ଓଡିଶା ଶାସନ ବନାମ ପଟ୍ଟନାୟକ ପରିବାର

ଓଡିଶା ଶାସନ ବନାମ ପଟ୍ଟନାୟକ ପରିବାର

ଓଡିଶାର ରାଜନୀତିକ ଓ ଆର୍ଥôକ ଦୃଶ୍ୟପଟ୍ଟରେ ପଟ୍ଟନାୟକମାନେ ସବୁଠୁ ପ୍ରଭାବଶାଳୀ ଶକ୍ତି ଭାବେ ନିଜର ଦବଦବା ଜାରି ରଖିଛନ୍ତି । ଦେଶ ସ୍ୱାଧୀନ ହେବାର ୭୭ ବର୍ଷ ଭିତରେ ଓଡିଶାରେ ୪୫ ବର୍ଷ ଶାସନ କ୍ଷମତାକୁ ନିଜ ହାତମୁଠାରେ ରଖିଛନ୍ତି ଦୁଇ ପଟ୍ଟନାୟକ ପରିବାରର ତିନିଜଣ ବ୍ୟକ୍ତି । ଜାନକୀ ବଲ୍ଲଭ ପଟ୍ଟନାୟକ(ଜେବି), ବିଜୁ ପଟ୍ଟନାୟକ ଓ ତାଙ୍କ ପୁଅ ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱରେ ଦୀର୍ଘ ବର୍ଷ ଶାସିତ ହୋଇଛି ଓଡିଶା । ଏହା ଭିତରେ ଓଡିଶା ୧୫ ଜଣ ମୁଖ୍ୟମନ୍ତ୍ରୀଙ୍କୁ ଦେଖିସାରିଲାଣି । 
ଯଦିଓ ପଟ୍ଟନାୟକ ବନାନରେ ପ୍ରଭେଦ ରହୁଛି କିନ୍ତୁ ଏମାନେ କରଣ ସମାଜରେ ଆସୁଛନ୍ତି । ଏହି ସମୁଦାୟର ଆଉ ଏକ ପ୍ରମୁଖ ଉପନାମ ହେଉଛି ମହାନ୍ତି । ଓଡିଶା ଜନସଂଖ୍ୟାର ଏମାନେ ହେଉଛନ୍ତି ମାତ୍ର ଶତକଡା ଦୁଇ ଭାଗ । ଓଡିଶା ରାଜନୀତିରେ ଏମାନଙ୍କ ପ୍ରାଧାନ୍ୟକୁ ନେଇ ଅନେକ ଏମାନଙ୍କୁ ରାଜନୀତିକ ବା ଶାସକ ଜାତି ଭାବେ ବିବେଚନା କରୁଛନ୍ତି । 
୨୦୦୦ ମସିହା ମାର୍ଚ୍ଚ ମାସରୁ ଓଡିଶାରେ ଶାସନ କରିଆସୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଷଷ୍ଠଥର ନିର୍ବାଚନ ଜିତି ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଥିବା ବେଳେ ଯଦି ସେ ପୁଣି ଥରେ ଶାସନ କ୍ଷମତାକୁ ବଜାୟ ରଖନ୍ତି ତାହାଲେ ଆସନ୍ତା ଅଗଷ୍ଟ ମାସରେ ସେ ଦେଶର ଦୀର୍ଘକାଳୀନ ମୁଖ୍ୟମନ୍ତ୍ରୀ ହେବାର ସୌଭାଗ୍ୟ ଅର୍ଜନ କରିବା ସହ ବିରଳ ରେକର୍ଡର ଅଧିକାରୀ ହେବେ । ବର୍ତ୍ତମାନ ଦେଶର ଦୀର୍ଘକାଳୀନ ମୁଖ୍ୟମନ୍ତ୍ରୀ ହେବାର ରେକର୍ଡ କରିଥିବା ସିକିମର   ପୂର୍ବତନ ମୁଖ୍ୟମନ୍ତ୍ରୀ ପୱାନ ଚାମଲିଙ୍ଗଙ୍କ ରେକର୍ଡକୁ ଭାଙ୍ଗିବେ ନବୀନ । ତାଙ୍କ ପିତା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ୧୯୬୧ରୁ ୧୯୬୩ ଓ ୧୯୯୦ରୁ ୧୯୯୫ ମୁଖ୍ୟମନ୍ତ୍ରୀ ଥିଲେ । ସେହିପରି ରାଜନୀତିର ଚାଣକ୍ୟ ଭାବେ ପରିଚିତ ଜାନକୀ ପଟ୍ଟନାୟକ ୧୪ ବର୍ଷ ଶାସନରେ ରହିଥିଲେ । ସେ ୧୯୮୦ରୁ ୧୯୮୯ ଓ ପୁଣି ଥରେ ୧୯୯୫ରୁ ୧୯୯୯ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଥିଲେ । ଅବିବାହିତ ଥିବା ୭୭ ବର୍ଷୀୟ ନବୀନ ପଟ୍ଟନାୟକ ପୂର୍ବରୁ ତାଙ୍କ ପରିବାରର କେହି ରାଜନୀତିକୁ ଆସିବେ ନାହିଁ ବୋଲି କହିଥିôବା ବେଳେ ତାଙ୍କ ବଡଭାଇ ପ୍ରେମ ପଟ୍ଟନାୟକଙ୍କ ପୁଅ ଅରୁଣ କିମ୍ବା ତାଙ୍କ ଭାଣିଜୀ ଗାୟତ୍ରୀ ରାଜନୀତିରେ ପ୍ରବେଶ କରିବେ ବୋଲି ରାଜନୀତିକ ମହଲରେ ଆଲୋଚନା ହେଉଥିଲା । ମାତ୍ର  ନବୀନଙ୍କ ପରେ ତାଙ୍କ ସହଯୋଗୀ ୫ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ଏବେ ଦଳର ସବୁ କଥା ବୁଝୁଥିବାରୁ ଏହି ଆଲୋଚନାରେ ବିରାମ ପଡିଛି । ସେହିପରି ଆଉ ଜଣେ କରଣ ନବକୃଷ୍ଣ ଚୌଧୁରୀ ଛଅ ବର୍ଷ କ୍ଷମତାରେ ଥିଲେ । ସେ ୧୯୫୦ରୁ ୧୯୫୬ ମୁଖ୍ୟମନ୍ତ୍ରୀ ଥିଲେ । ଅନ୍ୟ ମୁଖ୍ୟମନ୍ତ୍ରୀମାନଙ୍କ ମଧ୍ୟରେ ଓବିସିକୁ ଛାଡି ବିଶେଷକରି ବ୍ରାହ୍ମଣ, ରାଜପୁତ ରହିଛନ୍ତି । ସେମାନଙ୍କ ମଧ୍ୟରେ ସଦାଶିବ ତ୍ରିପାଠୀ, ନନ୍ଦିନୀ ଶତପଥୀ, ବିନାୟକ ଆଚାର୍ଯ୍ୟ ଓ ରାଜେନ୍ଦ୍ର ନାରାୟଣ ସିଂହଦେଓ ଅନ୍ତର୍ଭୁକ୍ତ । ଖଣ୍ଡାୟତ ବା ଓବିସି ଶାସକ ମଧ୍ୟରେ ହରେକୃଷ୍ଣ ମହତାବ, ନୀଳମଣି ରାଉତରାୟ ମୁଖ୍ୟମନ୍ତ୍ରୀ ଭାବେ ଶାସନ କରିଛନ୍ତି । ହରେକୃଷ୍ଣ ମହତାବ ୧୯୪୭ରୁ ୧୯୫୦ ଓ ୧୯୫୬ରୁ ୧୯୬୧, ନୀଳମଣି ରାଉତରାୟ ୧୯୭୭ରୁ ୧୯୮୦, ସେହିପରି ଦୁଇ ଆଦିବାସୀ ନେତା ହେମାନନ୍ଦ ବିଶ୍ୱାଳ (୧୯୮୯ ଡିସେମ୍ବରରୁ ୧୯୯୦ ମାର୍ଚ୍ଚ ଓ ୧୯୯୯ ଡିସେମ୍ବରରୁ ୨୦୦୦ ମାର୍ଚ୍ଚ) ଓ ଗିରିଧାରୀ ଗମାଙ୍ଗ (୧୯୯୯ ଫେବୃଆରିରୁ ୧୯୯୯ ଡିସେମ୍ବର) ମୁଖ୍ୟମନ୍ତ୍ରୀ ଭାବେ ମାତ୍ର ୧୪ ମାସ ଶାସନ କରିଛନ୍ତି । କରଣ ଓ ବ୍ରାହ୍ମଣ ସମାଜ ଓଡିଶା ଜନସଂଖ୍ୟାର ଶତକଡା ୧୦ ଭାଗରୁ କମ ହୋଇଥିବା ବେଳେ ଓଡିଶା ରାଜନୀତି ଓ   ବ୍ୟବସାୟରେ ପ୍ରମୁଖ ଭୂମିକା ଗ୍ରହଣ କରି ଆସୁଥିବା କହନ୍ତି ରାଜନୀତି ବିଜ୍ଞାନର ଅବସରପ୍ରାପ୍ତ ପ୍ରଫେସର ସୂର୍ଯ୍ୟ ମିଶ୍ର । ଓଡିଶାରେ ଆଦିବାସୀ ଜନସଂଖ୍ୟା ଶତକଡା ୨୨.୮, ଅନୁସୂଚିତ ଜାତି ଶତକଡା ୧୭ ଓ ଓବିସି ଶତକଡା ୫୦ ଭାଗ ରହିଥିବା ବେଳେ ଅନ୍ୟ ରାଜ୍ୟ ଭଳି ଓଡିଶାରେ ଜାତିକୁ ନେଇ ସେମିତି କିଛି ପ୍ରସଙ୍ଗ ନାହିଁ । ଖାଲି ଶାସକ କାହିଁକି ବିରୋଧୀ ଦଳରେ ମଧ୍ୟ ପଟ୍ଟନାୟକଙ୍କ ଦବଦବା ରହିଛି । ଏହି ଯେମିତି କଂଗ୍ରେସ ପିସିସି ସଭାପତି ଶରତ ପଟ୍ଟନାୟକ, ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା କଂଗ୍ରେସ ନିର୍ବାଚନ କମିଟି ମୁଖ୍ୟ ବିଜୟ ପଟ୍ଟନାୟକ ମଧ୍ୟ କରଣ ସମାଜରୁ ଆସିଛନ୍ତି । 
ଆଉ ମଧ୍ୟ ଚଳିତ ନିର୍ବାଚନରେ ଜାନକୀଙ୍କ ପୁଅ ପୃଥବୀ ବଲ୍ଲଭ ପଟ୍ଟନାୟକ ପ୍ରଥମ ଥର ବେଗୁନିଆ ବିଧାନସଭାରୁ ଆସନରୁ କଂଗ୍ରେସ ଟିକେଟରେ ମଇଦାନକୁ ଓହ୍ଲାଇଛନ୍ତି । ସେହିପରି ଜାନକୀଙ୍କ ଜ୍ୱାଇଁ ତଥା ମିଡିଆ ଜଗତର ଟାଇକୁନ ସୌମ୍ୟରଞ୍ଜନ ପଟ୍ଟନାୟକ ଏଥର ସ୍ୱାଧୀନ ପ୍ରାର୍ଥୀ ଭାବେ ଘଷିପୁରାରୁ ନିର୍ବାଚନ ଲଢୁଛନ୍ତି । ସେ ୨୦୧୯ରେ ବିଜେଡି ବିଧାୟକ ଥିଲେ । ସେହିପରି ତାଙ୍କ ବଡଭାଇ ନିରଞ୍ଜନ ପଟ୍ଟନାୟକ ଓଡିଶା କଂଗ୍ରେସର ପୂର୍ବତନ ପିସିସି ସଭାପତି ଏଥର ଭଣ୍ଡାରିପୋଖରୀରୁ ନିର୍ବାଚନ ଲଢୁଛନ୍ତି । ସେହିପରି ସୌମ୍ୟ ଓ ନିରଞ୍ଜନଙ୍କ ବଡଭାଇ ଦୀପ୍ତି ରଞ୍ଜନ ପଟ୍ଟନାୟକ ଓଡିଶାର ଜଣେ ସୁନାମଧନ୍ୟ ବିଜିନେସମ୍ୟାନ ହୋଇଥିବା ବେଳେ ଖଣିଜସଂପଦ ଓ ସାମୁଦ୍ରିକ ଖାଦ୍ୟ ବ୍ୟବସାୟରେ ସେ ସାମିଲ ଅଛନ୍ତି । ଖଣିଜ ସଂପଦରେ ଭରପୁର ଓଡିଶାର ବିଭିନ୍ନ କ୍ଷେତ୍ର ଯଥା ରିଅଲ ଇଷ୍ଟେଟ, ଶିକ୍ଷା, ମିଡିଆ, ଖଣି ଓ ସାମୁଦ୍ରିକ ଖାଦ୍ୟ ବ୍ୟବସାୟରେ ମଧ୍ୟ କରଣଙ୍କ ଦବଦବା ରହିଛି । ଏସଏନ ମହାନ୍ତି ଗ୍ରୁପ ମଧ୍ୟ କରଣ ସମୁଦାୟରେ ଆସୁଛି । ସେହିପରି ବର୍ତ୍ତମାନର ବିଜେପି ରାଜ୍ୟ ମୁଖ୍ୟ ମନମୋହନ ସାମଲ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓବିସି ସମୁଦାୟରେ ଆସୁଥିବା ବେଳେ ବିଜେପିର ପୂର୍ବତନ ମୁଖ୍ୟ ସମୀର ମହାନ୍ତି କରଣ ସମୁଦାୟରେ ଆସୁଛନ୍ତି । ସେହିପରି ବିଜେପିର ଦୁଇଜଣ ପ୍ରମୁଖ ଚେହେରା ଅପରାଜିତା ଷଡଙ୍ଗୀ ଓ ବୈଜୟନ୍ତ ପଣ୍ଡା ହେଉଛନ୍ତି ବ୍ରାହ୍ଣଣ ।