ଭ୍ରାମ୍ୟମାଣ ପ୍ରବାସୀ ସାଧନ କେନ୍ଦ୍ର ଉଦଘାଟିତ : ଗଞ୍ଜାମ ଓ କେନ୍ଦ୍ରାପଡାରେ ସଚେତନ କରିବ

 ଭୁବନେଶ୍ୱର : କୃଷି ଭବନ ଠାରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଭ୍ରାମ୍ୟମାଣ ପ୍ରବାସୀ ସାଧନ କେନ୍ଦ୍ର ବା ସଚେତନତା ରଥର ଶୁଭ ଉଦଘାଟନ କରିଛନ୍ତି । ଓଡିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଖାଦ୍ୟ ଓ କୃଷି ସଂଗଠନ (ଏଫଏଓ) ଓ ଅନ୍ତର୍ଜାତୀୟ ପ୍ରବାସ ସଂଗଠନର ମିଳିତ ସହଯୋଗ ଓ ଜାତିସଂଘ ପ୍ରବାସୀ ମଲ୍ଟି-ପାର୍ଟନର ଟ୍ରଷ୍ଟ ଫଣ୍ଡର ସମର୍ଥନରେ ଓଡିଶାର ପ୍ରଥମ ଭ୍ରାମ୍ୟମାଣ ପ୍ରବାସୀ ସାଧନ କେନ୍ଦ୍ରର ଆରମ୍ଭ କରାଯାଇଛି । ଗଞ୍ଜାମ ଓ କେନ୍ଦ୍ରାପଡାର ୫ ଟି ପ୍ରବାସ ପ୍ରବଣ ବ୍ଲକରେ ସଚେତନତା ବୃଦ୍ଧି ଲକ୍ଷ୍ୟରେ ଏହା କାର୍ଯ୍ୟ କରିବ ।
ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ତଥା ଦାଦନ ଶ୍ରମିକଙ୍କ ସହାୟତା ନିମନ୍ତେ ଗଠିତ ଟାସ୍କଫୋର୍ସର ଚେୟାରମ୍ୟାନ କନକ ବର୍ଦ୍ଧନ ସିଂହଦେଓ କହିଥିଲେ ଯେ, ବର୍ତ୍ତମାନ ଓଡିଶା ସରକାରଙ୍କ ତରଫରୁ ମହିଳା, ଯୁବବର୍ଗ, ଫେରନ୍ତା ପ୍ରବାସୀଙ୍କ ପାଇଁ ବିଭିନ୍ନ ଜୀବିକା ବିକାଶ କାର୍ଯ୍ୟକ୍ରମ ଓ ଦକ୍ଷତା ବିକାଶ, ନିଯୁକ୍ତି ସଂଯୋଜନ ପଦକ୍ଷେପମାନ ଗ୍ରହଣ କରାଯାଉଛି । ନିଜ ଅଞ୍ଚଳରେ ରୋଜଗାର ଯୋଗାଇ ସେମାନଙ୍କୁ ସ୍ୱାବଲମ୍ବୀ କରିବାକୁ ଆମର ଏହି ପ୍ରୟାସ ଆରମ୍ଭ ହୋଇଛି । ଆଜିର ଏହି ଭ୍ରାମ୍ୟମାଣ ପ୍ରବାସୀ ସାଧନ କେନ୍ଦ୍ର ଗାଁ ଗାଁରେ ଲୋକଙ୍କୁ ସଚେତନ କରିବ । ଏଥିପାଇଁ ସରକାରଙ୍କ ଦ୍ୱାରା ନିଶୁଳ୍କ ପ୍ରବାସୀ ହେଲ୍ପଲାଇନ  ୧୮୦୦-୩୪୫-୭୮୮୫ ଜାରି କରା ଯାଇଛି । ଯେକୌଣସି ଜରୁରୀ ପରିସ୍ଥିତି କିମ୍ବା ସୂଚନା ପାଇବା ପାଇଁ ଏହି ନମ୍ବରକୁ ଡାଏଲ୍ କରିପାରିବେ । ଉଦଘାଟନୀ କାର୍ଯ୍ୟକ୍ରମରେ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢୀଙ୍କ ସମେତ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ, ଏଫଏଓ, ୱାସନ, ଏସଏମଆରସି ର ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ  ।