ସ୍କୁଲ୍ ବସରେ ଅଗ୍ନି ନିରାପତ୍ତା ନିୟମ ଅନୁପାଳନ ନିଦେ୍ର୍ଦଶନାମ
ଭୁବନେଶ୍ୱର: ସ୍କୁଲ ବସରେ ଅଗ୍ନି ନିରାପତ୍ତା ନିୟମ ପାଳନକୁ ସୁନିଶ୍ଚିତ କରିବା ଦିଗରେ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ନିଦେ୍ର୍ଦଶନାମା ଜାରି ହୋଇଛି । କେନ୍ଦ୍ରୀୟ ମୋଟର ଯାନ ନିୟମ ୧୯୮୯ର ଧାରା ୧୨୫ସି ଅନୁଯାୟୀ ସମସ୍ତ ସ୍କୁଲ ବସରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ସଠିକ୍ ଅନୁପାଳନ ହେବା ଅନିବାର୍ଯ୍ୟ । ଖିଲାପକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ରାଜ୍ୟ ପରିବହନ କମିସନର ଅମିତାଭ ଠାକୁର ନିଦେ୍ର୍ଦଶ ଦେଇଛନ୍ତି । ଅଗ୍ନି ନିରାପତ୍ତା ନିୟମ ଠିକ୍ ଭାବରେ ପାଳନ ହେଉଛି କି ନାହିଁ ସେ ସଂପର୍କରେ ବିଭିନ୍ନ ସମୟରେ ରାଜ୍ୟ ପରିବହନ ପ୍ରାଧିକରଣ ପଦକ୍ଷେପ ଗ୍ରହଣ କରି ଆସିଥିବାବେଳେ ଆଗକୁ ଏହାକୁ ଅଧିକ ବ୍ୟାପକ କରିବାକୁ ନିଷ୍ପତ୍ତି ହୋଇଛି । ସ୍କୁଲ ବସ୍ଗୁଡିକର ଅଗ୍ନି ନିରାପତ୍ତା ବ୍ୟବସ୍ଥା ଉପରେ ତୀକ୍ଷ୍ଣ ନଜର ରଖାଯିବ । କୌଣସି ସ୍କୁଲ ବସ୍ ନିୟମର ଉଲ୍ଲଙ୍ଘନ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରିବହନ କମିସନର ନିଦେ୍ର୍ଦଶ ଦେଇଛନ୍ତି । ସେହିଭଳି ନିଜ ନିଜ ଅଞ୍ଚଳରେ ଏହି ନିୟମ ଅନୁପାଳନକୁ ସୁନିଶ୍ଚିତ କରିବା ନିମନ୍ତେ ମୋଟର ଯାନ ନିରୀକ୍ଷକମାନଙ୍କୁ ନିଦେ୍ର୍ଦଶ ଦିଆଯାଇଛି । କେନ୍ଦ୍ରୀୟ ମୋଟର ଯାନ ଆଇନ ୧୯୮୯ର ନିୟମ ୧୨୫ସି ଅନୁସାରେ ସମସ୍ତ ସ୍କୁଲ ବସରେ ଏଆଇଏସ୍ ୧୩୫ ଆଧାରରେ ଏହି ଅଗ୍ନି ନିରାପତ୍ତା ବ୍ୟବସ୍ଥା ସଠିକ୍ ଭାବେ ଅନୁପାଳନ ହେବା ଆବଶ୍ୟକ । ସମସ୍ତ ବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନ ସହ ଅନୁବନ୍ଧିତ ହୋଇ ଛାତ୍ରଛାତ୍ରୀଙ୍କୁ ପରିବହନ କରୁଥିବା ବସ୍ ମାଲିକମାନେ ଏହି ନିୟମ ନିଶ୍ଚିତ ଭାବରେ ପାଳନ କରିବା ନିମନ୍ତେ ଆଇନରେ ପ୍ରାବଧାନ ରହିଛି । କୋମଳମତି ଛାତ୍ରଛାତ୍ରୀଙ୍କ ସୁରକ୍ଷା ପ୍ରତି କୌଣସି ଅଣଦେଖାକୁ ବରଦାସ୍ତ କରାଯିବ ନାହିଁ ବୋଲି ଦର୍ଶାଯାଇ ନିୟମ ଉଲ୍ଲଙ୍ଘନ କରୁଥିବା ବସ୍ ଗୁଡିକର ଫିଟନେସ୍ ସାର୍ଟିଫିକେଟ ରଦ୍ଦ କରିବାକୁ ନିଦେ୍ର୍ଦଶ ଦିଆଯାଇଛି ।