ସାପ ପୋଷିଲେ କଣ ହୁଏ?


ସମଗ୍ର ଦେଶରେ ଦିନକୁ ଦିନ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି । ଆଉ ସମଗ୍ର ବିଶ୍ୱରେ ପାକିସ୍ତାନ୍ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ରାଷ୍ଟ୍ର ଭାବରେ ଜଣାଶୁଣା । ପାକିସ୍ତାନ୍ ପ୍ରଥମେ ଭାରତରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ସକ୍ରୀୟ କରି ରଖିବା ପାଇଁ ନିଜ ମାଟିରେ ଆତଙ୍କବାଦୀ ପ୍ରଶିକ୍ଷଣ ଶିବିରମାନ ଖୋଲିଥିଲା । ଏହା ପରେ ବିଶ୍ୱର ବିଭିନ୍ନ କୁଖ୍ୟାତ ଆତଙ୍ଗବାଦୀ ଗୋଷ୍ଠୀର ସଦସ୍ୟମାନଙ୍କୁ ଆଶ୍ରୟ ଦେବା ଏବଂ ତାଲିମ୍ ଦେବା ଭଳି କାର୍ଯ୍ୟ କରିଲା । ତେବେ ଦୀର୍ଘ ବର୍ଷ ଧରି ଏ ପ୍ରକାରର କାର୍ଯ୍ୟକଳାପକୁ ରାଷ୍ଟ୍ରୀୟ ନୀତିରେ ପାକିସ୍ତାନ୍ ପରିଣତ କରିବାରୁ ତାହାର ଅର୍ଥନୀତିକ ଅବସ୍ଥା ଧୀରେ ଧୀରେ ଖରାପ ହେବାରେ ଲାଗିଲା । ମରୁଭୂମି ଅଧ୍ୟୁଷିତ ଏକ ଦେଶରେ  ପାକିସ୍ତାନ୍ ପ୍ରଗିତ ପାଇଁ ଯୋଜନା କରିବା ପରିବର୍ତ୍ତେ ଆତଙ୍କବାଦ ଏବଂ ଆଫଗାନିସ୍ତାନ୍ ସହିତ ମିଶି ନିଶାଦ୍ରବ୍ୟ କାରବାରରେ ସାମିଲ୍ ହୋଇଗଲା । ଏହା ହିଁ ବର୍ତ୍ତମାନ ପାକିସ୍ତାନ୍କୁ ବର୍ବାଦ କରିବାକୁ ଯାଉଛି । ଆତଙ୍କବାଦ ରୂପକ ସାପକୁ ପୋଷି ଏବେ ତାହାର କୁଫଳ ଭୋଗୁଛି । 
ଗତ ଜୁଲାଇ ମାସରେ ପାକିସ୍ଥାନ୍ରେ ୩୮ଟି ଆତଙ୍କବାଦୀ ଆକ୍ରମଣ ଘଟଣା ଘଟିଥିଲା । ଅଗଷ୍ଟ ମାସରେ ତାହା ୫୯ରେ ପହଞ୍ଚିଛି । ଆତଙ୍କବାଦକୁ ଏକ ରାଷ୍ଟ୍ରୀୟ ନୀତିରେ ପରିଣତ କରିବାର କୁଫଳ ପାକିସ୍ତାନ୍ରେ ଫଳିବା ଆରମ୍ଭ ହେଲାଣି । ଚଳିତ ୨୦୨୪ ମସିହାରେ ପାକିସ୍ତାନ୍ ଏପର୍ଯ୍ୟନ୍ତ ୩୨୫ ଆତଙ୍କବାଦୀ ଆକ୍ରମଣ ଦେଖି ସାରିଲାଣି । ଏଥିରେ ଶହ ଶହ ଲୋକଙ୍କ ଜୀବନ ଯାଇଛି । ସେହିଭଳି ଶହ ଶହ ଲୋକ ଆହତ ହୋଇଛନ୍ତି । ଏ ପ୍ରକାରର ଏକ ରିପୋର୍ଟ୍ ପାକିସ୍ତାନ୍ ଇନଷ୍ଟିଚୁ୍ୟଟ୍ ଅଫ୍ସ ପିସ୍ ଷ୍ଟଡ଼ିଜ୍ ନାମକ ଏକ ସଂସ୍ଥା ପକ୍ଷରୁ ପ୍ରକାଶ କରାଯାଇଛି । ଏହି ରିପୋର୍ଟ୍ ଅନୁଯାୟୀ, ଖାଇବର ପାଖ୍ତୁନ୍ ପ୍ରଦେଶରେ ସର୍ବାଧିକ ୨୯ଟି ଆକ୍ରମଣ ଏବଂ ବେଲୁଚିସ୍ତାନ୍ ପ୍ରଦେଶରେ ୨୮ଟି ଆକ୍ରମଣ ଘଟିଛି । ଏହି ସଂସ୍ଥାର ତଥ୍ୟ ଅନୁଯାୟୀ, ୨୦୦୬ ମସିହା ପରଠାରୁ ଦେଶରେ ୧୭ ହଜାର ୮୪୬ଟି ଆତଙ୍କବାଦୀ ଆକ୍ରମଣ ଘଟିଲାଣି । ୪୮ ହଜାର ୮୫ ଜଣ ଲୋକ ଆହତ ହୋଇଥିବା ବେଳେ ୨୪ ହଜାର ୩୭୩ ଲୋକ ପ୍ରାଣ ହରାଇଲେଣି । ଏବେ ପାକିସ୍ତାନ୍ରେ ସୁରକ୍ଷା ବିଭାଗ ଏବଂ ପୁଲିସ୍ର ଆତଙ୍କବାଦ ବିରୋଧ ବିିଭାଗ ଆତଙ୍କବାଦୀମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଲାଣି । ଦୀର୍ଘବର୍ଷ ଧରି ଆତଙ୍କବାଦୀମାନଙ୍କୁ ତାଲିମ୍ ଦେବା, ଅସ୍ତ୍ରଶସ୍ତ୍ର ଯୋଗାଇବା ଭଳି କାର୍ଯ୍ୟରେ ସମ୍ପୃକ୍ତ ରହି ଦେଶର ବିପୁଳ ପରିମାଣର ଅର୍ଥ ଏ ଦିଗରେ ବ୍ୟୟ କରିଥିବା ପାକିସ୍ତାନ୍ ବର୍ତ୍ତମାନ ଅନୁତାପ କରିବା  ଆରମ୍ଭ କରିଲାଣି । କିନ୍ତୁ ଆତଙ୍କବାଦ ଏଭଳି  ଏକ ସାପ ଯାହାକୁ କି ପୋଷିଥିବା ବ୍ୟକ୍ତି କର୍ମଫଳ ଭାବରେ ଭୋଗିବ । ଦେଶରେ ଆତଙ୍କବାଦୀ ବିରୋଧୀ ଅପରେସନ୍ ଚଳାଇବା ଭଳି କାର୍ଯ୍ୟ ହେଲାଣି । ଏଥିରେ ୮୮ ଆତଙ୍କବାଦୀ ନିହତ ହେଲେଣି । ସେନା ପକ୍ଷରୁ ମଧ୍ୟ ୧୫ କର୍ମଚାରୀ ଏବଂ ୩ ଜଣ ପୁଲିସ୍ କର୍ମଚାରୀ ନିହତ ହେଲେଣି । ସବୁଠାରୁ ଉଲ୍ଲେଖଯୋଗ୍ୟ ଘଟଣା ହେଉଛି ଆତଙ୍କବାଦୀମାନେ ସବୁବେଳେ ପୁଲିସ୍ ଏବଂ ସେନା କର୍ମଚାରୀମାନଙ୍କୁ ନିଜର ଲକ୍ଷ ବନଉଛନ୍ତି । ଏଣେ ବେଲୁଚିସ୍ତାନ୍ ପ୍ରଦେଶରେ ବିଦ୍ରୋହୀମାନେ ସକ୍ରିୟ ହୋଇ ପଡ଼ିଲେଣି । ବେଲୁଚିସ୍ତାନରେ ଆତଙ୍କବାଦୀମାନେ ପାବ ପ୍ରଦେଶରୁ ଆସୁଥିବା ଲୋକଙ୍କୁ ଚିହ୍ନଟ କରି ହତ୍ୟା କରୁଛନ୍ତି । ପାକିସ୍ତାନ୍ ବର୍ତ୍ତମାନ ଉଭୟ ଆତଙ୍କବାଦ ଏବଂ ସାମ୍ପ୍ରଦାୟିକ ବିଦ୍ୱେଷଜନିତ ଦଙ୍ଗା ଭଳି ପରିସ୍ଥିତିର ସମ୍ମୁଖୀନ ହେଲାଣି । 
ଏକ ପଡ଼ୋଶୀ ରାଷ୍ଟ୍ରରେ ଏଭଳି ଘଟଣା ସବୁ ଘଟୁଥିବାରୁ ଆମ ଦେଶ ସେହି ଘଟଣା ଉପରେ ତୀକ୍ଷ୍ଣ ନଜର ରଖିବା  ଆବଶ୍ୟକ । ପାକିସ୍ଥାନ୍ର ଏଭଳି ପରିସ୍ଥିତିରୁ ଭାରତ ମଧ୍ୟ ଶିକ୍ଷାଲାଭ କରିବା ଉଚିତ୍ । ଅନ୍ୟଥା ସବୁ ବିଳମ୍ବ ହୋଇଯିବ । ଏବେ ଠାରୁ ସତର୍କ ହୋଇଯିବା ଭାରତ ପକ୍ଷେ ହିତକର ।