିବି । ଭାରତର ବଡ଼ ବୁଦ୍ଧି ଆଧାରିତ ସୂଚନା ଓ ପ୍ରଯୁକ୍ତି ବା ଆଇଟି ଶିଳ୍ପରେ ଓଡ଼ିଆ ନୂଆ ପୀଢ଼ୀର ଯୋଗଦାନକୁ ଯେ କେହି ବି ସ୍ୱୀକାର କରିବ ।
ଓଡ଼ିଆ ଜାତି ପରିଶ୍ରମୀ । ଏକଥା ସତ ଆମେ ଆମ ଲୋକମାନଙ୍କୁ ଆମ ମାଟିରେ ରୋଜଗାରର ସୁଯୋଗ ଯୋଗାଇ ଦେଇ ପାରିନାହୁଁ । ମାତ୍ର ଆମ ଲୋକମାନଙ୍କର ଝାଳରେ ଦେଶର ପଶ୍ଚିମ ଓ ଦକ୍ଷିଣ ପ୍ରଦେଶ ମାନେ ଯେ ଆର୍ଥôକ ପ୍ରଗତୀର ଶୀର୍ଷକୁ ଯିବା ପାଇଁ ସଫଳ ହୋଇଛନ୍ତି ଏଥିରେ କେହି ଦ୍ୱିମତ ହେବେ ନାହିଁ ।
ଏସବୁ ପ୍ରସଙ୍ଗ ଉଠାଇବା ପଛରେ ମୋ ମନରେ ଏକ ଆବେଗ ଅଛି । ଆମେ ଆମର ଅପାର ସମ୍ଭାବନାକୁ ସଠିକ୍ ଉପଯୋଗ ନକରିବା କାରଣରୁ ଆମେ ସାରା ଦେଶରେ ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ପ୍ରଗତୀର ମାପଦଣ୍ଡରେ ପଛରେ ପଡ଼ିଛେ । କାହାକୁ ଦୋଷ ଦେଇ ନିଜ ଦାୟିତ୍ୱରୁ ହଟିଯିବା ମୋ ଭଳି ଗରୀବ ପୁଷ୍ଠଭୂମିରୁ ସଂଘର୍ଷର ରାସ୍ତା ଆପଣାଇ ଏହି ସ୍ଥାନରେ ପହଁଞ୍ଚôଥିବା ମେହନତୀ ମଣିଷ ପକ୍ଷରେ ସମ୍ଭବ ନୁହେଁ ।
ମୋଦିଜୀ ଦେଇଥିବା ପ୍ରବାସୀ ଭାରତୀୟ ଦିବସର ଆୟୋଜନର ସୁଯୋଗ ଭିତରେ ଓଡ଼ିଶାର ଭାଗ୍ୟ ପରିବର୍ତ୍ତନର ସ୍ୱପ୍ନ ମୁଁ ଦେଖୁଛି । ବର୍ତ୍ତମାନ ଓଡ଼ିଶାର ସ୍ଥିତିର ଆଲୋଚନା କରିବାର ଇଚ୍ଛାଥିଲେ ମଧ୍ୟ ସାଙ୍କେତିକ ଭାବରେ ଗୋଟିଏ ଆବେଗପୂର୍ଣ୍ଣ ବିଷୟକୁ ମୋର ପି୍ରୟ ଓଡ଼ିଶାବାସୀଙ୍କ ସାମ୍ନାରେ ରଖିବାକୁ ଚାହୁଁଛି ।
ତଥ୍ୟ କହୁଛି, ରାଜ୍ୟର ଗର୍ଭବତୀ ମହିଳାଙ୍କ ମଧ୍ୟରେ ୬୨ ପ୍ରତିଶତ ରକ୍ତହୀନତାର ଶିକାର । ଏହି ହାର ରାଷ୍ଟ୍ରୀୟ ହାର ଠାରୁ ୧୦ ପ୍ରତିଶତ ଅଧିକ । ତଥ୍ୟ କହୁଛି ଗତ ୫ବର୍ଷରେ ରକ୍ତହୀନତାର ଶିକାର ମହିଳା ସଂଖ୍ୟା ଆମ ରାଜ୍ୟରେ ୧୪ ପ୍ରତିଶତରୁ ଅଧିକ ବୃଦ୍ଧି ହୋଇଛି । ୫ବର୍ଷରୁ କମ୍ ଶିଶୁଙ୍କ ମଧ୍ୟରୁ ଅପେକ୍ଷିତ ଓଜନ ଠାରୁ ୩୦ ପ୍ରତିଶତ ଓଜନ କମ୍ । ବୟସ ଅନୁସାରେ ଉଚ୍ଚତା ଓ ଉଚ୍ଚତା ଅନୁସାରେ ଓଜନର ମାପଦଣ୍ଡରେ ରାଷ୍ଟ୍ରୀୟ ହାର ଠାରୁ ଓଡ଼ିଶା ବହୁ ପଛରେ । ଯଦି ନୂଆପୀଢ଼ୀ ନିର୍ବଳୁଆ ହୁଏ ସଶକ୍ତ ଓଡ଼ିଶାର ଭାର କିଏ ବୋହିବ? ଓଡ଼ିଶା ପ୍ରଗତୀ କରିନି ବୋଲି କହୁନି, କିନ୍ତୁ ମାତୃ ମୃତୁ୍ୟହାର ଓ ଶିଶୁହାରରେ ରାଷ୍ଟ୍ରୀୟ ପରିସଂଖ୍ୟାନ ଠାରୁ ଓଡ଼ିଶା କାହିଁକି ପଛରେ ରହିବ ଏ ଚିନ୍ତା ମୋତେ ବ୍ୟଥୀତ କରୁଛି ।
ଭଗବାନ ଆମକୁ ଖଣି ଦେଇଛନ୍ତି । ଗତ କିଛି ବର୍ଷରେ ମୋଦି ସରକାରଙ୍କର ଖଣି ଓ ଖଣି ଆଧାରିତ ନୀତିରେ ପରିବର୍ତ୍ତନ ଓ ଖଣିଥିବା ରାଜ୍ୟକୁ ଏହାର ସବୁ ଫାଇଦା ଦେବା କାରଣରୁ ଓଡ଼ିଶାର ରୋଜଗାରର ଆକାରକୁ ବହୁତ ବଢ଼ାଇଛି । ସରକାରଙ୍କର ବଜେଟ୍ ସାଇଜ ବଡ଼ ହୋଇଛି ସତ କିନ୍ତୁ ଓଡ଼ିଆ ଲୋକଙ୍କର ରୋଜଗାର ଯେତିକି ବଢ଼ିବା କଥା ତାହା ବଢ଼ି ପାରିନାହିଁ ।
ଆମକୁ ଲୋକଙ୍କ ପାଖରେ ରୋଜଗାର ପହଁଞ୍ଚାଇବାକୁ ପଡ଼ିବ । ଖଣି ଆଧାରିତ ରାଜ୍ୟ ରାଜସ୍ୱ ତ ମିଳିବ କିନ୍ତୁ ଆମକୁ ଖଣି ବାହାରେ ପୁରୁଷାର୍ଥ କରିବାକୁ ପଡ଼ିବ । କୃଷି, କୃଷି ଆଧାରିତ ଆନୁଷଙ୍ଗିକ କ୍ଷେତ୍ର ଓ କୃଷି ଉତ୍ପାଦର ପ୍ରକି୍ରୟାକରଣର ସମ୍ଭାବନାକୁ ଖୋଜିବାକୁ ପଡ଼ିବ । ଓଡ଼ିଆ ଲୋକଙ୍କୁ ଚାକିରିଆ ନୁହେଁ ରୋଜଗାର ସୃଷ୍ଟି କରିବା ପାଇଁ ଉଦ୍ୟମୀ ହେବାପାଇଁ ମାନସିକସ୍ତରରେ ପ୍ରସ୍ତୁତ କରିବାକୁ ପଡ଼ିବ । ଶିଳ୍ପ, କ୍ଷୁଦ୍ର, ଲଘୁ ଉଦ୍ୟୋଗ ଏବଂ ଓଡ଼ିଶାର ପାରମ୍ପରିକ ଶିଳ୍ପ ଯଥା ବୟନଶିଳ୍ପ, ହସ୍ତକଳା ଆଦିକୁ ବିଶ୍ୱ ଦରବାରରେ ପହଁଞ୍ଚାଇବାର ବଡ଼ ଯୋଜନାକୁ କି୍ରୟାନ୍ୱିତ କରିବାକୁ ପଡ଼ିବ ।
ଦେଶ ଏବେ ଅମୃତକାଳରେ । ୨୦୪୭ରେ ଆମ ଦେଶ ସ୍ୱାଧୀନତାର ୧୦୦ବର୍ଷ ପାଳନ କରିବ । ମାତ୍ର ଏହାର ପୂର୍ବରୁ ୨୦୩୬ ମସିହାରେ ଓଡ଼ିଶା ଭାଷାଭିତ୍ତିକ ରାଜ୍ୟଭାବେ ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ବର୍ଷ ପୂରଣ କରିବ । ଆମର ସଂକଳ୍ପ ଦେଶ ଯେତେବେଳେ ୧୦୦ବର୍ଷ ପୂରଣ କରିବ ଦେଶକୁ ବିଶ୍ୱର ଏକ ନମ୍ବର ଅର୍ଥନୀତି କରିବାରେ ଓଡ଼ିଶା ଏକ ନିର୍ଣ୍ଣାୟକ ଭୂମିକା ନେବ । ସେଥିପାଇଁ ୨୦୩୬ ସୁଦ୍ଧା ଓଡ଼ିଶାକୁ ଖାଲି ଭାରତର ନୁହେଁ ବିଶ୍ୱର ଆର୍ଥିକ ଦୃଷ୍ଟିରୁ ଆଗୁଆ ଭୂଖଣ୍ଡ ଭାବେ ଗଢ଼ି ତୋଲିବା ପାଇଁ ଆମକୁ ଯୋଜନାରେ ସଫଳ ହେବାକୁ ପଡ଼ିବ ।
ଆମ ଆତ୍ମବିଶ୍ୱାସ ଆମର ଶକ୍ତି । ଆମ ରାଜାଙ୍କ ବିଜୟ ପାଇଁ କଳା ଧଳା ଘୋଡ଼ାରେ ଚଢ଼ି ଆମ ବଡ଼ ଠାକୁର ଯୁଦ୍ଧ କ୍ଷେତ୍ରକୁ ଓହ୍ଲାଇବା ଓଡ଼ିଆଙ୍କ ଲୋକବିଶ୍ୱାସ । ଓଡ଼ିଆ ସାଧବପୁଅ ସାତ ଦରିଆ ତେର ନଇ ଡେଇଁ ସମୁଦ୍ର ପଥରେ ବେପାର ବଣିଜ କରି ଆମ ରାଜ୍ୟକୁ ଧନଧାନ୍ୟରେ ପୂର୍ଣ୍ଣ କରିଥିଲା । ମୋର ବିଶ୍ୱାସ ଓଡ଼ିଆଙ୍କ ଆତ୍ମବିଶ୍ୱାସକୁ ଆହୁରି ଦୃଢ଼ କରି ଓଡ଼ିଶାକୁ ପ୍ରଗତିର ଶୀର୍ଷରେ ପହଁଞ୍ଚାଇବା ପାଇଁ ପ୍ରବାସୀ ଭାରତୀୟ ଦିବସ ଏକ ଉତପ୍ରେରକର ଭୂମିକା ନେବ ।
ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗୀୟ ଅଟଳ ବିହାରୀ ବାଜପେୟୀଙ୍କ ଠାରୁ ଆଜିର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପର୍ଯ୍ୟନ୍ତ ଦେଶ ବିକାଶର ନୂଆ ଧାରାର ସୂତ୍ରପାତ କରିଛନ୍ତି । ବାଜପେୟୀଜୀ ମହାତ୍ମାଗାନ୍ଧିଙ୍କ ଦକ୍ଷିଣ ଆଫି୍ରକାରୁ ଭାରତକୁ ଫେରିବାର ଦିବସ ଜାନୁଆରି ୯, ୨୦୧୫ ଆଧାରରେ ଜାନୁଆରି ୯କୁ ପ୍ରବାସୀ ଭାରତୀୟ ଦିବସ ଭାବେ ପାଳନ କରିବାର ଶୁଭାରମ୍ଭ କରିଥିଲେ । ବାଜପେୟୀଜୀଙ୍କ ଧାରାକୁ ନରେନ୍ଦ୍ର ମୋଦି ନୂଆ ଦିଶା ଦେଇ ପ୍ରବାସୀ ଭାରତୀୟ ଓ ଭାରତୀୟ ବଂଶୋଭବମାନଙ୍କୁ ନିଜ ଦେଶ ସହିତ ଯୋଡ଼ି ବିକାଶ ଧାରାରେ ସାମିଲ କରିବା ପାଇଁ ନୂଆ ରାସ୍ତା କାଢ଼ିଛନ୍ତି ।
ସାଢ଼େ ୪କୋଟି ଓଡ଼ିଆଙ୍କୁ ମୋର ନିବେଦନ ଓଡ଼ିଶାରେ ଅନୁଷ୍ଠିତ ଏହି ନିର୍ଣ୍ଣାୟକ କାର୍ଯ୍ୟକ୍ରମରେ ସାମିଲ ହୁଅନ୍ତୁ । ଦେଶ ଓ ରାଜ୍ୟକୁ ବିକାଶର ଶୀର୍ଷକୁ ନେବାପାଇଁ ଦୃଢ଼ ସଂକଳ୍ପ ନିଅନ୍ତୁ ।