ପବିତ୍ର ଶ୍ରାବଣରେ ଘରକୁ ଆଣନ୍ତୁ
ଆଉ କିଛିଦିନ ପରେ ଆରମ୍ଭ ହେବ ଶ୍ରାବଣ ମାସ । ଏହି ମାସ ଦେବଦେବ ମହାଦେବଙ୍କର ପ୍ରିୟ ମାସ । ଶ୍ରାବଣ ମାସର ସୋମବାର ସବୁଠୁ ପବିତ୍ର ହୋଇଥାଏ । ଯଦି ଏହିଦିନ ଘରକୁ କିଛି ଶୁଭ ଫଳ ପ୍ରଦାନ କରୁଥିବା ଜିନିଷ ଅଣାଯାଏ ତେବେ ଭଗବାନ ଶଙ୍କରଙ୍କ କୃପା ହେବା ସହ ଦୁଃଖ କଷ୍ଟ ଦୂର ହୋଇ ଘର ସୁଖ ସମୃଦ୍ଧିରେ ପରିପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ୱାସ ରହିଛି । ତେବେ ଆସନ୍ତୁ ଜାଣିବା ଏହି ଦିନ ଘରକୁ କେଉଁ ସବୁ ଜିନିଷ ଆଣିବା ଶୁଭ ଫଳ ଦେଇଥାଏ ।
ଗଙ୍ଗାଜଳ: ଗଙ୍ଗାଜଳକୁ ସନାତନ ଧର୍ମରେ ସବୁଠୁ ଶୁଦ୍ଧ ବୋଲି ମାନ୍ୟତା ମିଳିଛି । ଭଗବାନ ଶିବ ତାଙ୍କ ଜଟାରେ ମା' ଗଙ୍ଗାଙ୍କୁ ଧାରଣ କରିଛନ୍ତି । ତେଣୁ ଶ୍ରାବଣ ମାସରେ ଗଙ୍ଗାଜଳ ଘରକୁ ଆଣିବା ଓ ଗଙ୍ଗାଜଳରେ ସ୍ନାନ କରିବା ଦ୍ୱାରା ପୂଣ୍ୟଲାଭ ହୋଇଥାଏ । ବାସ୍ତୁଶାସ୍ତ୍ର ଅନୁସାରେ, ଯଦି ଶ୍ରାବଣ ମାସ ସୋମବାର ଦିନ ଗଙ୍ଗାଜଳ ଆଣି ଏହାକୁ ରୋଷେଇଘରର ଏକ ସଫା ସ୍ଥାନରେ ରଖାଯାଏ ତେବେ ଘରେ ସୌଭାଗ୍ୟ ବୃଦ୍ଧି ହୋଇଥାଏ ।
ରୁଦ୍ରାକ୍ଷ: ମହାଦେବଙ୍କୁ ଅଶ୍ରୁରୁ ଉତ୍ପତି ହୋଇଛି ରୁଦ୍ରାକ୍ଷ । ତେଣୁ ରୁଦ୍ରାକ୍ଷ ଅତ୍ୟନ୍ତ ଶୁଭ ବୋଲି ବିଶ୍ୱାସ କରାଯାଏ । ରୁଦ୍ରାକ୍ଷ ଅନେକ ପ୍ରକାରର ଥାଏ । ତେବେ ଶ୍ରାବଣ ମାସରେ ରୁଦ୍ରାକ୍ଷ ଧାରଣ କରିବା କିମ୍ବା ଏହାକୁ ଘରକୁ ଆଣିବା ଶୁଭ ହୋଇଥାଏ । ଶ୍ରାବଣ ମାସରେ ନୀତିନିୟମ ଅନୁସାରେ ରୁଦ୍ରାକ୍ଷ ପିନ୍ଧିବା ଉଚିତ । ରୁଦ୍ରାକ୍ଷ ଘରକୁ ଆଣିଲେ ଆର୍ଥିକ ସ୍ଥିତି ସୁଦୃଢ ହେବା ସହ ବୌବାହିକ ଜୀବନ ସୁଖମୟ ହୋଇଯାଏ । ଏହାସହ ରୋଗବ୍ୟାଧି ଦୂର ହେବା ସହ ଘରୁ ନକରାତ୍ମକ ଶକ୍ତିର ପ୍ରଭାବ ହ୍ରାସ ହୋଇଥାଏ ।
ତୁଳସୀ ଗଛ: ଯଦି ଆପଣଙ୍କ ଘରେ ତୁଳସୀ ଗଛ ନାହିଁ ଏବଂ ଆପଣ ଘରକୁ ତୁଳସୀ ଗଛ ଆଣିବା ପାଇଁ ଚାହୁଁଛନ୍ତି ତେବେ ଶ୍ରାବଣ ମାସ ସୋମବାର ଏଥିପାଇଁ ସବୁଠାରୁ ଭଲଦିନ । ଶ୍ରାବଣ ମାସରେ ଘର ଅଗଣାର ଉତ୍ତର ଦିଗରେ ତୁଳସୀ ଗଛ ଲଗାନ୍ତୁ । ଏହା ଦ୍ୱାରା ବିବାହ ସମ୍ବଦ୍ଧୀୟ ବାଧା ଦୂର ହୋଇଥାଏ ।
ରୁପାର ତ୍ରିଶୂଳ: ତ୍ରିଶୂଳ ଭଗବାନ ଶଙ୍କରଙ୍କ ଅସ୍ତ୍ର । ଶ୍ରାବଣ ମାସ ସୋମବାର ଦିନ ରୁପାର ତ୍ରିଶୂଳ ଆଣି ପୂଜାଘରେ ରଖନ୍ତୁ । ଏହାଦ୍ୱାରା ଶାରୀରିକ ଓ ମାନସିକ ଶାନ୍ତି ମିଳିବା ସହ ପରିବାରର ସମସ୍ତ ଦୁଃଖ ଦୁର୍ଦ୍ଦଶା ଦୂର ହୋଇଯିବ ବୋଲି ବିଶ୍ୱାସ ରହିଛି ।
ବେଲ ଗଛ: ବେଲପତ୍ର ଭଗବାନ ଶଙ୍କରଙ୍କ ଅତି ପ୍ରିୟ ପତ୍ର । ଶ୍ରାବଣ ମାସ ସୋମବାର ଘରେ ବେଲ ଗଛ ଲଗାଇ ପ୍ରତିଦିନ ଏହାକୁ ପୂଜା କରନ୍ତୁ । ବେଲଗଛ ଲଗାଇବା ଦ୍ୱାରା ଘରର ବାସ୍ତୁ ଦୋଷ ଦୂର ହେବାସହ ଘରେ ଅର୍ଥର ଅଭାବ ରହେ ନାହିଁ ।
ନାଗ-ନାଗୁଣୀ ଯୋଡି ମୂର୍ତ୍ତି: ଯଦି ଆପଣଙ୍କ କୁଣ୍ଡଳିରେ କାଳସର୍ପ ଦୋଷ ଅଛି ତେବେ ଶ୍ରାବଣ ମାସ ସୋମବାର ଦିନ ଶିବଲିଙ୍ଗ ପୂଜା କରି ନାଗ-ନାଗୁଣୀ ଯୋଡି ମୂର୍ତ୍ତି ଅର୍ପଣ କରନ୍ତୁ । ଖରାପ ନଜରରୁ ଘରୁ ରକ୍ଷା କରିବା ସହ ନକରାତ୍ମକ ଶକ୍ତିକୁ ଘରୁ ଦୂର କରିବା ପାଇଁ ଶ୍ରାବଣ ମାସ ସୋମବାର ଦିନ ରୁପା କିମ୍ବା ତମ୍ବାର ନାଗ-ନାଗୁଣୀ ଯୋଡି ମୂର୍ତ୍ତିକୁ ଆଣି ଘରର ମୁଖ୍ୟ ଦ୍ୱାର ଆଗରେ ରଖନ୍ତୁ ।