ଦ୍ରୁତ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ; ମୁଁ ସୁସ୍ଥ ଅଛି : ନବୀନ

ଦ୍ରୁତ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ;  ମୁଁ ସୁସ୍ଥ ଅଛି : ନବୀନ

ଭୁବନେଶ୍ୱର:  ଗତ କିଛିଦିନ ଧରି ପୂର୍ବତନ ମୁଖ୍ୟମନ୍ତ୍ରୀ, ବିରୋଧୀ ଦଳ ନେତା ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଅସୁସ୍ଥତା ସମସ୍ୟା ଦେଇ ଗତି କରୁଛନ୍ତି  । ମୁମ୍ବାଇରୁ ଚିକିତ୍ସିତ ହୋଇ ଫେରିବା ପରେ ନବୀନ ଏବେ ଡାକ୍ତରଙ୍କ ତତ୍ତ୍ୱାବଧାନରେ ରହୁଛନ୍ତି  । ତେବେ ଆଜି ହଠାତ୍ ତାଙ୍କ ଶରୀର ଅସୁସ୍ଥ ହୋଇପଡ଼ିବାରୁ ସେ ଏକ ଘରୋଇ ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ  ।
ଦଳୀୟ ଅଳିନ୍ଦରେ ହେଉଥିବା ଚର୍ଚ୍ଚା ଅନୁଯାୟୀ, ନବୀନଙ୍କ ଦେହ ଗତକାଲି ଠାରୁ ଅସୁସ୍ଥ ହୋଇଥିଲା  । ଡାକ୍ତରୀ ଟିମ୍ ବି ତାଙ୍କର ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରିଥିଲେ  । କିନ୍ତୁ ଏନେଇ ସବୁକିଛି ଗୁପ୍ତ ରହିଥିଲା  । ଦଳର ବରିଷ୍ଠ ନେତାମାନଙ୍କୁ ବି ଅବଗତ କରାଯାଇନଥିଲା  । ଯାହାକୁ ନେଇ ଦଳର ବରିଷ୍ଠ ନେତାମାନେ ଅସନ୍ତୋଷ ଝାଡ଼ିଥିବା ଜାଣିବାକୁ ମିଳିଥିଲା  । 
ଆଜି ଅପରାହ୍ନ ପ୍ରାୟ ୫ଟା ୧୫ରେ ନବୀନ ଘରୋଇ ହସପିଟାଲରେ ଭର୍ତ୍ତି ହୋଇଥିଲେ  । ଏହା ପୂର୍ବରୁ ଏକ ଡାକ୍ତରୀ ଟିମ୍ ମଧ୍ୟ ନବୀନ ନିବାସରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରିଥିଲେ  । ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ତୁରନ୍ତ ହସପିଟାଲ୍ରେ ଭର୍ତ୍ତି କରାଯାଇଥିଲା  । ଏନେଇ ଘରୋଇ ହସପିଟାଲ ପକ୍ଷରୁ ବିବୃତ୍ତି ଜାରି କରାଯାଇଛି  । ଡିହାଇଡ୍ରେସନ ଯୋଗୁଁ ନବୀନ ଅସୁସ୍ଥ ହୋଇଛନ୍ତି  । ତାଙ୍କର ଚିକିତ୍ସା ଚାଲିଥିବାବେଳେ ଖୁବଶୀଘ୍ର ସେ ସୁସ୍ଥ ହୋଇଯିବେ ବୋଲି କୁହାଯାଇଛି  ।  ଅପରପକ୍ଷରେ ନବୀନ ଅସୁସ୍ଥ ଥିବା ଖବର ପାଇ ସରକାରଙ୍କ ପକ୍ଷରୁ ମଧ୍ୟ ତତ୍ପରତା ପ୍ରକାଶ ପାଇଥିଲା  । ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଓ ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ହସପିଟାଲ୍ ଯାଇ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିଥିଲେ  । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନବୀନଙ୍କ ଦ୍ରୁତ ଆରୋଗ୍ୟ କାମନା ପାଇଁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି  । ସୂଚନାଯୋଗ୍ୟ, ଏହା ପୂର୍ବରୁ ସର୍ଭାଇକାଲ୍ ଆର୍ଥରାଇଟିସ୍ର ଚିକିସôା ପାଇଁ ଜୁନ ୨୦ ତାରିଖରେ ମୁମ୍ବାଇ ଯାଇଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ  । ମୁମ୍ବାଇ ସ୍ଥିତ କୋକିଳା ବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲ୍ରେ ଜୁନ ୨୨ରେ ତାଙ୍କର ସର୍ଭାଇକାଲ୍ ଆର୍ଥରାଇଟିସ୍ର ସଫଳ ଅସ୍ତ୍ରୋପଚାର ହୋଇଥିଲା  । ମେଡିକାଲ୍ରେ ଅବଜରଭେସନରେ ରହିବା ପରେ ଜୁଲାଇ ୭ରେ ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ  । ଜୁଲାଇ ୧୨ରେ ସେ ଭୁବନେଶ୍ୱର ଫେରିଥିଲେ  ।