କଂଗ୍ରେସ ଆଣିବ ସ୍ୱାଧୀକାର ଭଙ୍ଗ ନୋଟିସ: ତାରା
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀଙ୍କ ନାମରେ କଂଗ୍ରେସ ସ୍ୱାଧୀକାର ଭଙ୍ଗ ନୋଟିସ ଆଣିବ । ଏନେଇ ସୂଚନା ଦେଇଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି । ବିଧାନସଭା ବାହାରେ ଅଗ୍ନିବୀରଙ୍କ ପାଇଁ ସଂରକ୍ଷଣ ଘୋଷଣାକୁ ବିରୋଧ କରି ଦଳ ମୁଖ୍ୟମନ୍ତ୍ରୀଙ୍କ ନାମରେ ସ୍ୱାଧୀକାର ଭଙ୍ଗ ନୋଟିସ ଆଣିବ ବୋଲି ସେ କହିଛନ୍ତି ।
ପ୍ରକାଶଯେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଗ୍ନିବୀରଙ୍କ ପାଇଁ ଓଡ଼ିଶାରେ ୧୦ ପ୍ରତିଶତ ସ୍ଥାନ ସଂରକ୍ଷଣ ପାଇଁ ଶୁକ୍ରବାର ଘୋଷଣା କରିଥିଲେ । ଅଗ୍ନିବୀରଙ୍କ ପାଇଁ ୫ ବର୍ଷ ବୟସ ସୀମା କୋହଳ ରାଜ୍ୟର ସବୁ ୟୁନିଫର୍ମ ସେବାରେ ନିଯୁକ୍ତି ପାଇଁ ସଂରକ୍ଷଣ ଦିଆଯିବ ସହ ଓଡ଼ିଶା ୟୁନିଫର୍ମ ସେବାରେ ସେମାନଙ୍କୁ ଗ୍ରହଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।
ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ସୂଚନା ଦେଇ କହିଥିଲେ, "ଭାରତୀୟ ସେନାରେ ଯୋଗ ଦେଇଥିବା ସବୁ ସୈନିକ ଆମର ଗର୍ବ ଓ ଗୌରବ । ଆମର ଅଗ୍ନିବୀରମାନେ ମଧ୍ୟ ସେନାବାହିନୀରେ ଦକ୍ଷ ପ୍ରଶିକ୍ଷଣ ପାଇ ବିଭିନ୍ନ ସୁରକ୍ଷା କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବାର ଯୋଗ୍ୟତା ହାସଲ କରିଛନ୍ତି । ଅଗ୍ନିବୀର୍ ଯୋଜନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ଯୁଗାନ୍ତକାରୀ ଯୋଜନା । ଏହି ଯୋଜନାରେ ଦେଶର ଯୁବ ସମାଜକୁ ଦକ୍ଷ, ଯୋଗ୍ୟ ଓ ସାହସୀ କରିବାରେ ସହାୟକ ହୋଇଛି । ଜୀବନର ସବୁ କ୍ଷେତ୍ରରେ ଆହ୍ବାନକୁ ଗ୍ରହଣ କରିପାରୁଥିବା ଯୁବସମାଜ ଗଠନରେ ଏହି ଯୋଜନାର ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ସେଥିପାଇଁ ରାଜ୍ୟ ସରକାର ଓଡିଶାର ୟୁନିଫର୍ମ ସେବାରେ ସେମାନଙ୍କୁ ଗ୍ରହଣ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।"
ମୁଖ୍ୟମନ୍ତ୍ରୀ ଏହା ମଧ୍ୟ ଘୋଷଣା କରିଛନ୍ତି, "ଓଡିଶାର ଯେଉଁ ଅଗ୍ନିବୀରମାନେ ସେନାବାହିନୀରେ ଭର୍ତ୍ତି ହୋଇନଥିବେ, ସେମାନଙ୍କ ପାଇଁ ରାଜ୍ୟର ସବୁ ୟୁନିଫର୍ମ ସେବାରେ ନିଯୁକ୍ତି ପାଇଁ ୧୦ ପ୍ରତିଶତ ପର୍ୟ୍ୟନ୍ତ ସଂରକ୍ଷଣ ଦିଆଯିବ । ସେମାନଙ୍କ ପାଇଁ ବୟସ ସୀମା ମଧ୍ୟ ୫ ବର୍ଷ କୋହଳ କରାଯିବ ।"