ଶପଥ ପୂର୍ବରୁ ଏହି ମହାନ କାମ କଲେ ମୋହନ

ଭୁବନେଶ୍ବର: ଶପଥ ପୂର୍ବରୁ ରାଜଧାନୀରେ ଥିବା ଓଡ଼ିଶାର ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି ଭାବୀ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସେ ଆଜି ସକାଳେ ଗୋପବନ୍ଧୁ ଛକ ସମେତ ରାଜଧାନୀର ବିଭିନ୍ନ ସ୍ଥାନରେ ଓଡ଼ିଶାର ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି। ତାଙ୍କ ସହ ଦୁଇ ଭାବୀ ଉପ ମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଏବଂ ପ୍ରଭାତି ପରିଡ଼ା ମଧ୍ୟ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି। ବାଣୀବିହାରରେ ଭାବୀ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ମା ସରସ୍ବତୀଙ୍କ ଆଶୀର୍ବାଦ ନେଇଛନ୍ତି। ସେ ଉତ୍କଳମଣି ଗୋପବନ୍ଧୁ ଦାସ, ଫକୀରମୋହନ ସେନାପତି ଓ ଧରଣୀ ଭୂୟାଁ ପ୍ରମୁଖ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି। ସେ ବୀରସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି। ଏହି କାର୍ୟ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଧାମନଗର ବିଧାୟକ ସୂର୍ୟ୍ୟବଂଶୀ ସୂରଜ, ବିଧାୟକ ବାବୁ ସିଂ, ବରିଷ୍ଠ ବିଜେପି ନେତା ଗୋଲକ ମହାପାତ୍ର ଓ ପ୍ରିୟଦର୍ଶୀ ମିଶ୍ର ପ୍ରମୁଖଙ୍କୁ ମଧ୍ୟ ଦେଖିବାକୁ ମିଳିଛି।
ପ୍ରକାଶ ଯେ କେନ୍ଦୁଝର ବିଧାୟକ ମୋହନ ଚରଣ ମାଝୀ ହେବେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ। ଆଜି ସେ ବିଧିବଦ୍ଧ ଭାବେ ଶପଥ ଗ୍ରହଣ କରିବେ। ଏଥିଲାଗି ଭୁବନେଶ୍ୱର ଜନତା ମଇଦାନରେ ହୋଇଛି ଭବ୍ୟ ଆୟୋଜନ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ଆୟୋଜିତ ହେବ ଶପଥ ଗ୍ରହଣ ଉତ୍ସବ। ଗତକାଲି ବିଜେପି ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀଙ୍କ ନାଁ ଘୋଷଣା ହେବା ପରେ ତାଙ୍କୁ ଅର୍ଡର ଅଫ୍ ଆପଏଣ୍ଟମେଣ୍ଟ ପ୍ରଦାନ କରିଛନ୍ତି ରାଜ୍ୟପାଳ ରଘୁବର ଦାସ। ଏଥିସହ ତାଙ୍କୁ ରାଜ୍ୟରେ ସରକାର ଗଠନ ଲାଗି ଆମନ୍ତ୍ରଣ କରିଛନ୍ତି।
ମୁଖ୍ୟମନ୍ତ୍ରୀ ସହ ୨ ଉପମୁଖ୍ୟମନ୍ତ୍ରୀଙ୍କ ନାଁ ମଧ୍ୟ ଘୋଷଣା ହୋଇଛି। ପାଟଣାଗଡ଼ ବିଧାୟକ କନକ ବର୍ଦ୍ଧନ ସିଂହଦେଓ ଏବଂ ନିମାପଡ଼ା ବିଧାୟିକା ପ୍ରଭାତୀ ପରିଡ଼ା ହେବେ ଉପମୁଖ୍ୟମନ୍ତ୍ରୀ।