ଗିରିଧାରୀ ସାମଲ : ପରିବେଶ ପ୍ରଦୂଷଣ ପରେ ଶବ୍ଦ ପ୍ରଦୂଷଣ ଆଉ ଏକ ଗୁରୁତର ସମସ୍ୟା ଭାବେ ଆଧୁନିକ ସଭ୍ୟତାରେ ମୁଣ୍ଡ ଟେକିଛି । ଏଥିଯୋଗୁ ଆଜିର ମଣିଷ, ମୁଖ୍ୟତଃ ସହରର ମଣିଷ ବିଭିନ୍ନ ପ୍ରକାର ମାନସିକ ଓ ଶାରୀରିକ ରୋଗରେ ଆକ୍ରାନ୍ତ ହୋଇଛି । ଗଣତାନ୍ତ୍ରିକ ବିଧି ବ୍ୟବସ୍ଥାରେ ବ୍ୟକ୍ତି ସ୍ୱାଧୀନତା ମିଳୁଥିବା ଯୋଗୁ ବାକ୍ ସ୍ୱାଧୀନତା ତାର ହକ୍ ବୋଲି ସମସ୍ତେ ଧରି ନିଅନ୍ତି । କିନ୍ତୁ ବାକ୍ ସ୍ୱାଧୀନତାର ଅର୍ଥ ନୁହେଁ ଚିକ୍ରାର କରିବା ଓ ଅନ୍ୟର ସ୍ୱାଧୀନତାକୁ ଅପହରଣ କରିବା । ଆମର ଅଜ୍ଞାତସାରରେ ଶବ୍ଦ ପ୍ରଦୂଷଣ ଆମର କେତେ କ୍ଷତିକରେ ଆମେ ଜାଣୁନା । ଫଳରେ ସାମାନ୍ୟ ସାମାନ୍ୟ କଥାରେ ଆମେ ଉଚ୍ଚ ଶବ୍ଦରେ ବିଭିନ୍ନ କାରବାର କରିବାରେ ଗର୍ବକରୁ ଓ ଆନନ୍ଦ ଅନୁଭବ କରୁ । ଶବ୍ଦ ପରିବେଷଣରେ ଆମେ ସିନା କ୍ଷଣିକ ଆନନ୍ଦ ଅନୁଭବ କରୁଛେ, କେବେ ଚେଷ୍ଟା କରିଛେ କି ନିରବତାର ସ୍ୱର ଶୁଣିବା ପାଇଁ ? କୁହାଯାଏ ନିରବତାର ଗଭୀରତାରେ ଲୁଚିରହିଥାଏ ଈଶ୍ୱରଙ୍କ ସ୍ୱର । ତାକୁ ଶୁଣିବା ପାଇଁ କେବେ ଚେଷ୍ଟା କରିଛେ କି ? ସେଥିପାଇଁ ତ ମୁନି ଋଷିମାନେ ସହରର ଚାକଚକ୍ୟ ଓ ଶବ୍ଦ ଆଡ଼ମ୍ବର ଛାଡ଼ି ସୁଦୂର ବଣ ଜଙ୍ଗଲ ଓ ପାହାଡ଼ ପର୍ବତର ଗହ୍ୱର ଭିତରେ ବସି ଈଶ୍ୱର ପ୍ରାପ୍ତି ପାଇଁ ଧ୍ୟାନସ୍ଥ ହୁଅନ୍ତି । ସେଥିପାଇଁ ପ୍ରଦୂଷଣମୁକ୍ତ ହୋଇ ସୁସ୍ଥ ଶରୀର ରଖିବା ସହିତ ଦୀର୍ଘଜୀବୀ ହୁଅନ୍ତି, ପ୍ରଜ୍ଞା ପ୍ରାପ୍ତ ହୁଅନ୍ତି ।
ସହର ଓ ସହରତଳିଗୁଡ଼ିକରେ ଯନ୍ତ୍ରପାତି ମାଧ୍ୟମରେ ଉଚ୍ଚ ଶବ୍ଦ ସୃଷ୍ଟି କରିବା ଏକ ଆଭିଜାତ୍ୟ ବୋଲି ମନେକରନ୍ତି । ଏହା ମୁଖ୍ୟତଃ ମଧ୍ୟବିତ୍ତ, ଉଚ୍ଚମଧ୍ୟବିତ୍ତ ଓ ଧନିକ ଶ୍ରେଣୀ ବ୍ୟକ୍ତିମାନଙ୍କ ପାଖରେ ଦେଖାଯାଏ । ସବୁ କଥାରେ ବାଣ, ବାଜା ନହେଲେ ଚଳେନା । ତାହା ପୁଣି ଉଚ୍ଚ ଶବ୍ଦରେ । ଆମର ବାହାଘର ଓ ଭୋଜିଘରେ ବାଣ ଓ ବାଜାର ରୋଷଣୀ ହୁଏ । ତାହା ପୁଣି ସାଧାରଣ ଭାବେ ନୁହେଁ, କାନକୁ ତାବ୍ଦା କଲା ଭଳି ଉଚ୍ଚ ଶବ୍ଦ ସୃଷ୍ଟି କରୁଥିବା ଡିଜେ ସାଉଣ୍ଡରେ ଓ ବୋମା ଫୁଟିବା ଭଳି ବାଣରେ । ଜନ୍ମ ଦିନରେ ବାଜାବାଣ, ବ୍ରତଘରେ ବାଜାବାଣ, ବିବାହରେ ବାଜାବାଣ, ନିର୍ବାଚନ ଜିତିଲେ ବାଜାବାଣ, ଶୋଭାଯାତ୍ରାରେ ବାଜାବାଣ, ନେତାଙ୍କୁ ସଂଖୋଳିବାରେ ବାଜାବାଣ, ପୂଜା ପାର୍ବଣରେ ବାଜାବାଣ ସବୁଠି ଉଚ୍ଚ ଶବ୍ଦ । ଦୀପାବଳୀ ଦିନ ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ଉଚ୍ଚ ଶବ୍ଦରେ ଯେଭଳି ବାଣ ଫୁଟାଯାଏ ତାହା କେବଳ ମଣିଷକୁ ନୁହେଁ ଗୃହପାଳିତ ପଶୁପକ୍ଷୀଙ୍କୁ ମଧ୍ୟ ଆତଙ୍କିତ କରିପକାଏ । ଦେଖାଯାଇଛି ଯଦି କୌଣସି ଗଛ ମୂଳେ ବିସ୍ଫୋରଣ କଲା ଭଳି ବାଣ ଫୁଟାଯାଏ ତେବେ ସେ ଗଛର ପତ୍ରଗୁଡ଼ିକ ଝାଉଁଳି ପଡ଼ନ୍ତି । କାରଣ ସେମାନେ ମଧ୍ୟ ଉଚ୍ଚ ଶବ୍ଦର ସହିବାର ଶକ୍ତିକୁ ହରାଇ ବସିଥାନ୍ତି । ଶବ୍ଦକୁ ଭଲପାଉନଥିବା ଲୋକମାନଙ୍କ କଥା ସେତେବେଳେ ସମସ୍ତେ ଭୁଲି ଯାଇଥାନ୍ତି । ସଂଗୀତ ପ୍ରତି ସାଧାରଣତଃ ଲୋକମାନଙ୍କ ଆଗ୍ରହ ନଥାଏ । କିନ୍ତୁ ଯେଭଳି ଭାବେ ଉଚ୍ଚ ଶବ୍ଦ ପ୍ରଦୂଷଣ କରୁଥିବା ଯନ୍ତ୍ରପାତି ମାଧ୍ୟମରେ ସଂଗୀତ ପରିବେଷଣ କରାଯାଉଛି ତାହା ଆନନ୍ଦ ଅପେକ୍ଷା ବିରକ୍ତି ଭାବ ଉଦ୍ରେକ କରୁଛି ଏବଂ କାନକୁ ଅସୁଖକର ଲାଗୁଛି । ଏବେ ସହରମାନଙ୍କରେ ଯାନବାହନ ଚଳାଚଳ ଦ୍ରୁୁତଗତିରେ ବୃଦ୍ଧି ପାଇବାରେ ଲାଗିଛି । କାର, ଟ୍ରକ, ଟ୍ରାକ୍ଟର, ବସ୍, ମିନି ବସ୍, ମଟର ସାଇକେଲ, ସ୍କୁଟର ଇତ୍ୟାଦି ଯାନବାହନଗୁଡ଼ିକ ହର୍ଣ୍ଣ ବଜେଇବା ଠାରୁ ଆରମ୍ଭ କରି ଯାନବାହନ ଚାଲିବାର ଶବ୍ଦ, ଆକାଶରେ ଅତି ପାଖରେ ଉଡୁଥିବା ଜେଟ ପ୍ଲେନ, ହେଲିକ୍ୟାପ୍ଟର, ବିଭିନ୍ନ ଧର୍ମାନୁଷ୍ଠାନମାନଙ୍କରେ ବାଜୁଥିôବା ଲାଉଡ ସ୍ପିକର ଇତ୍ୟାଦି ପରିବେଶକୁ ଆହୁରି ଉକ୍ରଟ କରୁଛି ।
ଶିଳ୍ପାଞ୍ଚଳଗୁଡ଼ିକରେ ଶବ୍ଦ ନିୟନ୍ତ୍ରଣ ସୀମା ୭୫ ଡେସିବେଲ ରହିଥିବା ବେଳେ ଏହା ୧୧୫ ଠାରୁ ଅଧିକ ରହୁଛି । ଫଳରେ ସେ ଅଞ୍ଚଳରେ ବସବାସ କରୁଥିବା ଜନଜୀବନ ଅସ୍ତବ୍ୟସ୍ତ ହେବା ସହ ବିଭିନ୍ନ ପ୍ରକାର ମାନସିକ ଓ ଶାରୀରିକ ରୋଗରେ ପୀଡ଼ିତ ହୁଅନ୍ତି । ଘରେ ମଧ୍ୟ ଫୁଡ୍ ମିକ୍ସର, ଗ୍ରାଇଣ୍ଡର, ଭାକ୍ୟୁମ୍କୁଲର, ୱାସିଙ୍ଗମେସିନ୍, ଏସି, ଟିଭି, ଆଇପଡ୍ସ, ଇୟରଫୋନ, ଦୀର୍ଘ ସମୟ ଧରି କୁକୁର ଭୋକିବା ଆଦିରୁ ସୃଷ୍ଟି ଶବ୍ଦ ମଧ୍ୟ ପ୍ରଦୂଷଣର ଅନ୍ୟତମ କାରଣ । ସେହିପରି ସହରଗୁଡ଼ିକରେ ଦିନରାତି ଲାଗି ବହୁତଳ ପ୍ରାସାଦ ନିର୍ମାଣରେ ବ୍ୟବହୃତ ଯନ୍ତ୍ରପାତିରୁ ଯେଉଁ ଶବ୍ଦ ସୃଷ୍ଟି ହୁଏ ତାହା ମଧ୍ୟ ଅତ୍ୟନ୍ତ ଅସହ୍ୟକର । ଖାଲି ସ୍ଥଳ ଭାଗରେ ନୁହେଁ, ଜଳ ଭାଗରେ ମଧ୍ୟ ବ୍ୟବହୃତ ଟ୍ରଲର, ସବ୍ମ୍ୟାରିନ୍ ଓ ବୁଡ଼ାଜାହାଜରୁ ନିର୍ଗତ ହେଉଥିବା ଶବ୍ଦ ଦ୍ୱାରା ଜଳଜୀବୀମାନେ ଆଘାତ ପ୍ରାପ୍ତ ହୁଅନ୍ତି । ଏପରିକି ଅସହ୍ୟ ଶବ୍ଦ ଯୋଗୁଁ ତିମି ଭଳି ବିରାଟକାୟ ମାଛମାନେ ମଧ୍ୟ ମରିଯାଉଥିବା ନଜିର ରହିଛି । ଶବ୍ଦ ପ୍ରଦୂଷଣ ଶରୀର ଉପରେ ଅନେକ କୁପ୍ରଭାବ ପକେଇଥାଏ । ଏହା ମାନସିକ ସ୍ତରରେ ଚାପ ସୃଷ୍ଟି କରିବା ସହ ଉଦ୍ବେଗ ଓ ନିଦ୍ରାହୀନତାର କାରଣ ହୋଇଥାଏ । କାନକୁ ଶୁଣା ନଯିବା, ଭଲ କଥା ନକହିପାରିବା, ଉଚ୍ଚତମ ପ୍ରଯୋଜନ ଶକ୍ତି ହରାଇବା, ଉଚ୍ଚରକ୍ତଚାପ ବଢ଼ାଇବା ଓ ହୃଦ୍ରୋଗର ମଧ୍ୟ କାରଣ ହୋଇଥାଏ । ସେଥିପାଇଁ ଚିକିତ୍ସାଳୟ, ବିଚାରାଳୟ, ଛୋଟ ପିଲାଙ୍କ ସ୍କୁଲ, ବାସୋପଯୋଗୀ ଅଞ୍ଚଳରେ ଉଚ୍ଚ ଶବ୍ଦ ବ୍ୟବହାରର ବାରଣ ଅଛି । ସେଥିପାଇଁ ମଧ୍ୟ ଭାରତ ସରକାର ପରିବେଶ ସୁରକ୍ଷା ଆଇନ ପ୍ରଣୟନ କରିଛନ୍ତି । ଏହାକୁ ଯେଉଁମାନେ ଭଙ୍ଗ କରିବେ ସେମାନଙ୍କୁ ଏକ ଲକ୍ଷ ଟଙ୍କା ଜରିମାନାରେ ଦଣ୍ଡିତ କରିବା ସହ ଜାମିନ୍ବିହୀନ ଗିରଫ କରିବା ସହ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡାଦେଶ ରହିଛି । ଅଥଚ ଜନସଚେତନତାର ଅଭାବରୁ ତାହା କାର୍ଯ୍ୟକାରୀ ହୋଇପାରୁନାହିଁ । ଭାରତୀୟ ନାଗରିକମାନେ ଆଇନକାନୁନ୍କୁ ଡରନ୍ତି ସିନା କିନ୍ତୁ ତାକୁ ସମ୍ମାନ ଦେଇ ନିଜକୁ ପରିବର୍ତ୍ତନ କରନ୍ତି ନାହିଁ । ଫଳରେ ଦେଖାଯାଇଛି ବଡ଼ ବଡ଼ ସହରମାନଙ୍କରେ ମାନସିକ ରୋଗୀ ବଢିବା ସହ ଆତ୍ମହତ୍ୟା ପ୍ରବଣତା ବୃଦ୍ଧି ପାଇଛି । କହିବାକୁ ଗଲେ ବଞ୍ôଚବାର ମୌଳିକ ଅଧିକାରକୁ ଏହା ବାଧିତ କରୁଛି । ଏଥିରୁ ଦିଲ୍ଲୀ, ବମ୍ବେ, ଲକ୍ଷେ୍ନ, କଲିକତା, ବେଙ୍ଗୁଲୁର ପ୍ରଭୃତି ସହର ବାଦ୍ ପଡ଼ିନାହାନ୍ତି । ଏବେ ସମୟ ଆସିଛି ଶବ୍ଦ ପ୍ରଦୂଷଣ ନିୟନ୍ତ୍ରଣ ପ୍ରତି ସରକାର ପ୍ରାଥମିକତା ଦେବା ସହ ଆମେ ଜନସାଧାରଣ ମଧ୍ୟ ଆମ ମଧ୍ୟରେ ସଚେତନତା ବଢ଼ାଇବା ଓ ଅଯଥା ଉଚ୍ଚ ଶବ୍ଦ ସୃଷ୍ଟି କରିବାରୁ ନିଜେ ନିବୃତ୍ତ ରହିବା ସହ ଅନ୍ୟ ମାନଙ୍କୁ ମଧ୍ୟ ସଚେତନ କରିବା ।