ତିନି ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ହେବେ ମୁହାଁମୁହିଁ

ତିନି ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ହେବେ ମୁହାଁମୁହିଁ

ସମ୍ବଲପୁରରୁ ରାଜାରାମ ପାଢୀ : ରେଢାଖୋଲ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏଥର ର।ଜନୈତିକ ପାଣିପାଗ ରୋଚକ ମୋଡ଼ରେ ପହଞ୍ଚିଛି । ୨୦୦୦ ମସିହାରୁ ଲଗାରତ ଭାବେ ଏହି ଆସନରୁ ବିଜେଡି ପ୍ରାର୍ଥୀମାନେ ଗତ ୫ଥର ହେଲା ଜିତି ଆସୁଛନ୍ତି । ଏଥର ବିଜେଡ଼ି ପାଇଁ ଏହି ବିଜୟ ଧାରାକୁ ବଜାୟ ରଖିବା ଏକ ଚ୍ୟାଲେରେ ପରିଣତ ହୋଇଛି । ଚଳିତ ନିର୍ବାଚନରେ ବିଜେଡ଼ିରୁ ବର୍ତ୍ତମାନର ବିଧାୟକ ରୋହିତ ପୂଜାରୀଙ୍କ ବଦଳରେ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ପ୍ରାର୍ଥୀ କରାଯାଇଛି । ସେହିଭଳି କଂଗ୍ରେସ ଗତ ଥରର ପ୍ରାର୍ଥୀ ଆସଫ୍ ଅଲ୍ଲୀ ଖାନ୍ ଏବଂ ବିଜେପି ଦେବେନ୍ଦ୍ର ମହାପାତ୍ରଙ୍କୁ ପୁର୍ନବାର ପ୍ରାର୍ଥୀ କରିଛି । ୨୦୧୯ରେ ବିଜେଡ଼ି ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ କଂଗ୍ରେସ ଦ୍ୱିତୀୟ ଓ ବିଜେପି ପ୍ରାର୍ଥୀ ତୃତୀୟ ସ୍ଥାନରେ ରହିଥିଲେ । ଗତ ଥର ବଜେଡ଼ିରୁ ରୋହିତ ପୂଜାରୀ ୫୭,୧୧୧ ଭୋଟ ପାଇ ବିଜୟୀ ହୋଇଥିଲେ । ଦ୍ୱିତୀୟ ସ୍ଥାନରେ ରହିଥିବା କଂଗ୍ରେସର ଆସଫ ଅଲ୍ଲୀ ୪୨,୪୭୯ ଏବଂ ବିଜେପି ପ୍ରାର୍ଥୀ ୪୨,୦୨୭ ଖଣ୍ଡ ଭୋଟ ପାଇଥିଲେ । ବିଜେଡ଼ି ପ୍ରାର୍ଥୀ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ୧୪, ୬୩୨ ଭୋଟରେ ବିଜୟୀ ହୋଇଥିଲେ । ୨୦୧୪ରେ ବିଜେଡ଼ି ପ୍ରାର୍ଥୀ ରୋହିତ ପୂଜାରୀ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ଆସଫ୍ ଅଲ୍ଲୀ ଖାନ୍ଙ୍କ ଠାରୁ ୧୧,୯୦୯ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ । ଏହି ଦୃଷ୍ଟିରୁ ପୂର୍ବାପେକ୍ଷା ୨୦୧୯ରେ ବିଜୟୀ ବିଜେଡ଼ି ପ୍ରାର୍ଥୀଙ୍କ ଭୋଟ ସଂଖ୍ୟା ବଢ଼ିଥିଲା । ୨୦୦୯ରେ ପ୍ରସନ୍ନ ଆଚାର୍ଯ୍ୟ ନିକଟତମ କଂଗ୍ରେସ ପ୍ରାର୍ଥୀ ଆସଫ୍ଅଲ୍ଲୀ ଖାନ୍ଙ୍କ ଠାରୁ ୯୭୬୪ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ । ୨୦୦୯ ପର ଠାରୁ ପ୍ରସନ୍ନ ବାବୁଙ୍କୁ ବିଜେଡ଼ି ପୁଣି ଥରେ ରେଢ଼ାଖୋଲରୁ ପ୍ରାର୍ଥୀ କରିଛି । ଗତ ଦୁଇ ଥର ବିଧାୟକ ଥିବା ରୋହିତଙ୍କୁ ରେଢ଼ାଖୋଲ ବଦଳରେ ସମ୍ବଲପୁରରୁ ଦଳ ପ୍ରାର୍ଥୀ କରିଛି । ଟିକଟ୍ ନେଇ ଦ୍ୱନ୍ଦ୍ୱ ଏବଂ ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀରେ ସ୍ଥାନୀୟ ପ୍ରାର୍ଥୀଙ୍କୁ ଟିକଟ ଦେବା ପାଇଁ ବିଭିିନ୍ନ ରାଜନୈତିକ ଦଳ ପକ୍ଷରୁ ଦାବି ପରିପ୍ରେକ୍ଷୀରେ ରେଢ଼ାଖୋଲରେ ନିର୍ବାଚନ ପ୍ରଚାର ଜୋର୍ ଧରିପାରି ନାହିଁ । ଏପରିକି ଟିକଟ ବିତରଣରେ ମଧ୍ୟ ବିଳମ୍ବ ହୋଇଛି । ଏଠାରେ ରୋହିତଙ୍କ ଦୃଢ଼ ସଂଗଠନ ରହିଛି । ସେମାନଙ୍କୁ ନିଜ ପକ୍ଷକୁ ଆଣିବା ପାଇଁ ୧୫ ବର୍ଷ ପରେ ରେଢ଼ାଖାଲରେ ପ୍ରାର୍ଥୀ ହୋଇଥିବା ପ୍ରସନ୍ନ ଆଚାର୍ଯ୍ୟ କ'ଣ ଯୋଜନା କରିଛନ୍ତି ତାହା ସମୟ କହିବ । 
ବିଗତ ନିର୍ବାଚନ ଗୁଡ଼ିକୁ ଦେଖିଲେ ରେଢାଖୋଲ ବିଧାନସଭା କ୍ଷେତ୍ରରେ ବିଜେପି ତୃତୀୟ ପୋଜିସନରେ ରହିଥିଲେ ମଧ୍ୟ ଭଲ ଭୋଟ ହାସଲ କରିପାରିଥିଲା । ୨୦୦୯ରେ ସୀମା ପୁନଃ ନିର୍ଦ୍ଧାରଣପରେ ସମ୍ବଲପୁର ଜିଲ୍ଲାର ରେଢାଖୋଲ ଏନଏସି ଓ ବ୍ଲକ, ଜୁଜୁମୁରା, ନାକ୍ଟିଦେଉଲ ବ୍ଲକ ଏବଂ ମାନେଶ୍ୱର ବ୍ଲକର ଛଅଟି ପଞ୍ଚାୟତକୁ ନେଇ ଏହି ନିର୍ବାଚନ ବିଧାନସଭା କ୍ଷେତ୍ର ଗଠିତ । ଏଠରେ ବିଜେଡ଼ି ଓ କଂଗ୍ରେସ ର ପାରମ୍ପାରିକ ଭୋଟ ରହିଥିବା ବେଳେ ଗତ କିଛିବର୍ଷ ହେଲା ବିଜେପି ସଂଗଠନ କରିଛି । ଅନ୍ୟପକ୍ଷରେ ୧୯୭୪ରେ ବିଜୁ ବାବୁଙ୍କ ଉକ୍ରଳ କଂଗ୍ରେସ ରାଜ୍ୟରେ ଜିତିଥିବା ୨୬ଟି ଆସନ ମଧ୍ୟରେ ରେଢାଖୋଲ ରହିଥିଲା । ଏଥିରୁ ଏଠାରେ କଂଗ୍ରେସ ବିରୋଧୀ ଭୋଟର ଉପସ୍ତିତି ଥିବା ଜଣାପଡ଼ିଥାଏ । ଏଣେ ଆଜିବି ସଂଗ୍ରମୀ ଓ ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ପବିତ୍ର ମୋହନ ପ୍ରଧାନଙ୍କୁ ଢେଙ୍କାନାଳ, ଅନୁଗୁଳ ଭଳି ରେଢାଖୋଲ ଇଲାକାରେ ଲୋକେ ମନେପକାନ୍ତି । ହେଲେ ଏଥର ଲିଗାସି ସହିତ ଲୋକ ସମ୍ପର୍କ ମଧ୍ୟ ପ୍ରାର୍ଥୀଙ୍କ ସଫଳତାର ମାପକାଠି ହେବ । ଗତ ନିର୍ବାଚନ ପରେ ଆସଫ ନିଜ ସଂଗଠନ ପାଇଁ ଉଦ୍ୟମ କରିଛନ୍ତି । ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତୀ ଓ ରାଜ୍ୟ ସରକାରଙ୍କ ଜନହିତକର ଯୋଜନା ଗୁଡ଼ିକ ସହିତ ରେଢାଖୋଲରେ ମହାନଦୀର ପାଣି ପହଞ୍ଚାଇବା, ଅନେକ ସେତୁ ଓ ମେଗା ଲିଫ୍ଟ ପ୍ରକଳ୍ପକୁ ନେଇ ବିଜେଡ଼ି ପ୍ରଚାର ଅଭିଯାନ ଆରମ୍ଭ କରିଛି । କଂଗ୍ରେସ ପ୍ରାର୍ଥୀ ତାଙ୍କ ଦଳର ପ୍ରତିଶ୍ରୁତିକୁ ପ୍ରସଙ୍ଗ କରିଛନ୍ତି । ବିଜେପି ପ୍ରାର୍ଥୀ ଦେବେନ୍ଦ୍ର ମହାପାତ୍ର ମୋଦି ଲହର ସହିତ କେନ୍ଦ୍ରର ବିଭିନ୍ନ ଯୋଜନାକୁ ନେଇ ପ୍ରଚାରରେ ଲାଗିଛନ୍ତି । ତେବେ ଅସନ୍ତୁଷ୍ଟ କର୍ମୀଙ୍କ କାର୍ଯ୍ୟକଳାପ ବିଜେଡ଼ି ଓ ବିଜେପି ପ୍ରାର୍ଥୀଙ୍କୁ ପ୍ରଥମରେ ଅଡ଼ୁଆ ସୃଷ୍ଟି କରିଛି । ଏହାକୁ ଦୁହି ଦଳ କେତେଦୂର ସମାଧାନ କରୁଛନ୍ତି, ତାହା ସମୟ କହିବ । ୨୦୦୯ ରେ ବିଜେଡ଼ି ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟ ପ୍ରତିଦ୍ୱନ୍ଦୀତା କରୁଥିବା ବବେଳେ ବିଦ୍ରୋହର ସମ୍ନା କରିଥିଲେ । ସେଥର ବିଜେଡ଼ି ବିଦ୍ରୋହୀ ପ୍ରାର୍ଥୀ ଗୀତାଞ୍ଜଳି ପ୍ରଧାନ ପ୍ରାୟ ଦଶ ହଜାର ଭୋଟ ପାଇ ଥିଲେ ।  ହେଲେ ବିଜେଡ଼ିର ପ୍ରସନ୍ନ, କଂଗ୍ରେସର ଆସଫ୍ ବାବୁ ଏହି ନିର୍ବାଚନ ମଣ୍ଡଳୀ ପାଇଁ ନୂଆ ନୁହଁନ୍ତି । ଏହା ସେମାନଙ୍କ ନିର୍ବାଚନୀ ଅଭିଯାନକୁ ସହାୟକ ହୋଇଛି । 
୧୯୫୨ରେ ରେଢ଼ାଖୋଲ ବିଧାନସଭା ନିର୍ବାଚନ ମଣ୍ଡଳୀ ଗଠିତ ହୋଇଥିଲା । ଏଠାରୁ ଗଣତନ୍ତ୍ର ପରିଷଦ ପ୍ରାର୍ଥୀ ୨ ଥର, ସ୍ୱତନ୍ତ୍ର ପାର୍ଟି, ଓଡ଼ିଶା ଜନକଂଗ୍ରେସ, ଉକ୍ରଳ କଂଗ୍ରେସ, ଜନତା ପାର୍ଟି, ଜନତା ଦଳ, ପ୍ରାର୍ଥୀମାନେ ଥରେ ଲେଖାଏଁ ଜିତିଥିବା ବେଳେ ଜାତୀୟ କଂଗ୍ରେସର ପ୍ରାର୍ଥୀମାନେ ୩ ଥର ବିଜୟୀ ହୋଇଥିଲେ । ୨୦୦୦ରୁ ୨୦୧୯ ପର୍ଯ୍ୟ" ବିଜୁ ଜନତା ଦଳର ପାର୍ଥୀମାନେ ବିଜୟୀ ହୋଇଛନ୍ତି । ତେବେ ସମ୍ବଲପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଓ ଜିଲ୍ଲା ଅନ୍ତର୍ଗତ ରେଢ଼ାଖୋଲ କ୍ଷେତ୍ରରେ ଏଥର ନିର୍ବାଚନୀ ବାତାବରଣ ଧୀରେ ଧୀରେ ସରଗରମ ହେବାରେ ଲାଗିଛି । ଲୋକସଭା ଆସନ ପାଇଁ ବିଜେପି ବିଜେପି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ବିଜେଡ଼ି ସାଂଗଠାନିକ ସମ୍ପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାଶଙ୍କୁ ପ୍ରାର୍ଥୀ କରିଛି । ରେଢ଼ାଖୋଲ ବ୍ଲକ୍ ଓ ଏନ୍ଏସି, ଯୁଯୋମୁରା ଓ ନାକଟୀ ଦେଉଳ ବ୍ଲକ୍ ଏବଂ ମାନେଶ୍ୱର ବ୍ଲକ୍ର ଦେଓଗାଁ, ଡକରା, ଧମା, ହୁମା, ବରଗାଁ, ସାହାସପୁର, ବଦୁଆପାଲି ଆଦି ୭ଟି ଗ୍ରାମପଞ୍ଚାୟତକୁ ନେଇ ରେଢ଼ାଖୋଲ ବିଧାନସଭା ନିର୍ବାଚନ ମଣ୍ଡଳୀ ଗଠିତ ।