ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ: ବିକାଶ ତ୍ୱରାନ୍ୱିତ କର

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ: ବିକାଶ ତ୍ୱରାନ୍ୱିତ କର

ଭୁବନେଶ୍ୱର: ରାଜ୍ୟରେ ବିଭିନ୍ନ ବିକାଶମୂଳକ କାର୍ୟ୍ୟକ୍ରମକୁ ତ୍ୱରାନ୍ୱିତ କରିବା ସହ ନିଯୁକ୍ତି ସୁଯୋଗ ସୃଷ୍ଟି ଉପରେ ଗୁରୁତ୍ୱ ଦେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି ।ଲୋକସେବା ଭବନରେ ସମସ୍ତ ବିଭାଗର ସଚିବମାନଙ୍କ ସହ ବୈଠକ କରି ବିଭିନ୍ନ ବିକାଶମୂଳକ କାର୍ୟ୍ୟକ୍ରମକୁ ତ୍ୱରାନ୍ୱିତ କରିବା ଓ ଯୋଜନା ଖର୍ଚ୍ଚ ବୃଦ୍ଧି କରିବା ପାଇଁ ପରାମର୍ଶ ଦେଇଛନ୍ତି । ଏହାସହିତ ବିଭିନ୍ନ କ୍ଷେତ୍ରରେ ଅଧିକ ପୁଞ୍ଜିନିବେଶ ବିନିଯୋଗ କରି ଅଭିବୃଦ୍ଧି ତ୍ୱରାନ୍ୱିତ କରିବା ସହ ନିଯୁକ୍ତି ସୁଯୋଗ ମଧ୍ୟ ବୃଦ୍ଧି ପାଇବ ବୋଲି କହିଛନ୍ତି । ବିଭିନ୍ନ ବିଭାଗ ବିଶେଷକରି ଭିତ୍ତିଭୂମି ନିର୍ମାଣ ଦାୟିତ୍ୱରେ ଥିବା ବିଭାଗଗୁଡ଼ିକ ଆବଶ୍ୟକସ୍ଥଳେ ଅଧିକ ଟେକନିକାଲ ମାନବସମ୍ବଳ ନିଯୁକ୍ତ କରି କାର୍ୟ୍ୟକ୍ରମଗୁଡ଼ିକୁ ଆଗେଇ ନେବା ଉଚିତ୍ ବୋଲି କହିଥିଲେ ।
ରାଜ୍ୟ ସରକାର ୨୦୩୬ ଓ ୨୦୪୭ ମସିହାକୁ ଲକ୍ଷ୍ୟ ରଖି ଭିଜନ ଡକ୍ୟୁମେଂଟ ପ୍ରସ୍ତୁତ ଓ କାମ ଆରମ୍ଭ କରିଛନ୍ତି ତେଣୁ ରାଜ୍ୟ ସମସ୍ତ ବିଭାଗ ଏହାକୁ ଦୃଷ୍ଟିରେ ରଖି ସମ୍ମିଳିତ ଭାବେ ଟିମ୍ ମନୋଭାବ ନେଇ କାମ କରିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।ବୈଠକରେ ଅର୍ଥ ବିଭାଗର ସଚିବ ଶାଶ୍ୱତ ମିଶ୍ର ୨୦୨୩-୨୪ ଓ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ରାଜ୍ୟର ଆୟବ୍ୟୟର ଏକ ତୁଳନାତ୍ମକ ରିପୋର୍ଟ ଉପସ୍ଥାପନ କରିଥିଲେ । ଚଳିତ ଆର୍ଥିକ ବର୍ଷର ଏପ୍ରିଲ-ଜୁଲାଇ ଅବଧି ମଧ୍ୟରେ ରାଜ୍ୟର ମୋଟ ଆୟ ପରିମାଣ ୫୭୦୮୫କୋଟି ଟଙ୍କା ଥିବାବେଳେ ଗତବର୍ଷ ଏହି ଅବଧିରେ ଆୟ ପରିମାଣ ୫୧୨୩୪କୋଟି ଟଙ୍କା ଥିଲା । ଏହି ପରିମାଣ ଗତବର୍ଷର ଏହି ଅବଧିର ଆୟ ଅପେକ୍ଷା ୧୧.୪୨ପ୍ରତିଶତ ଅଧିକ ବୋଲି ଶ୍ରୀ ମିଶ୍ର ବୈଠକରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ।