ନୂଆବର୍ଷ ହେଉ ଆନନ୍ଦର ବର୍ଷ
ଘରର କ୍ୟାଲେଣ୍ଡରଟି ହେଉ ବା ବ୍ୟବହାର କରାଯାଉଥିବା ଦୈନିକ ଡାଏରୀଟି ବଦଳିଯିବ । ଘରେ ନୂଆ କ୍ୟାଲେଣ୍ଡର ଲାଗିବ ଆଉ ନୂଆବର୍ଷ ପାଇଁ ମନଲାଖି ଡାଏରୀଟି ବି କିଣା ହେବ କିନ୍ତୁ ନୂଆବର୍ଷକୁ ନେଇ ଆମ ମାନଙ୍କ ଭିତରେ ଆତ୍ମପ୍ରତୟର ଶପଥ ନେବାର ମୁହୂର୍ତ୍ତକୁ କେହିବି ଭୁଲିବା କଥା ନୁହେଁ । ବିଦାୟ ଦେଇଥିବା ପୁରୁଣାବର୍ଷର ଦୁଃଖ, ଅଭାବ ଓ ବିଭିନ୍ନ ଯନ୍ତ୍ରଣାକୁ ଭୁଲି ନୂଆବର୍ଷ ପାଇଁ ଅନେକ କିଛି କରିବାର ଆଉ ଜୀବନକୁ ଭଲ ବାଟରେ ଗଢ଼ିତୋଳିବା ପାଇଁ ଦୃଢ଼ ପ୍ରତିଜ୍ଞ ହେବାର ବର୍ଷଟି ପାଇଁ ମନ ଭିତରେ ଆତ୍ମବଳକୁ ଦୃଢ଼ କରାଯାଉ । ପ୍ରାକୃତିକ ବିପର୍ଯ୍ୟୟରେ ସବୁକିଛି ହରାଇ ଦେଇଥିବାର ଛାତିଫଟା ଦୁଃଖ, କୌଣସି ଅଘଟଣ ବା ର୍ଦୁଘଟଣା ଆପଣଙ୍କର ପ୍ରିୟଜନଙ୍କୁ ଛଡ଼ାଇନେବା ନେଉ ବା ବୃତ୍ତିଗତ କ୍ଷେତ୍ରରେ କୌଣସି ଯନ୍ତ୍ରଣାର ମୁହୂର୍ତ୍ତ ସବୁକିଛିକୁ ଭୁଲି କିଛି ନୂଆ କରି ମନୋବଳକୁ ପ୍ରତିଜ୍ଞାବଦ୍ଧ କରିବାର ଦିନଟି ହେଉ ନୂଆବର୍ଷର ପ୍ରଥମ ଦିନ । ଅଭାବ ହେଉ ବା ଅପମାନ, ଯନ୍ତ୍ରଣା ହେଉ ବା ହରାଇବାର ଗଭୀର ଦୁଃଖ ସବୁକିଛିକୁ ମାନସିକ ବିଷାଦର କଳା ବାଦଲ ତଳୁ ଠେଲି ଦେଇ ମାନସିକ ସ୍ତରରେ ନିଜେ ସୁଦୃଢ଼ ହେବାସହ ଅନ୍ୟମାନଙ୍କୁ ମଧ୍ୟ ବିଷାଦରୁ ଆନନ୍ଦମୟ ମୁହୂର୍ତ୍ତ ପାଇଁ ପ୍ରେରଣା ଯୋଗାନ୍ତୁ । ରକ୍ତମାଂସର ଶରୀର ଧରି ତେଲଲୁଣ ସଂସାର ଭିତରେ ଜୀବନ ଜୀଉଁଥିବା ସମସ୍ତେ କିଛି ନା କିଛି ଅବସାଦ ଓ ବିଶାଦରେ ଆକ୍ରାନ୍ତ । ମୁଦ୍ରାସ୍ଫୀତିର ଉଚ୍ଚ ବେଲଗାମ ଧାଁ ଧଉଡ଼ ହେଉ ବା ବଜାରର ଦରଦାମର ଚଡ଼କ, ଦୁର୍ଘଟଣାରେ ନିଜଲୋକଟିକୁ ହରାଇବାର ଦୁଃଖ ହେଉ ବା ପରୀକ୍ଷାରେ ଅସଫଳତା, ଦାମ୍ପତ୍ୟ ଜୀବନରେ ଝଡ଼ ହେଉ ବା ହାତ ପାହାନ୍ତାରୁ ନିଜ ବୃତ୍ତିକ୍ଷେତ୍ରଟି ହରାଇବାର ଗଭୀର ଦୁଃଖକୁ ଭୁଲି ନିଜ ଭିତରୁ କିଛି କରିବାର ଓ ଅନ୍ୟମାନଙ୍କ ପାଇଁ ପ୍ରେରଣା ଯୋଗାଇବାର ଆତ୍ମ ପ୍ରଚେଷ୍ଟାର ଶୁଭବର୍ଷ ହେଉ ଏହି ନୂଆବର୍ଷଟି ।
ମାନସିକ କ୍ଷେତ୍ରରେ ଦେଖାଦେଇଥାଏ ପ୍ରତିଦିନ ଅର୍ହନିଶ ସମସ୍ୟା ଓ ଆହ୍ୱାନ ସମସ୍ତେ ନିଜ ଜୀବନ ଜୀବିକା ହେଉ ବା କ୍ୟାରିୟର, ଏହାକୁ ନେଇ ବ୍ୟସ୍ତ ଓ ଚିନ୍ତିତ । ଦୈନନ୍ଦିନ ଜୀବନରେ ବିଭିନ୍ନ ଉଦ୍ବେଗ ମଣିଷର ବୌଦ୍ଧିକ ଓ ଶାରୀରିକ କ୍ଷେତ୍ରକୁ ପ୍ରଭାବିତ କରିଥାଏ । ସେଇଥିପାଇଁ କୁହାଯାଏ ଯେ ଆନନ୍ଦ ଓ ପ୍ରଫୁଲ୍ଲତାପୂର୍ଣ୍ଣ ଜୀବନଟି ଅନେକଙ୍କ ଜୀବନର ଆୟୁକୁ ବର୍ଦ୍ଧିତ କରିଥାଏ । ଆୟୁ ବଢ଼ିବା ବଡ଼କଥା ନୁହେଁ ସବୁଠାରୁ ବଡ଼କଥା ହେଉଛି ଭଲରେ ଓ ଶାନ୍ତିରେ ଜୀବନଟି ବିତାଇବା । ୨୦୨୪ ର ବିଦାୟ ସହ ଆରମ୍ଭ ହେବ ନୂତନ ବର୍ଷ । ନୂତନ ଆଶା, ଆକାଂକ୍ଷା ଓ ନୂତନ ଉଚ୍ଛ୍ୱାସରେ ୨୦୨୫କୁ ସ୍ୱାଗତ କରିବା ଭିତରେ ଆମେ ଯେମିତି ବିଗତ ବର୍ଷରେ ଯେଉଁସବୁ ଭୁଲ ତ୍ରୁଟି କରିଥିଲେ ତାହାର ପୁନରାବୃତ୍ତି ନକରୁ । ପୁଣି ଯାହା ଶିକ୍ଷା ଲାଭ କରିଲେ, ତାହାର ଉପଯୋଗ କରୁ । ସମୟର ଏହି ସନ୍ଧିକ୍ଷଣରେ ଘଟଣାବହୁଳ ୨୦୨୪ ବର୍ଷରୁ ଆମକୁ ମିଳିଥିବା ଶିକ୍ଷାକୁ ଅବଶ୍ୟ ଆମେ ସ୍ମୃତିରେ ସଜାଗ କରି ଆଗକୁ ବଢ଼ିବା ଆବଶ୍ୟକ । ବିଦାୟ ବର୍ଷରେ ନିଜ ନିଜର ଦୁଃଖ ଓ କଷ୍ଟକୁ ଭୁଲି କିଛି ଭଲ କରିବାର ଓ ଅନ୍ୟମାନଙ୍କ ପାଇଁ ଆଦର୍ଶଣୀୟ ହେବାର ବର୍ଷଟି ପାଇଁ ଶପଥ ନେବାର ଦିନଟି ହେଉ ଏହି ନୂଆବର୍ଷ । ନୂଆବର୍ଷଟି ସମସ୍ତଙ୍କ ପାଇଁ ଆନନ୍ଦ ଓ ଖୁସିର ବର୍ଷ ହେଉ ଏହା ହିଁ ଶୁଭକାମନା । ମହାପ୍ରଭୁ ଶ୍ରୀଜଗନ୍ନାଥ ସମସ୍ତଙ୍କୁ ଆଶୀର୍ବାଦ ପ୍ରଦାନ କରନ୍ତୁ ।
ଡ.ତପନ କୁମାର ପାଳ
ମୋ: ୯୯୩୭୬୫୮୩୬୨