ଆଜିଠାରୁ ବଢ଼ିବ ବର୍ଷାର ପ୍ରଭାବ

ଭୁବନେଶ୍ୱର: ବଙ୍ଗୋପସାଗରରେ ୨ଟି ଲଘୁଚାପ ସୃଷ୍ଟି ହେବାକୁ ଥିବା ବେଳେ ଆଜିଠାରୁ ବର୍ଷାର ପ୍ରଭାବ ଓ ପ୍ରକୋପ ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି। କେନ୍ଦ୍ରର ସୂଚନାନୁଯାୟୀ, ରାଜ୍ୟରେ ସପ୍ତାହେ ପର୍ୟ୍ୟନ୍ତ ବର୍ଷା ଜାରି ରହିବ। ଲଘୁଚାପ ଯୋଗୁଁ ପର୍ୟ୍ୟାୟକ୍ରମେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ। ମୁଖ୍ୟତଃ ଏହି ସମୟ ମଧ୍ୟରେ ଦକ୍ଷିଣ ଓଡ଼ିଶାରେ ପ୍ରକୋପ ଅଧିକ ରହିବ। ବର୍ତ୍ତମାନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ପ୍ରଭାବରେ ୧୪ ଓ ୧୫ ତାରିଖରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ। ରବିବାର ରାୟଗଡ଼ା, କନ୍ଧମାଳ, କୋରାପୁଟ ଓ ମାଲକାନଗିରିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ରହିଥିବା ବେଳେ ସୁନ୍ଦରଗଡ଼, କେନ୍ଦୁଝର, ଅନୁଗୁଳ, ଦେବଗଡ଼, ସମ୍ବଲପୁର, ଗଜପତି, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, ନବରଙ୍ଗପୁର, ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜରେ ପ୍ରବଳ ବର୍ଷା ହେବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି।
ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ରବିବାର ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହା ପ୍ରଭାବରେ ୧୫ ତାରିଖରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ। ୧୬ରେ ଏହି ଲଘୁଚାପ ଓଡ଼ିଶାରୁ ରାୟପୁର ପର୍ୟ୍ୟନ୍ତ ବିସ୍ତୃତି ଏବଂ ୧୭ରେ ମଧ୍ୟପ୍ରଦେଶ ମୁହାଁଇପାରେ। ୧୮ ତାରିଖରେ ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଫଳରେ ୨୦ ତାରିଖ ପର୍ୟ୍ୟନ୍ତ ଓଡ଼ିଶା ସଂଲଗ୍ନ ସମୁଦ୍ରରେ ବର୍ଷା ହେବାକୁ ଥିବା ବେଳେ ୨୧ରେ ଉତ୍ତର ଓଡ଼ିଶାରେ ଏବଂ ୨୨ରେ ଝାଡ଼ଖଣ୍ଡ ଆଡ଼କୁ ମୁହାଁଇବ। ଫଳରେ ଦୁଇଟି ଯାକ ଲଘୁଚାପର ପ୍ରଭାବ ଦକ୍ଷିଣ ଓଡ଼ିଶାରେ ପଡ଼ିବ। ଗଞ୍ଜାମ, ନୟାଗଡ଼, ବଲାଙ୍ଗିର, ନୂଆପଡ଼ା ଓ କଳାହାଣ୍ଡିରେ ସବୁଠାରୁ ଅଧିକ ବର୍ଷା ହେବାକୁ ଥିବା ବେଳେ ଉତ୍ତର ଉପକୂଳରେ ସବୁଠାରୁ କମ୍‌‌ ବର୍ଷା ହେବ। ସୁନ୍ଦରଗଡ଼ ଓ ସଂଲଗ୍ନ ଅଞ୍ଚଳରେ ୨୨ରେ ଅଧିକ ବର୍ଷା ହେବ।