ଶିଶୁ ମହୋତ୍ସବ ‘ସୁରଭି’ ଉଦଘାଟିତ
surabhi

୧୪ରେ ଯୋଗଦେବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ଉଦ୍ଘାଟିତ ହୋଇଯାଇଛି ବହୁ ପ୍ରତିକ୍ଷିତ ଶିଶୁ ମହୋତ୍ସବ ୨୦୨୪- ‘ସୁରଭି’ । ବିକଶିତ ଓଡ଼ିଶା, ବିକଶିତ ଭାରତ ପରିକଳ୍ପନାକୁ ସତ କରିବାକୁ ହେଲେ ଶିକ୍ଷାକୁ ତୃଣମୂଳସ୍ତରରେ ସୁଦୃଢ କରିବାକୁ ହେବ । କଳା ବଞ୍ଚିରହିଲେ, ଦେଶ ବଞ୍ଚିରହିବ । ଓଡ଼ିଶାର ଲୋକକଳାର ସଂରକ୍ଷଣ ଓ ପ୍ରସାର ପାଇଁ ରାଜ୍ୟ ସରକାର ଅନେକ ଯୋଜନା କରିଛନ୍ତି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ।
ଉଦଘାଟନୀ ସମାରୋହରେ ଭୁବନେଶ୍ୱର ମେୟର ସୁଲୋଚନା ଦାସ, ବିଭାଗୀୟ ସଚିବ ଶାଲିନୀ ପଣ୍ଡିତ, ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନନ୍ୟା ଦାସ ଓ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ସଂଗ୍ରାମ କେଶରୀ ମହାପାତ୍ର ଉପସ୍ଥିତ ଥିଲେ ।
ସୂଚନାଯୋଗ୍ୟ, ତିନିଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମର ପ୍ରଥମ ଦିନରେ ଓଡ଼ିଶା ଲୋକକଳା ଶୀର୍ଷକ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ୩୦ଟି ଜିଲ୍ଲାରୁ ଜଣେ ଲେଖାଏଁ କୃତୀ ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରି ଓଡ଼ିଶାର କଳାକୃତି ଉପରେ ସୁନ୍ଦର ଚିତ୍ର ଓ ହସ୍ତକଳା ପ୍ରସ୍ତୁତ କରିଥିଲେ । ଏହାସହ ପ୍ରବନ୍ଧ, ଚିତ୍ରାଙ୍କନ, ସୃଜନଶୀଳ ଲିଖନୀ, କୁଇଜ୍ ଆଦି ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା ।
ଚଳିତ ବର୍ଷ ସୁରଭି ମହୋତ୍ସବରେ ଆକର୍ଷଣ ପାଲଟିଛି ଆକାଂକ୍ଷୀ ଦୁନିଆ । ଏଠାରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଝଲକ୍ ମଧ୍ୟ ଦେଖିବାକୁ ମିଳିଛି । ମହୋତ୍ସବରେ ଯୋଗଦେଇଥିବା ଛାତ୍ରଛାତ୍ରୀଙ୍କୁ ଖଣ୍ଡଗିରି, ଧଉଳିଗିରି, ନନ୍ଦନକାନନ, କଳାଭୂମି, ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର, ଏସସି ଏସଟି ସଂଗ୍ରହାଳୟ, ପଠାଣୀ ସାମନ୍ତ ପ୍ଲାନେଟୋରିୟମ ଇତ୍ୟାଦି ସ୍ଥାନ ପରିଦର୍ଶନ କରିବାର ବ୍ୟବସ୍ଥା କରାଯାଇଛି । ନଭେମ୍ବର ୧୪ରେ ରାଜ୍ୟସ୍ତରୀୟ ଶିଶୁଦିବସ ଅବସରରେ ମୁଖ୍ୟଅତିଥି ଭାବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।