ମରାମତି ହେଉନି : ବିପର୍ଯ୍ୟସ୍ତ ରଗଡ଼ି-କିଆପଦା ରାସ୍ତା
ରଗଡି : ଦୈନିକ ହଜାର ହଜାର ଲୋକ ଯାତାୟତ କରନ୍ତି । କେବଳ ଯାଜପୁର ଜିଲାର କୋରେଇ ବ୍ଲକ ନୁହେଁ ପଡ଼ୋଶୀ କେନ୍ଦୁଝର ଜିଲାର ଏକାଧିକ ଗାଁର ଲୋକେ ଉକ୍ତ ରାସ୍ତା ଦେଇ କଳିଙ୍ଗନଗର, ବ୍ୟାସନଗର ସହରାଂଚଳକୁ କାମକାର୍ଯ୍ୟ, ବେପାର ବଣିଜ କରିବାକୁ ଆସିଥାନ୍ତି । କିନ୍ତୁ ସଂପୃକ୍ତ ଗୁରୁତ୍ୱପୂର୍ଣ୍ଣ ରାସ୍ତାଟି ବିପର୍ଯ୍ୟସ୍ତ ହୋଇପଡ଼ିଛି । ମରାମତି ଅଭାବରୁ ମାସମାସ ଧରି ରାସ୍ତାଟି ମରଣଯନ୍ତା ପାଲଟିଛି । ଆମେ କହୁଛୁ କୋରେଇ ବ୍ଲକ ଅନ୍ତର୍ଗତ ୨୦ନଂ ଜାତୀୟ ରାଜପଥ ରଗଡି ଛକ-କିଆପଦା ଭାୟା କୋରାବନ୍ଦି ରାସ୍ତାର କଥା । ଦୀର୍ଘ ୫କିମି ଏହି ରାସ୍ତାଟି ମରାମତି ହେଉନି । ଯାହା ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଦୀପତଳ ଅନ୍ଧାରପରି ରାସ୍ତାର ଅବସ୍ଥା । ବିଭିନ୍ନ ସ୍ଥାନରେ ପିଚୁ ଉଠି ଯିବା ଫଳରେ ଚିପ୍ସ ଓ ମେଟାଲ ଉଠି ବଡ ବଡ ଗର୍ତ୍ତ ସୃଷ୍ଟି ହୋଇଛି । ବର୍ଷା ଟୋପେ ହେଲେ ଏଥିରେ ପାଣି ଜମି ଯାତାୟାତରେ ସମସ୍ୟା ସୃଷ୍ଟି କରୁଛି । ଆତଯାତ ବେଳେ ସାମାନ୍ୟ ଅସାବଧାନତା ଦୁର୍ଘଟଣାର କାରଣ ପାଲଟିଛି । ଜରୁରୀ କାଳୀନ ସେବାରେ ନିୟୋଜିତ ଗାଡି ଯିବାକୁ ସମୟ ଲାଗୁଛି । ରାସ୍ତା ଉପରେ ଅଞ୍ଚଳବାସୀଙ୍କ ସହ ପଡୋଶୀ କେନ୍ଦୁଝର ଜିଲାର ଲୋକମାନେ ନିର୍ଭର କରନ୍ତି । ଦୈନନ୍ଦିନ ସ୍କୁଲ କଲେଜକୁ ମଧ୍ୟ ଛାତ୍ରଛାତ୍ରୀ ଯିବା ଆସିବା କରିଥାନ୍ତି । କିନ୍ତୁ ଦୟନୀୟ ରାସ୍ତା ଅବସ୍ଥା ସୁଧାରିବା ଦିଗରେ କୈାଣସି ଉଦ୍ୟମ ହେଉନି । ରାସ୍ତା ମରାମତି ପ୍ରତିତୁରନ୍ତ ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଅଂଚଳବାସୀଙ୍କ ପକ୍ଷରୁ ଦାବି କରାଯାଇଛି ।