ଏଭଳି କିଛି ଖାଦ୍ୟ , ସ୍ବାସ୍ଥ୍ୟପ୍ରଦ ଷ୍ଟ୍ରିଟ୍‌ ଫୁଡ୍‌!

ଏଭଳି କିଛି ଖାଦ୍ୟ , ସ୍ବାସ୍ଥ୍ୟପ୍ରଦ ଷ୍ଟ୍ରିଟ୍‌ ଫୁଡ୍‌!

ଭାରତୀୟ ଖାଦ୍ୟ ସମଗ୍ର ବିଶ୍ବରେ ବେଶ୍‌ ଲୋକପ୍ରିୟ। ତେବେ ଭାରତୀୟ ଷ୍ଟ୍ରିଟ୍‌ ଫୁଡ୍‌ ବା ରାସ୍ତାକଡ଼ ଖାଦ୍ୟର ଏକ ସ୍ବତନ୍ତ୍ର ଚାହିଦା ରହିଛି। ଗୁପଚୁପ୍‌ ଠାରୁ ଆରମ୍ଭ କରି କଚୋଡ଼ି, ସିଙ୍ଗଡ଼ା ଓ ଢୋକଲା ଯାଏ ରାସ୍ତାକଡ଼ରେ ଏପରି ବହୁବିଧ ବ୍ୟଞ୍ଜନ ଉପଲବ୍‌ଧ। ତେବେ ଆମେ ଅଧିକ ସ୍ବାସ୍ଥ୍ୟ ସଚେତନ ହେବା ସହିତ ଏହିସବୁ ରାସ୍ତାକଡ଼ ଖାଦ୍ୟ ପ୍ରତି ଆଗ୍ରହ କମି କମି ଯାଉଛି। ଏଗୁଡ଼ିକ ତୈଳାକ୍ତ, ମସଲାରେ ପରିପୂର୍ଣ୍ଣ ଓ ଅତ୍ୟନ୍ତ ଅସ୍ବାସ୍ଥ୍ୟକର ବୋଲି ବିବେଚନା କରାଯାଏ। ତେବେ ସେଥି ମଧ୍ୟରେ ଏଭଳି କିଛି ଖାଦ୍ୟ ରହିଛି ଯାହା ସୁଆଦିଆ ହେବା ସହ ସ୍ବାସ୍ଥ୍ୟପ୍ରଦ ମଧ୍ୟ।

ସେଥି ମଧ୍ୟରେ କନ୍ଦମୂଳ ଚାଟ୍‌ ଅନ୍ୟତମ। ଭାରତରେ ଚାଟ୍‌ ହେଉଛି ସବୁଠୁ ଲୋକପ୍ରିୟ ରାସ୍ତାକଡ଼ ଖାଦ୍ୟ, ଯାହା ମୁଖ୍ୟ ଉପାଦାନ ଅନୁଯାୟୀ ଭିନ୍ନ ଭିନ୍ନ ରୂପରେ ମିଳିଥାଏ। ଆଳୁ ଚାଟ୍‌ ଯଦିଓ ସୁଆଦିଆ, ତେବେ ସେଥିରେ ସିଝା ଆଳୁକୁ ତେଲରେ ଭଜାଯାଇଥିବାରୁ ତାହା ସ୍ବାସ୍ଥ୍ୟକର ନୁହେଁ। ସେ ଦୃଷ୍ଟିରୁ କନ୍ଦମୂଳ ଚାଟ୍‌ ଅଧିକ ପସନ୍ଦଯୋଗ୍ୟ। କାରଣ ଏଥିରେ ସିଝା କନ୍ଦମୂଳକୁ ସିଧାସଳଖ ମସଲା ଓ ଅନ୍ୟାନ୍ୟ ଉପାଦାନ ସାଙ୍ଗରେ ମିଶାଯାଇଥାଏ। ସେହିପରି ଭେଲପୁରି ହେଉଛି ରାସ୍ତାକଡ଼ ଖାଦ୍ୟର ଅନ୍ୟତମ ସ୍ବାସ୍ଥ୍ୟପ୍ରଦ ବିକଳ୍ପ। ଏହା କମ୍‌ କ୍ୟାଲୋରିଯୁକ୍ତ ହୋଇଥିବାରୁ ଏହାକୁ ପ୍ରମୁଖ ଜଳଖିଆ ଭାବେ ଗ୍ରହଣ କରିହେବ। ସେହିପରି କବାବ ଓ ଟିକ୍କା ହେଉଛି ଶ୍ରେଷ୍ଠ ସ୍ବାଦିଷ୍ଠ ରାସ୍ତାକଡ଼ ଖାଦ୍ୟ। ବିଭିନ୍ନ ପନିପରିବା ସମେତ ପନିର, ଛତୁ ଠାରୁ ଆରମ୍ଭ କରି ଚିକେନ୍‌, ମାଛ ଓ ମଟନ୍‌ ଯାଏ ବିଭିନ୍ନ ପ୍ରକାରର କବାବ ଉଭୟ ଆମିଷାଶୀ ଓ ନିରାମିଷାଶୀ ଗ୍ରାହକଙ୍କ ରୁଚିକୁ ସମ୍ମାନ ଦେଇଥାଏ। ସେହିପରି ସିଝା ଓ ପୋଡ଼ା ମକା ହେଉଛି ଅନ୍ୟ ଏକ ଲୋଭନୀୟ ରାସ୍ତାକଡ଼ ଖାଦ୍ୟ। ଏଥିରେ କୌଣସି ପ୍ରକାର ତେଲ କି ମସଲା ବ୍ୟବହାର ହୋଇନଥାଏ। ଉଚ୍ଚମାନର ତନ୍ତୁଜ ଦ୍ରବ୍ୟ ଥିବା ମକା ନିଶ୍ଚିତ ଭାବରେ ସ୍ବାସ୍ଥ୍ୟପ୍ରଦ।