ରେଡ୍ ବଲ୍ ମ୍ୟାଚ୍କୁ ନେଇ ଚାପରେ ଗମ୍ଭୀର
ମୁମ୍ବାଇ : ଆସନ୍ତା ୨ ତାରିଖରେ ଇଂଲଣ୍ଡ ବନାମ ଭାରତ ଟେଷ୍ଟ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ବର୍ମିଂହମ୍ର ଏଜବାଷ୍ଟନ୍ ଗ୍ରାଉଣ୍ଡରେ ଆୟୋଜିତ ହେବ । କିନ୍ତୁ ହେଡିଂଲିରେ ଖେଳା ଯାଇଥିବା ରେଡ୍ ବଲ୍ ପ୍ରଥମ ମ୍ୟାଚ୍ରେ ଭାରତର ପରାଜୟ ବରଣ ପରେ ଅତ୍ୟଧିକ ଚାପରେ ଅଛନ୍ତି ଭାରତୀୟ କୋଚ୍ ଗୌତମ ଗମ୍ଭୀର । ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ୍ ଆକାଶ ଚୋପ୍ରା ତାଙ୍କ ୟୁଟୁ୍ୟବ୍ ଚ୍ୟାନେଲରେ ଏହା କହିବା ପରେ ଏବେ ଦ୍ୱିତୀୟ ମ୍ୟାଚ୍ରେ ଭାରତୀୟ ଦଳ କି ପଦକ୍ଷେପ ଗ୍ରହଣ କରୁଛି ତାହା ଉପରେ ନଜର । ପ୍ରଥମ ମ୍ୟାଚ୍ରେ ଭାରତୀୟ ଦଳ ପରାଜୟକୁ ନେଇ ବିଭିନ୍ନ ମହଲରୁ ଗମ୍ଭୀର ସମାଲୋଚନାର ଶିକାର ହେବା ପରେ କ’ଣ କ’ଣ ଦୁର୍ବଳତା ରହିଥିଲା ତା’ର ସମୀକ୍ଷା କରିଛନ୍ତି ଗମ୍ଭୀର । ଏହାସହ ଖେଳାଳିଙ୍କୁ ଏହାର ପୁନରାବୃତ୍ତି ନ ହେବା ପାଇଁ ଚେତାବନୀ ଦେଇଛନ୍ତି ।
ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ଅବସର ପରେ ଟେଷ୍ଟ କ୍ରିକେଟ୍ରେ ଗିଲ୍ଙ୍କ ଅଧିନାୟକତ୍ୱରେ ଭାରତ ଏକ ନୂତନ ଯୁଗର ଆରମ୍ଭ କରିଛି । ବର୍ତ୍ତମାନ ଟେଷ୍ଟରେ ଜଣେ ଖେଳାଳି କୋହଲି ଓ ରୋହିତଙ୍କ ମଧ୍ୟରୁ ଜଣକ ସ୍ଥାନ ନେଇଥିବା ଚର୍ଚ୍ଚା ହେଉଥିବା ବେଳେ ବର୍ମିଂହୋମ୍ରେ ସେ କି ରଣନୀତି ଦେଖାଉଛନ୍ତି ତା’ ଉପରେ ନଜର ରହିଛି ।
ଆକାଶଙ୍କ କହିବା କଥା ବିଗତ ଦିନରେ ସେ ବାଂଲାଦେଶ ବିପକ୍ଷରେ ଦୁଇଟି ଏବଂ ଅଷ୍ଟ୍ରେଲିଆ ବିପକ୍ଷରେ ଗୋଟିଏ ବିଜୟ ହାସଲ କରିଛନ୍ତି । କିନ୍ତୁ ନୁ୍ୟଜିଲ୍ୟାଣ୍ଡ ବିପକ୍ଷରେ ତିନୋଟି, ଅଷ୍ଟ୍ରେଲିଆ ବିପକ୍ଷରେ ତିନୋଟି ଏବଂ ଏବେ ଇଂଲଣ୍ଡ ବିପକ୍ଷରେ ଗୋଟିଏ ମ୍ୟାଚ୍ ହାରିବା ଘଟଣା ଭାରତର ଟେଷ୍ଟ ଇତିହାସରେ ଆଉ ଏକ ଫର୍ଦ୍ଦ ଯୋଡ଼ି ହୋଇଛି । ୨୦୧୧ରେ ଭାରତର ଏକଦିବସୀୟ ବିଶ୍ୱକପ୍ ବିଜୟରେ ଗମ୍ଭୀର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ବେଳେ ଗତବର୍ଷ ଜୁଲାଇରେ ରାହୁଲ ଦ୍ରାବିଡଙ୍କ ସ୍ଥାନ ନେଇଥିଲେ । ହେଲେ ଏବେ ଦ୍ୱିତୀୟ ଟେଷ୍ଟରେ ଦଳର ପ୍ରଦର୍ଶନ କ’ଣ ରହୁଛି ତାହାକୁ ନେଇ ସବୁ ମହଲରେ ଚର୍ଚ୍ଚା ।