ଓରାଓଁ ସାଂସ୍କୃତିକ ସମାଜକୁ ମିଳିବ ସ୍ଥାୟୀ ଜମି : ମୁଖ୍ୟମନ୍ତ୍ରୀ
 
                                
 ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ଥାନୀୟ ଚନ୍ଦ୍ରଶେଖରପୁର ଠାରେ ଓରାଓଁ ସାଂସ୍କୃତିକ ସମାଜ ପକ୍ଷରୁ ଆୟୋଜିତ କରମା ପୂର୍ବ ସନ୍ଧ୍ୟା କାର୍ଯ୍ୟକ୍ରମରେ ଯୋଗଦାନ କରିଛନ୍ତି । ପରିବେଶୀୟ ସଙ୍କଟ ଯେତେବେଳେ ବିଶ୍ୱକୁ ଆକ୍ରାନ୍ତ କରୁଛି, ସେତେବେଳେ କରମା ପୂଜାର ଏହି ପ୍ରକୃତି ପ୍ରେମର ସନେ୍ଦଶ ଅତ୍ୟନ୍ତ ସାମୟିକ ଓ ଓରାମ ଜନଜାତି ସମାଜ ଆଜି ସେହି ଏକତାର ପ୍ରତୀକକୁ ଦର୍ଶାଉଛି ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ।
ଖୁବ ଶୀଘ୍ର ରାଜ୍ୟ ସରକାରଙ୍କ ତରଫରୁ ଓରାଓଁ ସାଂସ୍କୃତିକ ସମାଜ ନିମନ୍ତେ ସ୍ଥାୟୀ ଜମି ପ୍ରଦାନ କରାଯିବ ଓ ଓରାମ ଜନଜାତିର ସାଂସ୍କୃତିକ ଉନ୍ନତି ନିମନ୍ତେ ପ୍ରୋସôାହନ ରାଶି ମଧ୍ୟ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଘୋଷଣା କରିଛନ୍ତି । କାର୍ଯ୍ୟକ୍ରମରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଥିଲେଯେ, କରମା ପୂଜା ଆମକୁ ଶିଖାଏ ଯେ, ପ୍ରକୃତି ବିନା ଆମେ ଶୂନ୍ୟ । କରମା ପୂଜାରେ ଆମେ ଶିଖୁ ଯେ, ପରିଶ୍ରମରେ ମାନ ଆଉ ପରିଶ୍ରମରେ ହିଁ ସମ୍ମାନ ମିଳିଥାଏ । କରମା ପୂଜା ଆମକୁ ଏହା ହିଁ ସ୍ମରଣ କରାଏ ଯେ କୃଷକମାନେ, ଶ୍ରମିକମାନେ, ଜନଜାତିୟ ଅଞ୍ଚଳର ସାଧାରଣ ଲୋକମାନେ  ସମସ୍ତଙ୍କ ପରିଶ୍ରମରେ ରାଜ୍ୟର ଅର୍ଥନୀତିର ଭିତ୍ତି ଦଣ୍ଡାୟମାନ । 
ଯେତେ ପର୍ଯ୍ୟନ୍ତ ରାଜ୍ୟର ପ୍ରାୟ ୨୩ ପ୍ରତିଶତ ଆଦିବାସୀ ଲୋକଙ୍କ ବିକାଶ ହେବ ନାହିଁ, ରାଜ୍ୟର ପ୍ରଗତି ଅସମ୍ଭବ । ତେଣୁ ଆମ ସରକାରଙ୍କ ପ୍ରଥମ ପ୍ରଥମିକତା ହେଉଛି ଜନଜାତିଙ୍କ ଆର୍ଥିକ, ସାମାଜିକ ବିକାଶ ଓ ରାଜନୈତିକ ଉତଥାନ କରିବା । ଜନଜାତି ସଂସ୍କୃତି ଓ ପରମ୍ପରାକୁ ସୁରକ୍ଷା ତଥା ପ୍ରଚାର ପ୍ରସାର କରିବା ପାଇଁ ଆଦିବାସୀ ସଂସ୍କୃତି ଭବନ ନିର୍ମାଣ, ଆଦିବାସୀ ଲିପିକୁ ପ୍ରୋସôାହନ ଦେବା ପରି ଅନେକ ପଦକ୍ଷେପ ନିଆ ଯାଉଛି । ପିଏମ୍ ଜନମନ୍ ଅଧୀନରେ ପିଭିଟିଜି ବର୍ଗଙ୍କ ପାଇଁ ୪୩ଟି ଜନ ଧନ ବିକାଶ କେନ୍ଦ୍ର, ୭୪ଟି ବହୁମୁଖୀ କେନ୍ଦ୍ର ନିର୍ମାଣ କରାଯାଉଛି । କିଛି ଦିନ ତଳେ ରାଜ୍ୟ ଡିଏଫଓ ସମ୍ମିଳନୀରେ  ମୋର ନିଦେ୍ର୍ଦଶ  ଥିଲା, ଜଙ୍ଗଲ ଅଧିକାର ଆଇନ ଅନୁସାରେ ଜଙ୍ଗଲ ଏବଂ ଏହାର ଆଖପାଖ ଅଞ୍ଚଳରେ ବସବାସ କାରୁଥିବା ଜନଜାତି ସମ୍ପ୍ରଦାୟର ଲୋକଙ୍କ ଅଧିକାର ଯେମିତି ସୁରକ୍ଷିତ ରହିବ,  ସେଥିପାଇଁ  ସମସ୍ତ ଅଧିକାରୀ ଯନôବାନ ରହିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଆଉ ୧୧ ବର୍ଷରେ ଆମେ ଓଡିଶା ପ୍ରଦେଶ ଗଠନର ଏକ ଶହ ବର୍ଷ ପୂର୍ତ୍ତି ପାଳନ କରିବା । ତେଣୁ ୨୦୩୬ ସୁଦ୍ଧା ଓଡିଶାକୁ ଏକ ସମୃଦ୍ଧ ଓଡିଶା ଗଠନ କରିବା ପାଇଁ ଆଜିଠାରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇ ଯାଇଛି ।  ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ, ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ  ନିତ୍ୟାନନ୍ଦ ଗଣ୍ଡ ମଂଚାସୀନ ଥିଲେ । ଓରାମ ସାଂସ୍କୃତିକ ସମାଜର ସଭାପତି ସୁଶ୍ରୀ ସୁକେଶୀ ଓରାମ ସ୍ୱାଗତ ଭାଷଣ ଦେଇଥିବା ବେଳେ ସଂପାଦକ ପ୍ରେମସାଗର ଓରାମ ଧନ୍ୟବାଦ ଦେଇଥିଲେ ।                        
 
 Rasmita Behera
                                    Rasmita Behera                                 
    
             
    
             
    
             
    
 
    
 
 
 
