ବର୍ଡର-ଗାଭାସ୍କର ଟ୍ରଫି ପରେ ଅବସର ଘୋଷାଣା କରିବେ ରୋହିତ ଶର୍ମା!

ବର୍ଡର-ଗାଭାସ୍କର ଟ୍ରଫି ପରେ ଅବସର ଘୋଷାଣା କରିବେ ରୋହିତ ଶର୍ମା!

ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଏବେ ଖରାପ ଫର୍ମ ଦେଇ ଗତି କରୁଛନ୍ତି। କ୍ୟାପ୍ଟେନ୍ସିରେ ମଧ୍ୟ ତାଙ୍କର ପୁରୁଣା ଚମକ ନାହିଁ। ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଘରୋଇ ସିରିଜରେ ଫ୍ଲପ ହେବା ପରେ ରୋହିତ ଶର୍ମା ବର୍ଡର-ଗାଭାସ୍କର ଟ୍ରଫିରେ ମଧ୍ୟ କ୍ରମାଗତ ଭାବେ ଫେଲ ମାରିବାରେ ଲାଗିଛନ୍ତି।

ଟି-୨୦ ବିଶ୍ୱକପ ଜିତିବା ପରେ ରୋହିତ ଏହି ଫର୍ମାଟକୁ ଅଲବିଦା କହିଥିଲେ। ସେ କେବଳ ଦିନିକିଆ ଓ ଟେଷ୍ଟ ଖେଳୁଛନ୍ତି। କିନ୍ତୁ ଟେଷ୍ଟରେ ରୋହିତଙ୍କ ସେହି ଜଲୱା ନାହିଁ। ପିଙ୍କ ବଲ ଟେଷ୍ଟରେ ଭାରତ ହାରିଥିବା ବେଳେ ଗାବାରେ କଷ୍ଟମଷ୍ଟେ ମ୍ୟାଚ୍‌ ଡ୍ର ହୋଇଥିଲା। ଆଜି ମେଲବର୍ଣ୍ଣ ଟେଷ୍ଟରେ ଭାରତ ୧୮୪ ରନରେ ଅଷ୍ଟ୍ରେଲିଆ ଠାରୁ ହାରିଛି। ଏହି ପରାଜୟ ଭାରତୀୟଙ୍କୁ ବେଶ ବାଧିଛି। କାରଣ ଆଜିର ପରାଜୟ ପରେ ଭାରତର ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ଖେଳିବାର ସ୍ୱପ୍ନ ମଧ୍ୟ ଏକପ୍ରକାରର ଧୂଳିସାତ ହୋଇଯାଇଛି।

ମେଲବର୍ଣ୍ଣରେ ବୋଲରମାନେ ଭାରତକୁ କମବ୍ୟାକର ସୁଯୋଗ ଦେଇଥିଲେ। କିନ୍ତୁ ବ୍ୟାଟରମାନେ ପୁଣିଥରେ ସମସ୍ତଙ୍କୁ ନିରାଶ କରିଛନ୍ତି। ପ୍ରଥମ ଇନିଂସରେ ଫେଲ ମାରିଥିବା ରୋହିତ ଦ୍ୱିତୀୟ ଇନିଂସରେ ୪୦ ବଲରେ ସମ୍ମୁଖୀନ ହୋଇଥିଲେ। କିନ୍ତୁ ସେ କେବଳ ୯ ରନ କରିବାକୁ ସକ୍ଷମ ହୋଇଛନ୍ତି।

ଅଷ୍ଟ୍ରେଲିଆରେ ବର୍ଡର ଗାଭାସ୍କର ଟ୍ରଫି ଖେଳିବାକୁ ଆସିବା ପୂର୍ବରୁ ଭାରତ ଘରୋଇ ମାଟିରେ ନ୍ୟୁଜିଲ୍ୟାଣ୍ଡ ଠାରୁ ୦-୩ରେ ହାରିଥିଲା। ଏହି ସିରିଜରେ ରୋହିତ ୬ଟି ଇନିଂସରେ ମାତ୍ର ୯୧ ରନ କରିଥିଲେ। ତାଙ୍କର ସର୍ବାଧିକ ସ୍କୋର କେବଳ ୫୨ ରନ ରହିଥିଲା। ସେହିପରି ତାଙ୍କ କ୍ୟାପ୍ଟେନ୍ସି ଉପରେ ମଧ୍ୟ କ୍ରିକେଟ ପଣ୍ଡିତମାନେ ପ୍ରଶ୍ନ ଉଠାଇଥିଲେ।